ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ହୋଇ ଓଲଟିଲା ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବସ୍, ୨ ଗୁରୁତର
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବଜାର ନିକଟରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ-୧୮ରେ ଏକ ଦିଲ୍ଲୀ ଅଭିମୁଖୀ ଘରୋଇ ବସ୍ ଓଲଟି ପଡ଼ିବା ଫଳରେ ଦୁଇ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, 'ଶ୍ୟାମଳୀ' ନାମକ ଏକ ଘରୋଇ ବସ୍ ଦିଲ୍ଲୀ ଅଭିମୁଖେ ଯାଉଥିବା ସମୟରେ ବୁଧବାର ପ୍ରାୟ ରାତି ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବସ୍ଟି ଭାରସାମ୍ୟ ହରାଇ ଏକ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଏହି ସମୟରେ ବସ୍ ମଧ୍ୟରେ ଅନେକ ଯାତ୍ରୀ ଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇ ଜଣ ଯାତ୍ରୀ ବସ୍ ଭିତରେ ଫସି ରହିଥିଲେ ଏବଂ ଅନ୍ୟ କେତେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି।
ଘଟଣାସ୍ଥଳରେ ଝାରପୋଖରିଆ ପୋଲିସ ସମେତ ସାରସକଣା ଏବଂ ବଙ୍ଗିରିପୋଷିର ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ୍ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ଗୁରୁତର ଭାବେ ଆହତ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ତୁରନ୍ତ ସିରସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।






