ଆଜି ଆଲୋକର ପର୍ବ ଦୀପାବଳି: ଅଧର୍ମ ଉପରେ ଧର୍ମର ଏବଂ ଅନ୍ଧକାର ଉପରେ ଆଲୋକର ବିଜୟ

Madhusudan Das Picture
Published On

ଆଜି ଆଲୋକର ପର୍ବ ଦୀପାବଳି । ସନାତନ ଧର୍ମଧାରାର ଏକ ମୁଖ୍ୟ ପର୍ବ ହେଉଛି ଦୀପାବଳି। କାର୍ତ୍ତିକ ଅମାବାସ୍ୟାର ଘନ ଅନ୍ଧକାରକୁ ଦୂର କରିବା ପାଇଁ ପ୍ରତିଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଘର ଦୁଆର ମୁହଁରେ ଜଳିଉଠେ ଧାଡ଼ି ଧାଡ଼ି ମାଟି ଦୀପ। ଏହି ସୁନ୍ଦର ଆଲୋକମାଳା କେବଳ ପରିବେଶକୁ ଆଲୋକିତ କରେନାହିଁ; ବରଂ ମଣିଷ ମନରୁ ଅଜ୍ଞାନତା, ଦୁଃଖ ଓ ନିରାଶାର ଅନ୍ଧକାରକୁ ଦୂର କରି ଏକ ନୂଆ ଆଶା ସଞ୍ଚାର କରିଥାଏ ବୋଲି ବିଶ୍ବାସ ରହିଛି । 

ଆହୁରି ପଢ଼ନ୍ତୁ: ବାତ୍ୟା 'ମୁରାସୁ' ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଗଞ୍ଜାମ ଓ ଗଜପତି ପାଇଁ ସତର୍କ ସୂଚନା

ଦୀପାବଳି ପାଳନ ପଛରେ ଅନେକ ପୌରାଣିକ ଆଖ୍ୟାନ ରହିଛି। ସବୁଠାରୁ ପ୍ରଧାନ ମାନ୍ୟତା ଅନୁସାରେ, ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତା ଏବଂ ଭ୍ରାତା ଲକ୍ଷ୍ମଣଙ୍କ ସହ ୧୪ ବର୍ଷର କଠିନ ବନବାସ ସମାପ୍ତ କରି ଏବଂ ଅଧର୍ମୀ ରାବଣ ଉପରେ ବିଜୟ ଲାଭ କରି ନିଜ ନଗରୀ ଅଯୋଧ୍ୟାକୁ ଫେରିଥିଲେ। ଆନନ୍ଦିତ ଅଯୋଧ୍ୟାବାସୀ ପ୍ରଭୁଙ୍କ ସ୍ୱାଗତ ପାଇଁ ସାରା ନଗରୀକୁ ଘିଅ ଦୀପରେ ସଜାଇ ଦେଇଥିଲେ। ସେହିପରି ଅନ୍ୟ ଏକ ମାନ୍ୟତା ଅନୁସାରେ, ଏହି ତିଥିରେ ଭଗବାନ ଶ୍ରୀକୃଷ୍ଣ ଅତ୍ୟାଚାରୀ ଅସୁର ନରକାସୁରକୁ ବଦ୍ଧ କରି ସମାଜକୁ ଭୟମୁକ୍ତ କରିଥିଲେ। ତେଣୁ ଏହି ପର୍ବ ଅଧର୍ମ ଉପରେ ଧର୍ମର ଏବଂ ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ ଭାବେ ସର୍ବତ୍ର ଆଦୃତ। 

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ଓ ବନ୍ୟା କ୍ଷୟକ୍ଷତି: କେନ୍ଦ୍ର ସରକାରଙ୍କୁ ୨,୫୨୬ କୋଟି ଟଙ୍କାର ସହାୟତା ମାଗିଲା ଓଡ଼ିଶା

ଭାରତର ଅନ୍ୟାନ୍ୟ ପ୍ରାନ୍ତ ତୁଳନାରେ ଓଡ଼ିଶାର ଦୀପାବଳି ପରମ୍ପରା ସମ୍ପୂର୍ଣ୍ଣ ନିଆରା ଏବଂ ଭାବପୂର୍ଣ୍ଣ।  କାର୍ତ୍ତିକ ଅମାବାସ୍ୟା ଦିନ ଓଡ଼ିଆ ଘରର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଯେଉଁ ବିଶେଷ ପିଣ୍ଡଦାନ ବା ଶ୍ରାଦ୍ଧ ଦିଆଯାଏ, ତାହାକୁ ‘ପୟା ଶ୍ରାଦ୍ଧ’ କୁହାଯାଏ। ମାନ୍ୟତା ଅଛି ଯେ,  ଆଶ୍ବିନ ମାସର ପିତୃପକ୍ଷରେ ମର୍ତ୍ତ୍ୟମଣ୍ଡଳକୁ ଆସିଥିବା ପିତୃପୁରୁଷମାନେ ଏହି ଦିନ ନିଜ ଲୋକଙ୍କ ସେବା ଓ ଶ୍ରଦ୍ଧା ଗ୍ରହଣ କରି ପୁଣି ନିଜସ୍ଥାନକୁ ଫେରିଯାନ୍ତି। ସେଥିପାଇଁ ପରିବାରର ମୁଖ୍ୟ ବ୍ୟକ୍ତି ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କର୍ମ କରିଥାନ୍ତି। ପୟା ଶ୍ରାଦ୍ଧ ପଡ଼ିବା ପରେ ଘରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ କାଉଁରିଆ କାଠି ବିଡ଼ାକୁ ଜାଳି ଆକାଶ ଆଡ଼କୁ ଦେଖାଇ ଉଚ୍ଚ ସ୍ୱରରେ ଡାକନ୍ତି: “ବଡ଼ବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ... ।’’ 

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଫ୍ଲାଏ ଆସ ପରିବହନ ବିବାଦରୁ ହତ୍ୟାକାଣ୍ଡ: ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଜାଳିଲେ ଉତ୍ତ୍ୟକ୍ତ ଲୋକେ

ଉତ୍ତର ଭାରତରେ ଏହି ପର୍ବ ମୁଖ୍ୟତଃ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବନବାସ ଫେରିବା ଖୁସିରେ ପାଳନ କରାଯାଏ। ଅଯୋଧ୍ୟାରେ ଏହି ଦିନ ଲକ୍ଷ ଲକ୍ଷ ମାଟି ଦୀପ ଜଳାଇ ‘ଦୀପୋତ୍ସବ’ ପାଳନ କରାଯାଏ, ଯାହା ବିଶ୍ୱ ପ୍ରସିଦ୍ଧ। ଏଠାରେ ଦୀପାବଳି ପାଞ୍ଚ ଦିନ ବ୍ୟାପୀ ଚାଲେ। ପ୍ରଥମ ଦିନ ଧନତେରସ୍‌, ଦ୍ୱିତୀୟ ଦିନ ଛୋଟି ଦୀପାବଳି, ତୃତୀୟ ଦିନ ମୁଖ୍ୟ ଦୀପାବଳି ଓ ଲକ୍ଷ୍ମୀ ପୂଜା, ଚତୁର୍ଥ ଦିନ ଗୋବର୍ଦ୍ଧନ ପୂଜା ଏବଂ ପଞ୍ଚମ ଦିନ ଭାଇଦୂଜ୍ ପାଳନ କରାଯାଏ। ସେହଭଳି ପଶ୍ଚିମବଙ୍ଗ, ଆସାମ ଓ ଓଡ଼ିଶାର କେତେକ ସ୍ଥାନରେ ଦୀପାବଳି ଦିନ ରାତିରେ ମା’ କାଳୀଙ୍କୁ ପୂଜା କରାଯାଏ। ଅନ୍ଧାର ରାତିରେ ଶକ୍ତି ସ୍ୱରୂପା ମାଆ ମହାକାଳୀଙ୍କ ଆରାଧନା କରାଯାଇ ମନରୁ ଭୟ ଓ ନକାରାତ୍ମକତା ଦୂର କରିବାକୁ ପ୍ରାର୍ଥନା କରାଯାଏ।  

ଓଡ଼ିଶାର ଭଦ୍ରକ, ପିପିଲି ଓ ଯାଜପୁର ଭଳି ଅଞ୍ଚଳରେ କାଳୀ ପୂଜା ଅତ୍ୟନ୍ତ ଧୂମଧାମ୍‌ରେ ପାଳିତ ହୋଇଥାଏ। ଦୀପାବଳିର କିଛି ଦିନ ପୂର୍ବରୁ ଲୋକେ ନିଜ ନିଜ ଘରକୁ ଭଲଭାବେ ସଫାସୁତୁରା କରନ୍ତି । ମାନ୍ୟତା ଅଛି ଯେ, ସ୍ୱଚ୍ଛ ଗୃହରେ ମା’ ଲକ୍ଷ୍ମୀ ବାସ କରନ୍ତି । ଘରର ଚାରିପାଖକୁ ରଙ୍ଗବେରଙ୍ଗର ବୈଦ୍ୟୁତିକ ଆଲୋକମାଳା ଏବଂ ମାଟି ଦୀପ ଲଗାଇ ସଜାଯାଏ। ଏହି ଦିନ ସମସ୍ତେ ନୂଆ ପୋଷାକ ପିନ୍ଧନ୍ତି । ପରିବାରର ସଦସ୍ୟ, ପଡ଼ୋଶୀ ଏବଂ ସମ୍ପର୍କୀୟମାନଙ୍କୁ ମିଠା ବଣ୍ଟନ କରାଯାଏ ଏବଂ ଶୁଭେଚ୍ଛା ଜଣାଯାଏ। ସନ୍ଧ୍ୟା ସମୟରେ ଘରର ଠାକୁର ଘରେ ବା ବ୍ୟବସାୟ ପ୍ରତିଷ୍ଠାନରେ ମା’ ଲକ୍ଷ୍ମୀ ଏବଂ ପ୍ରଭୁ ଗଣେଶଙ୍କର ବିଶେଷ ପୂଜା କରାଯାଏ । ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ଗୃହର ପ୍ରତ୍ୟେକ କୋଣରେ ମାଟି ଦୀପ ଓ ମହମବତୀ ଜଳାଯାଏ । ଦୀପାବଳି ପାଳନର ଶୈଳୀ ଭିନ୍ନ ହେଲେ ମଧ୍ୟ ଏହାର ମୂଳ ଭାବନା ଏକ। ଏହା ସମଗ୍ର ମାନବ ସମାଜକୁ ଶିକ୍ଷା ଦିଏ ଯେ, ସତ୍ୟର ସଦାବେଳେ ବିଜୟ ହୁଏ ଏବଂ ପ୍ରେମ ତଥା ସଦ୍‌ଭାବନାର ଆଲୋକରେ ହିଁ ସଂସାରର ସବୁ ଅନ୍ଧକାରକୁ ଦୂର କରାଯାଇ ପାରିବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର