ମନୋରଞ୍ଜନ
ଅମିତାଭ ବଚ୍ଚନଙ୍କ ବାସଭବନ 'ଜଲସା'କୁ ବୋମା ଧମକ, ମୁମ୍ବାଇରେ ହାଇଆଲର୍ଟ
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କୁ ଜୀବନରେ ମାରିଦେବାକୁ ଧମକ। ତାଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଜଲସା’କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାକୁ ଏକ ଇମେଲ୍ ମାଧ୍ୟମରେ ଧମକ ମିଳିବା ପରେ ସାରା ମୁମ୍ବାଇରେ ଆଲୋଡ଼ନ ସୃଷ୍ଟି ହୋଇଛି।
ସୂଚନା ମୁତାବକ, ଏହି ଧମକପୂର୍ଣ୍ଣ ଇମେଲ୍ରେ କେବଳ ‘ଜଲସା’ ନୁହେଁ, ବରଂ ମୁମ୍ବାଇର ଅନ୍ୟ କେତେକ ପ୍ରମୁଖ ସ୍ଥାନକୁ ମଧ୍ୟ ଉଡ଼ାଇ ଦେବାକୁ ଚେତାବନୀ ଦିଆଯାଇଥିଲା। ଏହା ପରେ ମୁମ୍ବାଇ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ତତ୍ପରତା ଦେଖାଇ ତନାଘନା ଆରମ୍ଭ କରିଛନ୍ତି।
ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଅମିତାଭଙ୍କ ବାସଭବନରେ ପହଞ୍ଚି ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ବେଳେ ଏହା ଏକ ମିଥ୍ୟା ଧମକ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।
ସୁରକ୍ଷା ଦୃଷ୍ଟିକୋଣରୁ ଅମିତାଭ ବଚ୍ଚନଙ୍କ ବାସଭବନ ବାହାରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଇମେଲ୍ଟି କେଉଁଠାରୁ ପଠାଯାଇଛି ସେ ନେଇ ସାଇବର ସେଲ୍ ତଦନ୍ତ ଜାରି ରଖିଛି।






