ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୨ ମୃତ, ୬ ଆକ୍ରାନ୍ତ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଧରାକୋଟ ଅନ୍ତର୍ଗତ ପାଠଶାଳା ମଲିକ ସାହିରେ ଝାଡ଼ାବାନ୍ତି ଆତଙ୍କ ଖେଳାଇଛି। ଏହି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା କାରଣରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥିତ ଏମକେସିଜି (MKCG) ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଝାଡ଼ାବାନ୍ତି ବ୍ୟାପିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ଲିଚିଂ ପାଉଡର ପକାଯାଉଛି। ଏହା ସହିତ ଗାଁରୁ ପାନୀୟ ଜଳ ଏବଂ ଅନ୍ୟାନ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଆକ୍ରାନ୍ତ ବ୍ୟକ୍ତିମାନେ ଏକ ଭୋଜିରେ ଯୋଗ ଦେବା ପାଇଁ ପୋଡ଼ାମାରି ଯାଇଥିଲେ। ପ୍ରାୟ ୧୫ ଦିନ ତଳେ ମାର୍ଥାପୁର ଗାଁର ଜଣେ ବ୍ୟକ୍ତି ଏକ ଏକାଦଶାହ ଭୋଜିରେ ଯୋଗ ଦେବାର ଦୁଇ ଦିନ ପରେ ପ୍ରାଣ ହରାଇଥିଲେ। ଗତ ବୁଧବାର ଦିନ ପାଠଶାଳା ମଲିକ ସାହିର ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଅସୁସ୍ଥତା ଏବଂ ମୃତ୍ୟୁର କାରଣ ଭୋଜି ଖାଦ୍ୟ ନା ଦୂଷିତ ଜଳ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଲାବୋରେଟୋରୀ ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ଝାଡ଼ାବାନ୍ତି ବ୍ୟାପିବାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ ପ୍ରକାଶ କରିଛନ୍ତି।






