ମନୋରଞ୍ଜନ
ଦୀପାବଳିର ଖୁସି ପାଲଟିଲା ବିଷାଦ: ରାଉରକେଲାରେ ବାଣ ଫୁଟି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
ରାଉରକେଲା: ଭଉଣୀ ଆଗରେ ବାଣ ଫୁଟି ଚାଲିଗଲା ନାବାଳକର ଜୀବନ । ଦୀପାବଳିର ଆନନ୍ଦ ଉଲ୍ଲାସ ମଧ୍ୟରେ ଇସ୍ପାତ ସହର ରାଉରକେଲାରୁ ଏପରି ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ବାଣ ଫୁଟି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ନାବାଳକ ଜଣକ ହେଉଛନ୍ତି ଚିନ୍ମୟ ସାହୁ।
ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୯ଟା ସମୟରେ ରଘୁନାଥପାଲି ଥାନା ଅନ୍ତର୍ଗତ କୌଶଲ୍ୟା ନଗରରେ ଏହି ଦୁର୍ଘଟଣା ଘଟିଛି। ଚିନ୍ମୟ ନିଜ ଭଉଣୀ ଓ ଜଣେ ସାଙ୍ଗଙ୍କ ସହ ଜଣେ ଶିକ୍ଷକଙ୍କ ଘରୁ ଭୋଜି ଖାଇ ଫେରୁଥିଲେ। ଘର ନିକଟସ୍ଥ ଏକ ଛକ ପାଖରେ ହଠାତ୍ ଏକ ବାଣ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଚିନ୍ମୟ ଗୁରୁତର ଭାବେ ଆହତ ହୋଇଥିଲେ।
ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନା (RGH)କୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୌଭାଗ୍ୟବଶତଃ ତାଙ୍କ ସହ ଥିବା ଭଉଣୀ ଓ ସାଙ୍ଗ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସେହି ବାଣଟିରେ କାଚ ଖଣ୍ଡ ରହିଥିଲା, ଯାହା ବିସ୍ଫୋରଣର ପ୍ରଭାବକୁ ଅଧିକ ମାରାତ୍ମକ କରିଥିଲା। ରଘୁନାଥପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ମର୍ମନ୍ତୁଦ ଘଟଣା ପାଇଁ ପୂରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।






