ମନୋରଞ୍ଜନ
ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ବାପା ଓ ଭାଇଙ୍କୁ ମରଣାନ୍ତକ ଆକ୍ରମଣ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚମେଲୀ ଓଝାଙ୍କ ବାପା ଏବଂ ଭାଇଙ୍କୁ କିଛି ଦୁର୍ବୃତ୍ତ ସଂଘାତିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ସରପଞ୍ଚଙ୍କ ବାପା ଗୁରୁତର ଆହତ ହୋଇ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଆଇସିୟୁ (ICU)ରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚାମେଲିଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ । ଏହି ହିଂସାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ସରପଞ୍ଚଙ୍କ ବାପା ଓ ଭାଇ ତିଖିରୀ ଗ୍ରାମର ଏକ ଦୋକାନରୁ ବାଣ କିଣୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ଦୁଇ ଜଣ ସ୍ଥାନୀୟ ବାସିନ୍ଦା ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଉଭୟେ ଆହତ ହୋଇଥିବା ବେଳେ ସରପଞ୍ଚଙ୍କ ବାପାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅବସ୍ଥା ବିଗିଡିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ଏହି ଘଟଣା ପରେ ସ୍ଥାନୀୟ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଚଳାଇଛି। ଆକ୍ରମଣ ପଛର ପ୍ରକୃତ କାରଣ ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ କରୁଛି। ସେପଟେ ସରପଞ୍ଚଙ୍କ ପରିବାର ଉପରେ ହୋଇଥିବା ଏହି ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।






