ମନୋରଞ୍ଜନ
ବାତ୍ୟା ପାଇଁ ଭୁବନେଶ୍ୱର ବିମାନବନ୍ଦର ଆଲର୍ଟ, ଯାତ୍ରୀଙ୍କୁ ଫ୍ଲାଇଟ୍ ସ୍ଥିତି ଯାଞ୍ଚ କରି ଯାତ୍ରା କରିବାକୁ ପରାମର୍ଶ
ଭୁବନେଶ୍ୱର: ବାତ୍ୟା ‘ଅକୱାନ’ ର ପ୍ରଭାବକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ହାଇଆଲର୍ଟରେ ରହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବିମାନ ଚଳାଚଳ ବାତିଲ ହୋଇନାହିଁ। ବିମାନବନ୍ଦରର ସମସ୍ତ କାର୍ଯ୍ୟାବଳୀ ସ୍ୱାଭାବିକ ଭାବେ ଜାରି ରହିଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ଆବଶ୍ୟକୀୟ ପ୍ରସ୍ତୁତି ଶେଷ କରିଛନ୍ତି।
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର (SOP) ଏବଂ ବୈଷୟିକ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିମାନବନ୍ଦର ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେଉଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୨୦ କିଲୋମିଟର ରହିଛି। ପାଣିପାଗର ଗତିବିଧି ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ବିମାନବନ୍ଦରର ଷ୍ଟେକହୋଲଡର୍ସ କମିଟି ନିରନ୍ତର ନଜର ରଖିଛି।
ବାତ୍ୟା ‘ଅକୱାନ’ର ପ୍ରଭାବକୁ ହ୍ରାସ କରିବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ୫୮ଟି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପବନର ବେଗ ଯଦି ନିର୍ଦ୍ଧାରିତ ସୁରକ୍ଷା ସୀମା ଅତିକ୍ରମ କରେ, ତେବେ ହିଁ ବିମାନ ଚଳାଚଳ ସ୍ଥଗିତ ରଖିବା ନେଇ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ପୂର୍ବରୁ କୌଣସି ବିମାନ ବାତିଲ କରାଯିବାର ଯୋଜନା ନାହିଁ। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବାତ୍ୟା ପରିସ୍ଥିତିର ସମୀକ୍ଷା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ବିମାନବନ୍ଦର ନିର୍ଦ୍ଦେଶକ ଯାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ବିମାନବନ୍ଦରକୁ ଆସିବା ପୂର୍ବରୁ ସେମାନେ ନିଜ ନିଜ ବିମାନର ସ୍ଥିତି ଯାଞ୍ଚ କରି ନିଅନ୍ତୁ। ଅସୁବିଧାରୁ ବର୍ତ୍ତିବା ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ସହିତ ଯୋଗାଯୋଗ କରି ନୂତନ ସୂଚନା ପାଇବାକୁ କୁହାଯାଇଛି।






