ଦିଗ ବଦଳାଉଛି ଘୂର୍ଣ୍ଣିବଳୟ: ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ଭୀଷଣ ବର୍ଷା ଆଶଙ୍କା

Madhusudan Das Picture
Published On

ଭୁବନେଶ୍ୱର: ଥାଇଲାଣ୍ଡ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ପରିବର୍ତ୍ତେ ବିପରୀତ ଦିଗ ମୁହାଁ ହୋଇ ଲାୱସ ଉପରେ କେନ୍ଦ୍ରୀଭୂତ ରହିଛି। ଏହି ଘୂର୍ଣ୍ଣିବଳୟ ଆଜି ସୁଦ୍ଧା ଆଣ୍ଡାମାନରେ ପ୍ରବେଶ କରିବ ଓ ୧୯ରେ ଏହା ପ୍ରଭାବରେ ସମାନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବରୁ ଆଇଏମ୍‌ଡି କହିଥିଲା। ମାତ୍ର ୧୦୦୦ କି.ମିର ଦୂରତାକୁ ଦେଖିଲେ ଗୋଟିଏ ଦିନ ମଧ୍ୟରେ ଏହା ଆଣ୍ଡାମାନରେ ପ୍ରବେଶ କରିବା ଏକ ପ୍ରକାର ଅସମ୍ଭବ ଲାଗୁଛି। ଏହା ବ୍ୟତୀତ ପ୍ରାରମ୍ଭିକ ଭାବେ ଏହା ଆଣ୍ଡାମାନ ପରିବର୍ତ୍ତେ ବିପରିତ ଦିଗକୁ ଗତି କରିଥିବା ହେତୁ ଏହାର ଗତିପଥକୁ ନେଇ ମଧ୍ୟ ଦ୍ୱନ୍ଦାତ୍ମକ ସ୍ଥିତି ସୃଷ୍ଟି ହୋଇଛି।    

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ଖୋଲିବ ଓରାଙ୍ଗଉଟାନ ରହସ୍ୟ: ଦୀଘା ହୋଟେଲ୍‌ରେ ଛାନ୍‌ଭିନ୍‌, ୩ ଜଣଙ୍କୁ ଉଠାଇଆଣିଲା ଏସ୍‌ଟିଏଫ୍‌

ଅନ୍ୟପଟେ ଏହି ଲଘୁଚାପ ସୃଷ୍ଟି ହେଲେ ବାତ୍ୟାରେ ପରିଣତ ହେବ କି ନାହିଁ ତାକୁ ନେଇ ଏବେ ବି ଜୋର୍‌ଦାର୍‌ ଚର୍ଚ୍ଚା ଜାରି ରହିଛି। ଏହି ଚର୍ଚ୍ଚା ମଧ୍ୟରେ ଆଜି ଆଇଏମ୍‌ଡି ପକ୍ଷରୁ ୨ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପରିସର ଆକଳନ ରିପୋର୍ଟରେ ଦର୍ଶାଯାଇଛି ଯେ ୧୮ ସେପ୍ଟେମ୍ୱର ସନ୍ଧ୍ୟାରେ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବ। ଏହାର ପ୍ରଭାବରେ ସମାନ ଅଞ୍ଚଳରେ ପ୍ରାୟ ୧୯ ସେପ୍ଟେମ୍ୱର ସନ୍ଧ୍ୟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଅର୍ଥାତ ୨୧-୨୨ ମଧ୍ୟରେ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବ। ପରବର୍ତ୍ତୀ ୩-୪ ଦିନ ମଧ୍ୟରେ ଏହି ଅବପାତ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼କୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେବାର ସମ୍ଭାବନା ରହିଛି। ଆଇଏମ୍‌ଡି ପକ୍ଷରୁ ପ୍ରାଥମିକ ଭାବେ ଏହାକୁ ଅବପାତରେ ପରିଣତ ହେବା ପରେ ଘନୀଭୂତ ହେବ କି ନାହଁ ତାହା ସ୍ପଷ୍ଟ କରାଯାଇ ନାହିଁ। ତେଣୁ ବାତ୍ୟାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଆଇଏମ୍‌ଡିକର ଆକଳନ ଖୋରାକ ଯୋଗାଉ ନାହିଁ। 

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

ଆଇଏମ୍‌ଡି ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓଡ଼ିଶାରେ ପ୍ରବଳ ବର୍ଷା କରାଇବାର ସମ୍ଭାବନା ରହିଛି। ତେବେ ଲଘୁଚାପ ସୃଷ୍ଟି ହେବା ପୂର୍ବରୁ ବାତ୍ୟା ପୂର୍ବାନୁମାନ କରିବା ଉପଯୁକ୍ତ ନୁହେଁ। କୌଣସି ସଂଗଠନ ଦ୍ୱାରା ଜାରି ବାତ୍ୟା ପୂର୍ବାନୁମାନକୁ ନେଇ ଲୋକମାନେ ଭୟଭୀତ ହେବା ଉଚିତ୍‌ ନୁହେଁ। ଭାରତୀୟ ପାଣିପାଗ ବିଭାଗ ଲଗାତାର ଏହି ପାଣିପାଗ ସିଷ୍ଟମ୍‌ ଉପରେ ନଜର ରଖିଛି। ଯଦି ଏହାର ତୀବ୍ରତା କିମ୍ୱା ଗତିପଥରେ କୌଣସି ପରିବର୍ତ୍ତନ ହୁଏ, ତେବେ ବିଭାଗ ନିର୍ଦ୍ଧାରିତ ସମୟ ପୂର୍ବରୁ ସୂଚନା ଜାରି କରିବ। 

ଆହୁରି ପଢ଼ନ୍ତୁ: କାମ ଦେଲା ୪ ପିସିଆର୍‌‌ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି; ଭିଡ଼ହିଂସାରୁ ବର୍ତ୍ତିଗଲା ଯୁବକଙ୍କ ଜୀବନ

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୯ ତାରିଖର ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ବିଭିନ୍ନ ମଡେଲ୍‌ରୁ ଜଣାପଡ଼ୁଛି, ୨୩ କିମ୍ବା ୨୪ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହେବ। ଏମିତି କି ଏହା ଆହୁରି ଘନୀଭୂତ ହୋଇ ବାତ୍ୟା ହେବାର ଆଶଙ୍କାକୁ ମଧ୍ୟ ଏବେଠୁଁ ଏଡ଼ାଇ ଦେଇ ହେବନାହିଁ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଗତିପଥ ଓ ତୀବ୍ରତା ସ୍ଥିର ହୋଇନାହିଁ। ଓଡ଼ିଶାରେ ଏହାର ପ୍ରଭାବ ୨୨ ତାରିଖରୁ ପଡ଼ିବ। ଫଳରେ ରାଜ୍ୟରେ ବର୍ଷା ବଢ଼ିପାରେ ଏବଂ ୨୩ରୁ ୨୫ ତାରିଖ ମଧ୍ୟରେ ସବୁଠୁ ଅଧିକ ବର୍ଷା ହୋଇପାରେ। ରାଜ୍ୟର ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରଥମେ ଅଧିକ ବର୍ଷା ହୋଇ, ପରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାକୁ ବର୍ଷା ବ୍ୟାପିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର