ବନ୍ୟା ପ୍ରଭାବିତ ଗଞ୍ଜାମ ପାଇଁ ତୁରନ୍ତ ରିଲିଫ ଓ ଥଇଥାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ହୋଇଥିବା ବନ୍ୟା ପରିସ୍ଥିତି ଏବଂ ଏହାର ପରବର୍ତ୍ତୀ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନିକଟରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ତୁରନ୍ତ ରିଲିଫ, ଥଇଥାନ ଏବଂ ପୁନରୁଦ୍ଧାର ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଗତ ନଭେମ୍ବର ୭ ତାରିଖରେ ନବୀନ ପଟ୍ଟନାୟକ ହିଞ୍ଜିଳି, ଶେରଗଡ଼, ଆସିକା ଏବଂ ସୋରଡ଼ା ଆଦି ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ଏହି ସମୟରେ ସେ ଚାଷୀ, ମହିଳା, କ୍ଷୁଦ୍ର ବ୍ୟବସାୟୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ବନ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ବିଷୟରେ ଅବଗତ ହୋଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ପ୍ରସ୍ତୁତିର ଅଭାବ ଏବଂ ଅବହେଳା ଯୋଗୁଁ ବନ୍ୟା ପରିସ୍ଥିତି ଜଟିଳ ହୋଇଛି, ଯାହା ଜିଲ୍ଲାକୁ ଅନେକ ବର୍ଷ ପଛକୁ ଠେଲି ଦେଇଛି।
ବନ୍ୟାକୁ ଏକ 'ମନୁଷ୍ୟକୃତ ସଙ୍କଟ' ଭାବେ ବର୍ଣ୍ଣନା କରି ନବୀନ ପଟ୍ଟନାୟକ କହିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗ ଆଗୁଆ ସତର୍କ ସୂଚନା ଦେଇଥିଲେ ମଧ୍ୟ ସରକାର ଉପଯୁକ୍ତ ସମୟରେ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିନଥିଲେ। ବର୍ଷା ଆରମ୍ଭ ହେବା ପରେ ଗେଟ୍ ଖୋଲିବା ଫଳରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଥିଲା। ଏଥିସହ ସ୍ଥାନୀୟ ଲୋକଙ୍କୁ ଠିକ୍ ସମୟରେ ସତର୍କ ସୂଚନା ଦିଆଯାଇ ନଥିବାରୁ ଅନେକ ଲୋକ ଦିନ ଦିନ ଧରି ପାଣି ଘେରରେ ଖାଦ୍ୟ ଓ ପାନୀୟ ଜଳ ବିନା ଅସହାୟ ଅବସ୍ଥାରେ ରହିଥିଲେ।
ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପୂର୍ବତନ ସରକାରଙ୍କ ସମୟରେ ଗଢ଼ି ଉଠିଥିବା ସାମୁଦାୟିକ ଭିତ୍ତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା, ଯେଉଁଥିରେ ସରପଞ୍ଚ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ମିଶନ ଶକ୍ତି ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା, ତାହାକୁ ବର୍ତ୍ତମାନର ବିଜେପି ସରକାର ଅଣଦେଖା କରୁଛନ୍ତି। କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରେ ମଧ୍ୟ ସମାନ ଭାବେ ବନ୍ୟା ପରିଚାଳନାରେ ବିଫଳତା ଦେଖାଦେଇଛି ବୋଲି ସେ କହିଛନ୍ତି।
ଶେଷରେ, ବିରୋଧୀ ଦଳ ନେତା ଦାବି କରିଛନ୍ତି ଯେ ସରକାର ନିଜର ଦୋଷ ସ୍ୱୀକାର କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ। ଯଦି ସରକାର ଉଚିତ ପଦକ୍ଷେପ ନ ନିଅନ୍ତି, ତେବେ ବିଜେଡି ଏହି ପ୍ରସଙ୍ଗକୁ ଗାଁ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁ ସ୍ତରରେ ଉଠାଇବ ବୋଲି ସେ ଚେତାବନୀ ଦେଇଛନ୍ତି।






