ମନୋରଞ୍ଜନ
ବଲିଉଡ୍ ସେଲିବ୍ରିଟିଙ୍କୁ ମୁମ୍ବାଇ ପୋଲିସର ସତର୍କବାଣୀ: ଭିଡ଼ ମନା, ପ୍ରଶଂସକଙ୍କ ସହ ସେଲ୍ ଫି ବେଳେ ସାବଧାନ ରୁହନ୍ତୁ
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଙ୍କୁ ମୁମ୍ବାଇ ପୋଲିସର ସୁରକ୍ଷା ଆଡଭାଇଜରି ଜାରି । ବଲିଉଡ୍ ଷ୍ଟାରଙ୍କୁ ସର୍ବସାଧାରଣ ସ୍ଥାନକୁ ଯିବା ଓ ସେଠାରେ ଅଧିକ ସମୟ ବିତାଇବାରୁ ଦୂରେଇ ରହିବାକୁ ପରାମର୍ଶ । ସାଧାରଣ ସ୍ଥାନରେ ଯିବା ଆସିବା ବେଳେ ସତର୍କ ରହିବା ସହ ପ୍ରଶଂସକଙ୍କ ସହ ସେଲ୍ ଫି ନେବା ବେଳେ ବି ସାବଧାନ ରହିବାକୁ ପରାମର୍ଶ। ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ମୁମ୍ବାଇର ଜୁହୁ ଅଞ୍ଚଳରେ ଏକ ମରଣାନ୍ତକ ଆକ୍ରମଣ ପରେ ବଢ଼ିଛି ଚିନ୍ତା । ଏକ ଫୁଟବଲ ମ୍ୟାଚ୍ ସାରି ଫେରୁଥିବା ସମୟରେ କିଛି ଅଜ୍ଞାତ ଦୁର୍ବୃତ୍ତ ତାଙ୍କର BMW କାର୍ ଉପରକୁ ଗୁଳି ଚଳାଇଥିଲେ। ଏବେ ସେଲିବ୍ରିଟିଙ୍କ ସୁରକ୍ଷାକୁ ନେଇ ଆଲର୍ଟ ମୁମ୍ବାଇ ପୋଲିସ।
ଟାଇଗର ଶ୍ରଫଙ୍କୁ ଗୁଳିମାଡ ଘଟଣା ପରେ ମୁମ୍ବାଇ ପୋଲିସ ବଲିଉଡର ସମସ୍ତ କଳାକାରଙ୍କ ପାଇଁ ଏକ ସୁରକ୍ଷା ଆଡଭାଇଜରି ଜାରି କରିଛି। ପୋଲିସ ପକ୍ଷରୁ କଳାକାରମାନଙ୍କୁ ଭିଡ଼ ସ୍ଥାନକୁ ନଯିବାକୁ ଏବଂ ସର୍ବସାଧାରଣ ସ୍ଥାନରେ ପ୍ରଶଂସକଙ୍କ ସହ ମିଳାମିଶା ନକରିବାକୁ ପରାମର୍ଶ ଦିଆଯାଇଛି। ସେଲିବ୍ରେଟିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସତର୍କତା ମୂଳକ ପଦକ୍ଷେପ ନିଆଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
ସୂଚନା ଅନୁଯାୟୀ, ଅକ୍ଟୋବର ୧୮ ତାରିଖରେ ଟାଇଗରଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହେବା ପରେ ଜଣାପଡିଛି ଯେ, ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଘର ପାଖରେ ସନ୍ଦିଗ୍ଧ ବୁଲାବୁଲି କରୁଥିଲେ। ଅନେକ ବଲିଉଡ କଳାକାରଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ମଧ୍ୟ ଧମକ ମିଳିଛି। ଏହି ସ୍ଥିତିକୁ ଦେଖି ପୋଲିସ ବର୍ତ୍ତମାନ ହାଇଆଲର୍ଟରେ ରହିଛି ଏବଂ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।






