ମନୋରଞ୍ଜନ
ବନ୍ୟା ବିପନ୍ନଙ୍କୁ ଭେଟିବାକୁ ଗଞ୍ଜାମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଚାଷୀଙ୍କ ଦୁଃଖ ଶୁଣି ଭାବପ୍ରବଣ ହେଲେ
ଗଞ୍ଜାମ: ବନ୍ୟା ବିପନ୍ନଙ୍କୁ ଭେଟିବାକୁ ଗଞ୍ଜାମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ନବୀନ । ଚାଷୀଙ୍କ ଦୁଃଖ ଶୁଣି ଭାବପ୍ରବଣ ହେଲେ ନବୀନ । ଶେରଗଡ଼ରେ ନବୀନଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଶେରଗଡ଼ରେ ପହଞ୍ଚିବା ପରେ ପ୍ରଭାବିତଙ୍କ ସହ ନବୀନ କଥା ହୋଇଛନ୍ତି । ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ବନ୍ୟାରେ ଶହ ଶହ ଚାଷୀଙ୍କ ଧାନ ଚାଷ ଉଜୁଡ଼ି ଯାଇଛି । ନଷ୍ଟ ହୋଇଥିବା ଧାନକେଣ୍ଡା ଦେଖାଇ ନବୀନଙ୍କୁ ନିଜର ଦୁଃଖ ଜଣାଇଛନ୍ତି ଚାଷୀ । କ୍ଷତିଗ୍ରସ୍ତ ଚାଷୀଙ୍କ ସହ କଥା ହୋଇ ଭାବପ୍ରବଣ ହୋଇପଡ଼ିଛନ୍ତି ନବୀନ ।
ଶେରଗଡ଼ ପରେ ହିଞ୍ଜିଳିକାଟୁ ବ୍ଲକ୍ ର ନୂଆବୁରୁପଡ଼ା ଗ୍ରାମ ପଞ୍ଚାୟତ, ଆସିକା ଓ ସୋରଡ଼ା ବ୍ଲକ୍ ର ବାଲିଗୋଛା ଅଞ୍ଚଳ ଗସ୍ତ କରିଛନ୍ତି ବିଜେଡି ସୁପ୍ରିମୋ । ଶେରଗଡ ଭଳି ହିଞ୍ଜିଳିରେ ବି ନବୀନଙ୍କୁ ଭେଟିବାକୁ ଲୋକଙ୍କ ଜନ ସମୁଦ୍ର । ନବୀନଙ୍କୁ ଦେଖି ଭାବପ୍ରବଣ ହୋଇଛନ୍ତି ହିଞ୍ଜିଳିବାସୀ । ବାତ୍ୟା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷଜମି ଜଳମଗ୍ନ ହେବା ସହ ବ୍ୟାପକ ଫସଲ କ୍ଷୟକ୍ଷତି ଘଟିଛି । ଅନେକ ଚାଷୀଙ୍କ ଜୀବିକା ପ୍ରଭାବିତ ହୋଇଛି । ବନ୍ୟା ପାଣି ଯୋଗୁଁ ଘରଦ୍ୱାର, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏଭଳି ସ୍ଥିତିରେ ନବୀନଙ୍କ ଗସ୍ତକୁ ନେଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୁରୁତ୍ୱ ବଢ଼ିଛି । ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ମଧ୍ୟ ଅନୁଧ୍ୟାନ କରୁଛନ୍ତି ନବୀନ ।
ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ କିଭଳି ସହାୟତା ମିଳୁଛି, ଚାଷୀଙ୍କ କ୍ଷୟକ୍ଷତିର ସ୍ଥିତି କ’ଣ ରହିଛି ଏବଂ ପୁନରୁଦ୍ଧାର କାର୍ଯ୍ୟ କେତେଦୂର ଆଗେଇଛି, ସେସବୁ ବିଷୟରେ ପଚାରି ବୁଝିଛନ୍ତି । ସୂଚନା ଅନୁଯାୟୀ ଶନିବାର ପୂର୍ବାହ୍ଣ ୧୦ଟା ୦୫ରେ ଭୁବନେଶ୍ୱର ବିମାନବନ୍ଦରୁ ହେଲିକପ୍ଟର ଯୋଗେ ଶେରଗଡ଼ସ୍ଥିତ ମହାତ୍ମା ଗାନ୍ଧୀ ହାଇସ୍କୁଲ ପଡ଼ିଆରେ ଯାତ୍ରା କରିଥିଲେ। ସେଠାରେ ପୂର୍ବାହ୍ଣ ୧୧ଟାରେ ପହଞ୍ଚିବା ପରେ ଶେରଗଡ଼ ସହର ଓ ଆଖପାଖ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସହ ବନ୍ୟା ବିପନ୍ନଙ୍କ ସାଙ୍ଗରେ ଆଲୋଚନା କରି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। । ମଧ୍ୟାହ୍ନ ୧୨ଟା ୦୫ରେ ହିଞ୍ଜିଳି ମିନି ଷ୍ଟାଡିୟମ୍ରେ ପହଞ୍ଚି ନୂଆ-ବୁରୁପଡ଼ା ପଞ୍ଚାୟତ ପରିଦର୍ଶନ କରିଥିଲେ।
କ୍ଷେତରେ ଲହଡ଼ି ଭାଙ୍ଗୁଥିବା ସୁନା ରଙ୍ଗର ଧାନକେଣ୍ଡା ଆଜି କାଦୁଅ ପାଣିରେ ସଢ଼ୁଛି। ବାତ୍ୟା ‘ଅର୍ଣ୍ଣବ’ ଏବଂ ତା’ ପରବର୍ତ୍ତୀ ପ୍ରଳୟଙ୍କାରୀ ବନ୍ୟା ଗଞ୍ଜାମ ଜିଲ୍ଲାର ହଜାର ହଜାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ସର୍ବସ୍ୱ ହରାଇ ଆଖିରୁ ଲୁହ ଗଡ଼ାଉଥିବା ଏହି ଅସହାୟ ଚାଷୀ ଓ ବନ୍ୟା ବିପନ୍ନଙ୍କ ଦୁଃଖ ଶୁଣିବା ପାଇଁ ଆଜି ନିଜେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି ।






