ମନୋରଞ୍ଜନ
କଟକରେ ଭୟାବହ ଅଗ୍ନିକାଣ୍ଡ: ୬ ବର୍ଷର ଶିଶୁ ମୃତ, ଜଣେ ବୃଦ୍ଧ ଗୁରୁତର
କଟକ: କଟକ ଦରଘାବଜାର ଥାନା ଅନ୍ତର୍ଗତ ହାତୀପୋଖରୀ ଅଞ୍ଚଳରେ ଏକ ତିନି ମହଲା ବିଶିଷ୍ଟ ଆବାସିକ କୋଠାରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ମର୍ମନ୍ତୁଦ ଅଗ୍ନିକାଣ୍ଡରେ ଜଣେ ୬ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ଜଣେ ବୃଦ୍ଧ ବ୍ୟକ୍ତି ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଯେତେବେଳେ ପରିବାରର ସମସ୍ତ ସଦସ୍ୟ ଶୋଇଥିଲେ, ସେହି ସମୟରେ ହଠାତ୍ କୋଠାରେ ନିଆଁ ଲାଗିଯାଇଥିଲା। ଧୀରେ ଧୀରେ ନିଆଁ ସମଗ୍ର କୋଠାକୁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକେ ଘରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ନିଆଁର ପ୍ରକୋପ ଏତେ ଥିଲା ଯେ ଭିତରେ ଥିବା ସଦସ୍ୟମାନେ ବାହାରକୁ ଆସିପାରି ନଥିଲେ।
ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ତେବେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରାଯାଇ ଏସସିବି ମେଡିକାଲକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଆହତ ବୃଦ୍ଧ ଜଣଙ୍କ ବର୍ତ୍ତମାନ ଏସସିବି ମେଡିକାଲର ଜରୁରୀକାଳୀନ ବିଭାଗରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ପ୍ରାଥମିକ ସ୍ତରରେ ଏହା ସର୍ଟ ସର୍କିଟ ଯୋଗୁଁ ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ କରାଯାଇଛି।






