ବଜେଟର ୩୬% ଖର୍ଚ୍ଚ ଡବଲ ଇଞ୍ଜିନ ସରକାରର ଅପରାଗତା, ଅସହାୟତା ଓ ବିଫଳତା: ବିଜେଡି
'ସରକାର ବଡ଼ ବଡ଼ ଘୋଷଣା କରୁଛନ୍ତି, କିନ୍ତୁ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନାହିଁ'
ଭୁବନେଶ୍ୱର: ଅକ୍ଟୋବେର ୨୦୨୬ ସୁଦ୍ଧା ବଜେଟର ୩୬% ଖର୍ଚ୍ଚ ହେବା ଡବଲ ଇଞ୍ଜିନ ସରକାରଙ୍କ ଆର୍ଥିକ ଓ ପ୍ରଶାସନିକ ବିଫଳତା । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ବିପୁଳ ପରିମାଣର ଅର୍ଥ ଥିବା ସତ୍ତ୍ୱେ ସରକାର ମାତ୍ର ୩୬ ପ୍ରତିଶତ ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି । ଏହା କେବଳ ଆର୍ଥିକ ପରିଚାଳନାରେ ଚରମ ବିଫଳତା ନୁହେଁ, ବରଂ ଓଡ଼ିଶାର ସାଧାରଣ ନାଗରିକ, ଚାଷୀ, ଯୁବକ, ମହିଳା ଓ ଜନତାଙ୍କ ପ୍ରତି ସରକାରଙ୍କ ଅବହେଳା ଓ ଦାୟିତ୍ୱହୀନତାର ସ୍ପଷ୍ଟ ପ୍ରମାଣ ।
ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟରେ ଉଭୟ ବିଜେପି ସରକାର ଥିବା ସତ୍ତ୍ୱେ, ରାଜ୍ୟରେ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ବଜେଟରେ ବ୍ୟୟବରାଦ ଅର୍ଥ ଖର୍ଚ୍ଚ ନ ହେବା ଫଳରେ ରାସ୍ତାଘାଟ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପାନୀୟଜଳ, ଗ୍ରାମୀଣ ବିକାଶ ଓ ରୋଜଗାର ସୃଷ୍ଟି ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି । ବିଶେଷକରି କେତେକ ବିଭାଗରେ ବଜେଟରେ ବ୍ୟୟବରାଦ ଅର୍ଥ ମାତ୍ର ୨୦ ପ୍ରତିଶତ ଖର୍ଚ୍ଚ ହୋଇଛି । ଏହି ବିଭାଗଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମୀଣ ବିକାଶ, କୃଷି ଓ କୃଷକ ସଶକ୍ତିକରଣ, ପାନୀୟଜଳ ଓ ସ୍ୱଚ୍ଛତା ତଥା ଶିକ୍ଷା ବିଭାଗ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି । ଫଳରେ ହସ୍ପିଟାଲରେ ଔଷଧ ଓ ଯନ୍ତ୍ରପାତି ଅଭାବ, ଗ୍ରାମୀଣ ରାସ୍ତା ବିପର୍ଯ୍ୟସ୍ତ, ଚାଷୀଙ୍କ ପାଇଁ ସହାୟତାରେ ବିଳମ୍ୱ ଓ ବିଦ୍ୟାଳୟରେ ମୌଳିକ ସୁବିଧାର ଅଭାବ ସୃଷ୍ଟି ହୋଇଛି । ଏହି ଆର୍ଥିକ ବିଫଳତାର ମୂଳ କାରଣ ହେଉଛି ସରକାରଙ୍କ ପ୍ରଶାସନିକ ଦୁର୍ବଳତା ଓ ରାଜନୈତିକ ଅସ୍ଥିରତା । ଆଜି ମଧ୍ୟ ମନ୍ତ୍ରୀମଣ୍ଡଳ ଅଧା ରହିଛି । ୬ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ମନ୍ତ୍ରୀ ପଦବୀ ଖାଲି ପଡ଼ିଛି । ବିଭିନ୍ନ ନିଗମ, ବୋର୍ଡ ଓ କର୍ପୋରେସନର ଚେୟାରପର୍ସନ ପଦବୀ ମଧ୍ୟ ଦୀର୍ଘଦିନ ଧରି ଖାଲି ରହିଛି । ଯେଉଁଠି ନେତୃତ୍ୱ ନାହିଁ, ସେଠି କିପରି ଯୋଜନା କାର୍ଯ୍ୟକାରୀ ହେବ?
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ବିଭାଗୀୟ ସଚିବଙ୍କ ବାରମ୍ୱାର ବଦଳି ହେବା ଫଳରେ ପ୍ରଶାସନିକ ନିରନ୍ତରତା ଭାଙ୍ଗି ଯାଇଛି । ଗୋଟିଏ ସଚିବ ଗୋଟିଏ ବିଭାଗରେ ଆସିବା ପୂର୍ବରୁ ଅନ୍ୟ ବିଭାଗକୁ ସ୍ଥାନାନ୍ତରିତ ହୋଇଯାଉଛନ୍ତି । ଏହା ଫଳରେ ନୀତି ନିର୍ଦ୍ଧାରଣ, ଯୋଜନା କାର୍ଯ୍ୟାନ୍ୱୟନ ଓ ବଜେଟ ବ୍ୟୟ ଉଭୟ ପ୍ରଭାବିତ ହୋଇଛି । ଡବଲ ଇଞ୍ଜିନ ସରକାର ବଡ଼ ବଡ଼ ଘୋଷଣା କରୁଛନ୍ତି, କିନ୍ତୁ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନାହିଁ । ବଜେଟରେ ଟଙ୍କା ରହିଛି, କିନ୍ତୁ ତାହା ଖର୍ଚ୍ଚ ହେଉନାହିଁ । ଏହାର ଅର୍ଥ ହେଉଛି ଯେ, ସରକାର କାର୍ଯ୍ୟକ୍ଷମ ନୁହେଁ । ଏହି ଆର୍ଥିକ ଓ ପ୍ରଶାସନିକ ଦୁର୍ଦ୍ଦଶା ପାଇଁ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଦାୟୀ । ତୁରନ୍ତ ଖାଲି ଥିବୀ ମନ୍ତ୍ରୀ ପଦ ପୂରଣ କରିବା ସହ ନିଗମ ଓ ବୋର୍ଡର ଚେୟାରପର୍ସନ ନିଯୁକ୍ତ କରନ୍ତୁ ସରକାର । ସଚିବଙ୍କ ବାରମ୍ୱାର ବଦଳି ବନ୍ଦ କରନ୍ତୁ ଏବଂ ବଜେଟର ଅବଶିଷ୍ଟ ଅର୍ଥକୁ ତୁରନ୍ତ ଖର୍ଚ୍ଚ କରି ବିକାଶ କାର୍ଯ୍ୟକୁ ଆଗକୁ ନିଅନ୍ତୁ ।






