ମନୋରଞ୍ଜନ
ବଦଳିଲା ବାତ୍ୟା 'ଅକୱାନ'ର ଗତିପଥ ! ନରସାପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ବାତ୍ୟା 'ଅକୱାନ' ଏବେ ଓଡ଼ିଶା ମୁହାଁ ହେଉଛି। ଭାରିତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଏହି ବାତ୍ୟା ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ପୁରୀ ଏବଂ ଆନ୍ଧ୍ରପ୍ରଦେଶର ନରସାପୁର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
IMDର ସଂଶୋଧିତ ପୂର୍ବାନୁମାନ ଅନୁଯାୟୀ, ବର୍ତ୍ତମାନ ଏହି ଭୟଙ୍କର ବାତ୍ୟା ଦକ୍ଷିଣ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଏହା ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଜାତୀୟ ବୁଲେଟିନ୍ ନମ୍ବର ୨୨ ଅନୁସାରେ, ଏହା ଏକ ଭୟଙ୍କର ସାମୁଦ୍ରିକ ଝଡ଼ ଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଗତି କରିବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର ରହିବ, ଯାହାକି ପରେ ୧୧୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ଆଜି ସକାଳ ୮.୩୦ ସୁଦ୍ଧା ବାତ୍ୟା 'ଅକୱାନ' ଗୋପାଳପୁରଠାରୁ ପ୍ରାୟ ୭୧୦ କିଲୋମିଟର ଦୂରରେ ଏବଂ ପୁରୀଠାରୁ ୭୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ସେହିପରି ଏହା ବିଶାଖାପାଟନମଠାରୁ ୫୮୦ କିଲୋମିଟର ଏବଂ ମଛଲିପଟନମଠାରୁ ୫୯୦ କିଲୋମିଟର ଦୂରରେ ରହିଛି। ପୂର୍ବରୁ ଏହା ନେଲୋର ଓ ବିଶାଖାପାଟନମ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ଅନୁମାନ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହାର ଗତିପଥ ଓଡ଼ିଶା ଆଡ଼କୁ ଅଧିକ ଢଳିଛି।
ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ନଭେମ୍ବର ୧୯ ଏବଂ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ୨୧ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ ବୋଲି ଚେତାବନୀ ଦିଆଯାଇଛି। ଉତ୍ତର ଓଡ଼ିଶାରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଏହି ବର୍ଷା ପ୍ରକ୍ରିୟା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।






