ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ସତ୍ତ୍ୱେ କାହିଁକି ହେଲାନି ଆଗୁଆ ପ୍ରସ୍ତୁତି? ଗଞ୍ଜାମ ବନ୍ୟାକୁ ନେଇ ବିଜେଡି ନେତ୍ରୀ ସୁଜାତା ରାଉତଙ୍କ ପ୍ରଶ୍ନ

Madhusudan Das Picture
Published On

ଭୁବନେଶ୍ୱର: ପ୍ରବଳ ବର୍ଷା କାରଣରୁ ଦକ୍ଷିଣ ଓଡ଼ିଶା ବିଶେଷକରି ଗଞ୍ଜାମ ଜିଲ୍ଲାରେ ଅସମ୍ଭବ, ଭୟାବହ କ୍ଷୟକ୍ଷତି ହୋଇଥିବା ବେଳେ ରାଜ୍ୟ ସରକାର, ଜଳ ସମ୍ପଦ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନର ଦୋଷ ଦୁର୍ବଳତାକୁ ନେଇ ଏବେ ଚାରିଆଡ଼ୁ ଅଙ୍ଗୁଳି ଉଠୁଛି। ବେପରୁଆ ମନୋଭାବ ଏବଂ ଖାମଖିଆଲି ମନୋଭାବ କାରଣରୁ ଗଞ୍ଜାମ ବିପର୍ଯ୍ୟୟ ପରିସ୍ଥିତିର ସମ୍ମୁଖୀନ ହେଲା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏପରିସ୍ଥଳେ ବିଜେଡି ନେତ୍ରୀ ସୁଜାତା ରାଉତ ଗଞ୍ଜାମ ଜିଲ୍ଲାରେ ଜଳ ପରିଚାଳନା ଏବଂ ବନ୍ୟା ମୁକାବିଲାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ଜାରି ସତ୍ତ୍ବେ ଡ୍ୟାମ୍‌, କ୍ଷୁଦ୍ର ଜଳସେଚନ ପ୍ରକଳ୍ପଠାରୁ ଆରମ୍ଭ କରି ଚେକ୍‌ ଡ୍ୟାମ୍‌ ପରିଚାଳନାରେ ଗୁରୁତର ତ୍ରୁଟି କାରଣରୁ ଗଞ୍ଜାମ ଏତେବଡ଼ କ୍ଷତି ସହିଲା ବୋଲି ସୁଜାତା କହିଛନ୍ତି। ଏହି ମାନବକୃତ ତ୍ରୁଟି ଓ ଅକ୍ଷମଣୀୟ ଅବହେଳା ପାଇଁ ଦାୟୀ କିଏ? ଲକ୍ଷ ଲକ୍ଷ ଲୋକଙ୍କ ଦୁର୍ଦ୍ଦଶାର ଜବାବ ବିଜେପି ସରକାର ଦେବ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିଲେ, ବ୍ୟାରିକେଡ୍ ବାହାରେ ଅପେକ୍ଷା କରିଥିବାବେଳେ ଚାଲିଗଲା ଜୀବନ

ସାମାଜିକ ଗଣମାଧ୍ୟମ ଏକ୍ସରେ ଉଲ୍ଲେଖ କରି ସୁଜାତା କହିଛନ୍ତି ଯେ ଅକ୍ଟୋବର ୨୩ ତାରିଖରୁ ହିଁ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ସତର୍କ ସୂଚନା ଜାରି ହୋଇଥିଲା। ଏପରିକି ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସୂଚନା ମିଳିବା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍‌ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା। ଯାହା ଜଣାପଡୁଛି,୨୮ ତାରିଖରେ ଭଞ୍ଜନଗର, ସୋରଡ଼ା ଏବଂ ଧନେଇ ଜଳଭଣ୍ଡାର ପ୍ରାୟ ୮୦ ପ୍ରତିଶତ ପୂର୍ଣ୍ଣ ଥିଲା। ପ୍ରବଳ ବର୍ଷା ଯୋଗୁଁ ହଠାତ୍‌ ଜଳପ୍ରବାହ ବୃଦ୍ଧି ପାଇବା ପରେ ହିଁ ଜଳଭଣ୍ଡାରଗୁଡ଼ିକର ଗେଟ୍‌ ଖୋଲାଗଲା। ତାହା ପୁଣି ତଳିଆ ଅଞ୍ଚଳର ଲୋକଙ୍କୁ କୌଣସି ଆଗୁଆ ସତର୍କ ସୂଚନା ନଦେଇ ବୋଲି ସୁଜାତା ଉଲ୍ଲେଖ କରିଛନ୍ତି। ଏହାର ପରିଣାମ ସ୍ୱରୂପ ଗଞ୍ଜାମବାସୀଙ୍କ ପାଇଁ ଭୟଙ୍କର ବିପର୍ଯ୍ୟୟ ଆସିଲା। କେବେ ଦେଖିନଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହେଲା, ବ୍ୟାପକ ଧନଜୀବନ ନଷ୍ଟ ହେଲା। ଦୁଃଖର କଥା, ସେହି ଭୁଲ୍‌ ନିଷ୍ପତ୍ତି ଲକ୍ଷ ଲକ୍ଷ ଲୋକଙ୍କୁ ଅକଥନୀୟ ଯନ୍ତ୍ରଣା ଦେବା ସହ ସେମାନଙ୍କର ବିପୁଳ କ୍ଷତି ଘଟାଇଲା। 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ! ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହେବା ନେଇ IMDର ସୂଚନା

ଋଷିକୂଲ୍ୟା ନଦୀ ଅବବାହିକାରେ ଅନେକ ମଧ୍ୟମଧରଣର ଜଳଭଣ୍ଡାର ସହିତ ଶହ ଶହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଡାଇଭର୍ସନ୍‌ ୱିୟର୍‌ ଏବଂ ଚେକ୍‌ ଡ୍ୟାମ୍‌ ରହିଛି। ହେଲେ ସେଗୁଡ଼ିକରୁ କାହିଁକି ଆଗୁଆ ଆବଶ୍ୟକ ପରିମାଣର ଜଳ ନିଷ୍କାସନ କରାଗଲା ନାହିଁ? ବନ୍ୟା କିମ୍ୱା ବାତ୍ୟା ପରିସ୍ଥିତିର ମୁକାବିଲା ସମୟରେ ଏହା ଜଳସମ୍ପଦ ବିଭାଗର ଏକ ନିୟମିତ କାର୍ଯ୍ୟପଦ୍ଧତି ଅଟେ ବୋଲି ଶ୍ରୀମତି ରାଉତ କହିଛନ୍ତି। ତେଣୁ ବିପର୍ଯ୍ୟୟ ସମୟରେ ଜଳ ସଂପଦ ବିଭାଗର ଏଭଳି ଗୁରୁତର ଅବହେଳା ଏବଂ ଏବେ ଲୋକମାନେ ଯେଉଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି, ସେଥିପାଇଁ କିଏ ଦାୟୀ ରହିବେ, ରାଜ୍ୟ ସରକାର ତା’ର ଜବାବ ଦେବେକି ବୋଲି ସୁଜାତା ପ୍ରଶ୍ନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର