ଭୁବନେଶ୍ୱରରେ ଅଳଙ୍କାର ଦୋକାନରୁ ଲୁଟ୍ ଉଦ୍ୟମ: ସଫ୍ଟୱେୟାର ଇଞ୍ଜିନିୟର ସମେତ ୨ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଅଳଙ୍କାର ଦୋକାନରୁ ଲୁଟ୍ ଉଦ୍ୟମ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ଏହି ମାମଲାରେ ପୋଲିସ ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ସଫ୍ଟୱେୟାର ଇଞ୍ଜିନିୟରଙ୍କ ନାମ ପ୍ରେମାନନ୍ଦ ସାମଲ ବୋଲି ଜଣାପଡିଛି। ପୋଲିସର ସୂଚନା ଅନୁଯାୟୀ, ପ୍ରେମାନନ୍ଦ ହିଁ ଏହି ଲୁଟ୍ ଯୋଜନାର ମୁଖ୍ୟ ସୂତ୍ରଧର ଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ପ୍ରେମାନନ୍ଦ ଅନ୍ଲାଇନ୍ ଗେମିଂରେ ବହୁ ପରିମାଣର ଅର୍ଥ ହରାଇବା ପରେ ଏହି ଲୁଟ୍ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଆର୍ଥିକ କ୍ଷତି ଭରଣା କରିବା ପାଇଁ ସେ ଓଡ଼ିଶା ବାହାରୁ ଅପରାଧୀଙ୍କୁ ଭଡାରେ ଆଣି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଅଳଙ୍କାର ଦୋକାନକୁ ଟାର୍ଗେଟ କରିଥିଲେ।
ଗତ ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ହେଲମେଟ୍ ଓ ରେନକୋଟ୍ ପିନ୍ଧି ଦୋକାନ ଭିତରକୁ ପଶିଥିଲେ। ସେମାନେ ସେଠାରେ ଉପସ୍ଥିତ ଲୋକଙ୍କୁ ନକଲି ପିସ୍ତଲ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ତେବେ ସେହି ସମୟରେ ଦୋକାନ ମାଲିକ ଅନୁପସ୍ଥିତ ଥିଲେ ଏବଂ ସମସ୍ତ ସୁନା ଗହଣା ଲକର ଭିତରେ ସୁରକ୍ଷିତ ଥିଲା। ଫଳରେ ଲୁଟେରାମାନେ କୌଣସି ସାମଗ୍ରୀ ଲୁଟିବାରେ ବିଫଳ ହୋଇ ସେଠାରୁ ଫେରାର ହୋଇଯାଇଥିଲେ।
ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ସମସ୍ତ ଦୃଶ୍ୟ କଏଦ ହୋଇଥିଲା। ଏହାକୁ ଆଧାର କରି ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲା। ବାତ୍ୟା ‘ଅର୍ଣ୍ଣବ’ ସମୟରେ ସୃଷ୍ଟି ହୋଇଥିବା ବିଭ୍ରାଟର ସୁଯୋଗ ନେଇ ସେମାନେ ଏହି କାଣ୍ଡ ଭିଆଇବାକୁ ଲକ୍ଷ୍ୟ ରଖିଥିଲେ। ବର୍ତ୍ତମାନ ପୋଲିସ ଫେରାର ଥିବା ଅନ୍ୟ ଜଣେ ସହଯୋଗୀଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିବା ସହ ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ଅଧିକ ଖୋଳତାଡ କରୁଛି।






