ମନୋରଞ୍ଜନ
ଓଡ଼ିଶା
ମଧ୍ୟରାତିରେ ଆଠଗଡ଼ରେ ହାତୀ ଆତଙ୍କ: ବାରିକେଡ୍ ଭାଙ୍ଗି ଏନଏଚ-୫୫ ପାର୍ ହେଲା ଗଜରାଜ
ଆଠଗଡ଼: ବ୍ୟାରିକେଡ୍ ଭାଙ୍ଗି ରାଜପଥ ପାର ହେଲା ହାତୀ । କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏକ ବନ୍ୟ ହାତୀର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଖୁଣ୍ଟୁଣୀ ବନଖଣ୍ଡ ଅନ୍ତର୍ଗତ ଓରନ୍ଦା ନିକଟରେ ଏକ ହାତୀ ଜାତୀୟ ରାଜପଥ-୫୫ରେ ଥିବା ସୁରକ୍ଷା ବାରିକେଡ୍ ଭାଙ୍ଗି ରାସ୍ତା ପାର୍ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବଂ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଏହି ହାତୀଟି ଜଙ୍ଗଲରୁ ବାହାରି ଆସି ହଠାତ୍ ରାଜପଥ ଉପରକୁ ଚାଲି ଆସିଥିଲା। ରାସ୍ତା ପାର୍ଶ୍ୱରେ ଲଗାଯାଇଥିବା ଲୁହା ବାରିକେଡ୍କୁ ହାତୀଟି ଅତି ସହଜରେ ଭାଙ୍ଗି ଦେଇ ରାସ୍ତା ଅତିକ୍ରମ କରିଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ଗାଡ଼ି ଚାଳକମାନେ ଭୟଭୀତ ହୋଇ ଗାଡ଼ି ଅଟକାଇ ଦେଇଥିଲେ। ହାତୀର ଏହି କାର୍ଯ୍ୟକଳାପର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଏହି ଘଟଣା ପରେ NH-55 ଦେଇ ଯାତ୍ରା କରୁଥିବା ପଥିକଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ରାତି ସମୟରେ ହାତୀମାନେ ରାସ୍ତା ପାର୍ ହେଉଥିବାରୁ ଦୁର୍ଘଟଣାର ଆଶଙ୍କା ରହୁଛି। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ହାତୀ-ମଣିଷ ସଂଘର୍ଷର ଅନେକ ଉଦାହରଣ ରହିଛି।
ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ବନ ବିଭାଗକୁ ଅନୁରୋଧ କରିଛନ୍ତି। ବିପଦସଙ୍କୁଳ ସ୍ଥାନଗୁଡ଼ିକରେ ଆଲୋକୀକରଣ ଏବଂ ସତର୍କ ସୂଚନା ଫଳକ ଲଗାଇବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି ହୋଇଛି।






