ମନୋରଞ୍ଜନ
ଓଡ଼ିଶା
ଲାଞ୍ଚ ନେଇ ORS ଅଧିକାରୀ ଗିରଫ: ବିଭାଗୀୟ ସହକର୍ମୀଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ; ଚାକିରି କାଳରେ ସ୍ୱଚ୍ଛତା ବଜାଇ ରଖିବାକୁ ଅପିଲ୍
ଭୁବନେଶ୍ୱର: ରାଜସ୍ୱ ବିଭାଗର ଜଣେ ଯୁବ ଓଡ଼ିଶା ରାଜସ୍ୱ ସେବା (ଓଆରଏସ) ଅଧିକାରୀ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ) ଡକ୍ଟର ଅରବିନ୍ଦ କୁମାର ପାଢୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ବିଭାଗୀୟ ସହକର୍ମୀମାନଙ୍କୁ ଏକ ଖୋଲା ଚିଠି ଲେଖି ସତର୍କ କରାଇ ଦେଇଛନ୍ତି।
ନିକଟରେ ଓଆରଏସ ଅଧିକାରୀ ମନୀଷା ମିଶ୍ର ପ୍ରଶିକ୍ଷଣ ସମୟରେ ଲାଞ୍ଚ ନେଇ ଧରାପଡିବା ଘଟଣାକୁ ଡକ୍ଟର ପାଢୀ ଅତ୍ୟନ୍ତ ଲଜ୍ଜାଜନକ ଏବଂ ନିନ୍ଦନୀୟ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ସରକାର ଦୁର୍ନୀତି ବିରୋଧରେ 'ଶୂନ୍ୟ ସହନଶୀଳତା' (Zero Tolerance) ନୀତି ଅନୁସରଣ କରୁଛନ୍ତି। ଜଣେ ବ୍ୟକ୍ତିର ଦୁର୍ନୀତି ପୁରା ବିଭାଗର ସମ୍ମାନକୁ କ୍ଷୁଣ୍ଣ କରେ ଏବଂ ସାଧାରଣ ଜନତାଙ୍କ ଭରସା ଭାଙ୍ଗିଦିଏ। ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ଓ ସାଧୁତା ବଜାୟ ରଖିବା ପାଇଁ ଶପଥ ନେବା ସତ୍ତ୍ୱେ ଏଭଳି କାର୍ଯ୍ୟ ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ ପ୍ରକାଶ କରିଛନ୍ତି।
ଡକ୍ଟର ପାଢୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସରକାରୀ ଚାକିରି କେବଳ ଜୀବିକା ନିର୍ବାହର ମାଧ୍ୟମ ନୁହେଁ, ବରଂ ଏହା ଜନସାଧାରଣଙ୍କ ସେବା କରିବାର ଏକ ମହତ ସୁଯୋଗ। ଅଧିକାରୀଙ୍କୁ କଳଙ୍କିତ କରିଥାଏ 'ଦୁର୍ନୀତି', ବିଭାଗର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୁଏ' । ପ୍ରଶାସନ ଓ ସରକାରୀ ବ୍ୟବସ୍ଥା ଉପରେ ବିଶ୍ୱାସ ରହେନାହିଁ । ଲାଞ୍ଚ ନେଉଥିବା କର୍ମଚାରୀଙ୍କ ବିରୋଧରେ ଚାକିରିରୁ ବହିଷ୍କାର ଭଳି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସଚ୍ଚୋଟତାର ସହ କାମ କରୁଥିବା ଅଧିକାରୀମାନଙ୍କୁ ବିଭାଗ ସବୁବେଳେ ସୁରକ୍ଷା ପ୍ରଦାନ କରିବ ଏବଂ ବାହ୍ୟ ଚାପରୁ ରକ୍ଷା କରିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।
ବିଭାଗୀୟ ମୁଖ୍ୟ ଭାବେ ଡକ୍ଟର ପାଢୀ ସମସ୍ତ ଅଧିକାରୀଙ୍କୁ ଆତ୍ମସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, କ୍ଷମତା କିମ୍ବା ଅସାଧୁ ଉପାୟରେ ଅର୍ଜିତ ସମ୍ପତ୍ତି ଅପେକ୍ଷା ଶାନ୍ତିପୂର୍ଣ୍ଣ ଜୀବନ, ସ୍ୱଚ୍ଛ ବିବେକ ଓ ଆତ୍ମସମ୍ମାନର ମୂଲ୍ୟ ଅଧିକ। ସମସ୍ତେ ମିଶି ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ରାଜସ୍ୱ ବିଭାଗ ଗଠନ କରିବାକୁ ଏବଂ ବିଭାଗ ପ୍ରତି ଜନସାଧାରଣଙ୍କ ଧାରଣା ବଦଳାଇବାକୁ ସେ ଆହ୍ୱାନ ଦେଇଛନ୍ତି।






