ମନୋରଞ୍ଜନ
ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼: କାର୍ତ୍ତିକ ଦ୍ୱିତୀୟ ସୋମବାରରେ ବଡ଼ସିଂହାର ବେଶରେ ଦର୍ଶନ ଦେଲେ ବାବା
କଟକ: କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ଅବସରରେ କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ପବିତ୍ର କାର୍ତ୍ତିକ ବ୍ରତ ପାଳନ କରୁଥିବା ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳି ପ୍ରତ୍ୟୁଷରୁ ମନ୍ଦିରରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି।
ସୂଚନା ଅନୁଯାୟୀ, ମନ୍ଦିର ପୂଜକ ସମିତି ପକ୍ଷରୁ ଭୋର ୪ଟା ସମୟରେ ମନ୍ଦିର ଦ୍ୱାର ଫିଟାଯାଇଥିଲା। ଏହାପରେ ବାବାଙ୍କର ପବିତ୍ର ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ମଙ୍ଗଳ ଆଳତି, ମଇଲମ, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଆଜି ବାବା ଧବଳେଶ୍ୱର ଭକ୍ତଙ୍କୁ ମନୋହର ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି। ଏହି ସ୍ୱତନ୍ତ୍ର ବେଶ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି।
ରାଜ୍ୟର ବିଭିନ୍ନ କୋଣରୁ ଆସୁଥିବା ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ବାବାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। କାର୍ତ୍ତିକ ମାସର ଏହି ପବିତ୍ର ସୋମବାର ଧବଳେଶ୍ୱର ପୀଠରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।






