ମନୋରଞ୍ଜନ
ଡେବ୍ରିଗଡ଼ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ: RBT କ୍ୟାମେରାରେ କଏଦ ହେଲା ବାଘର ଉପସ୍ଥିତି
ବରଗଡ଼: ଦେବ୍ରୀଗଡ଼ ଅଭୟାରଣ୍ୟରେ ପୁଣି ଥରେ ଏକ ରୟାଲ ବେଙ୍ଗଲ ଟାଇଗର ଦେଖିବାକୁ ମିଳିଛି। ଅଭୟାରଣ୍ୟ ଭିତରେ ଲଗାଯାଇଥିବା କ୍ୟାମେରା ଟ୍ରାପ୍ରେ ଏହି ମହାବଳ ବାଘର ଫଟୋ କଏଦ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ବନ୍ୟପ୍ରାଣୀ ପ୍ରେମୀ ଏବଂ ବନ ବିଭାଗ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଦେଚୁଆଁ-ଲଖନପୁର ଜଙ୍ଗଲ କରିଡର ଦେଇ ଏହି ବାଘଟି ଅଭୟାରଣ୍ୟରେ ପ୍ରବେଶ କରିଛି। ବନ ବିଭାଗର ଅଧିକାରୀମାନେ ଅନୁମାନ କରୁଛନ୍ତି ଯେ, ବାଘଟି ମଧ୍ୟପ୍ରଦେଶରୁ ବାହାରି ଛତିଶଗଡ଼ ଦେଇ ଦେବ୍ରୀଗଡ଼ ଜଙ୍ଗଲକୁ ଆସିଥାଇପାରେ। ବନ୍ୟପ୍ରାଣୀ ବିଶେଷଜ୍ଞମାନେ କ୍ୟାମେରା ଟ୍ରାପ୍ ଚିତ୍ରଗୁଡ଼ିକର ବିଶ୍ଳେଷଣ କରି ବାଘର ଉତ୍ସ, ଲିଙ୍ଗ ଏବଂ ଅନ୍ୟାନ୍ୟ ବିବରଣୀ ସ୍ଥିର କରିବେ। ଅଧିକ ତଥ୍ୟ ପାଇଁ ଫଟୋଗ୍ରାଫଗୁଡ଼ିକର ବିସ୍ତୃତ ଯାଞ୍ଚ କରାଯାଉଛି।
ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଅଭୟାରଣ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ରାୟ ୧୦୦ଟି କ୍ୟାମେରା ଟ୍ରାପ୍ ଲଗାଯାଇଛି। ଏହା ସହିତ ୨୭ଟି ସ୍ୱତନ୍ତ୍ର ବନ ବିଭାଗ ଟିମ୍ ପ୍ରତିଦିନ ଅଭୟାରଣ୍ୟର ସୀମା ଓ ଜଙ୍ଗଲ ପଥରେ ପାଟ୍ରୋଲିଂ କରୁଛନ୍ତି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ତିନି ସ୍ତରୀୟ ରାତ୍ରି ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଦେବ୍ରୀଗଡ଼ରେ ବାଘ ଦେଖାଯିବା ଏହା ପ୍ରଥମ ଘଟଣା ନୁହେଁ। ୨୦୨୨ରୁ ୨୦୨୪ ମଧ୍ୟରେ ଏକ ମହାବଳ ବାଘ ପ୍ରାୟ ଦେଢ଼ ବର୍ଷ ଧରି ଏହି ଅଭୟାରଣ୍ୟରେ ରହିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଛତିଶଗଡ଼ର ଗୋମାର୍ଦ୍ଦା ଅଞ୍ଞଳରେ ବିଦ୍ୟୁତ ଆଘାତ ଯୋଗୁଁ ସେହି ବାଘର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ପୁଣି ଜଣେ ନୂଆ ଅତିଥିଙ୍କ ଆଗମନ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ମଧ୍ୟରେ ଥିବା ଜଙ୍ଗଲ କରିଡରର ଗୁରୁତ୍ୱକୁ ପୁଣି ଥରେ ପ୍ରମାଣିତ କରିଛି।






