ମନୋରଞ୍ଜନ
ଓଡ଼ିଶା
ପୁଣି ରାଜଧାନୀରେ ଫୁଟିଲା ଗୁଳି, ଗଡିଲା ମୁଣ୍ଡ: ପଏଣ୍ଟ ବ୍ଲାଙ୍କରୁ ଫାୟାରିଂ, ଯୁବକ ମୃତ
ଭୁବନେଶ୍ୱର: ପୁଣି ଅଶାନ୍ତ ରାଜଧାନୀ । ଦୀପାବଳି ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର । ବିଚ୍ ରାସ୍ତାରେ ପଏଣ୍ଟ ବ୍ଲାଙ୍କରୁ ଯୁବକଙ୍କୁ ଗୁଳି କରି ହତ୍ୟା । ଲକ୍ଷ୍ମୀସାଗର କଟକ ରୋଡରେ ଗୁଳିକାଣ୍ଡ । ଶିଶୁପାଳଗଡ଼ ଗୁଳିକାଣ୍ଡର ମାତ୍ର ୨୪ ଘଣ୍ଟା ନପୁରୁଣୁ ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଗୁଳିକାଣ୍ଡ ଘଟିଛି। ବମିଖାଲ ଓଭରବ୍ରିଜ୍ ଉପରେ ଜଣେ ଯୁବକଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହଳଦୀପଡିଆ ଅଞ୍ଚଳର ସୋନୁ ନାୟକ ବୋଲି ଜଣାପଡିଛି। ଦିନ ଦ୍ୱିପ୍ରହରରେ ଏଭଳି ଘଟଣା ରାଜଧାନୀର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୩ଟା ସମୟରେ ସୋନୁ ତାଙ୍କର ଚାରି ଜଣ ସାଙ୍ଗଙ୍କ ସହ ଏକ ଗାଡ଼ିରେ ରସୁଲଗଡ଼ ପେଟ୍ରୋଲ ପମ୍ପକୁ ତେଲ ପକାଇବା ପାଇଁ ଯାଉଥିଲେ। ଏହି ସମୟରେ ବୋମିଖାଲ ଓଭରବ୍ରିଜ୍ ଉପରେ କିଛି ଅଜ୍ଞାତ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। କୌଣସି କଥା ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ସୋନୁଙ୍କ ମୁଣ୍ଡକୁ ଅତି ନିକଟରୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ସୋନୁଙ୍କର ମୃତ୍ୟୁ ଘଟିଥିଲା ଏବଂ ଅପରାଧ ଘଟାଇବା ପରେ ଅଭିଯୁକ୍ତମାନେ ସେଠାରୁ ତୁରନ୍ତ ଫେରାର ହୋଇଯାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଲକ୍ଷ୍ମୀସାଗର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ କମିଶନର ଏବଂ ଡିସିପି ନିଜେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜୋନାଲ ଏସିପି ଏବଂ ସ୍ପେଶାଲ ସ୍କ୍ୱାଡ୍ ଅଧିକାରୀମାନେ ମଧ୍ୟ ବିଭିନ୍ନ ଦିଗରୁ ମାମଲାର ତଦନ୍ତ କରୁଛନ୍ତି।
ଏହି ମାମଲାରେ ପୋଲିସ ଏବେ ସୁଦ୍ଧା ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।






