ଯାତ୍ରା ଚାଲିଥିବା ବେଳେ ହଙ୍ଗାମା: ମଞ୍ଚକୁ ଉପରକୁ ହେଲା ଚେୟାର ମାଡ଼, ଅଧାରୁ ଅଟକିଲା ନାଟକ
ବାଲେଶ୍ୱର: ଯାତ୍ରା ମଞ୍ଚରେ ଉଡ଼ିଲା ଚେୟାର, ଅଧାରୁ ବନ୍ଦ ହେଲା ନାଟକ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ମାଛୁଆ ପଞ୍ଚାୟତରେ ଘଟିଛି ଏପରି ଅଭାବନୀୟ ଘଟଣା । 'ଯଜ୍ଞସେନୀ ଅପେରା' ପକ୍ଷରୁ ପରିବେଷିତ ହେଉଥିବା ‘ସନାତନୀ’ ନାଟକ ଚାଲିଥିବା ବେଳେ କିଛି ଦର୍ଶକ ଉତ୍ତ୍ୟକ୍ତ ହୋଇ ମଞ୍ଚ ଉପରକୁ ଚେୟାର ମାଡ଼ କରିଛନ୍ତି।
ସୂଚନା ଅନୁଯାୟୀ, ନାଟକର କିଛି ବିବାଦୀୟ ଦୃଶ୍ୟକୁ ନେଇ ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି କାରଣରୁ ପରିସ୍ଥିତି ଏପରି ହେଲା ଯେ କିଛି ଲୋକ ହଠାତ୍ କଳାକାରଙ୍କ ଉପରକୁ ଚେୟାର ଫିଙ୍ଗିବା ଆରମ୍ଭ କରିଥିଲେ। ଏହି ଘଟଣା ଯୋଗୁଁ ଯାତ୍ରା ପରିବେଷଣରେ ବ୍ୟାଘାତ ସୃଷ୍ଟି ହୋଇଥିଲା ଏବଂ ସେଠାରେ ଏକ ଭୟର ବାତାବରଣ ଖେଳିଯାଇଥିଲା।
ଏହି ଗଣ୍ଡଗୋଳ ଯୋଗୁଁ ଆୟୋଜକମାନେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ନାଟକକୁ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ପରିସ୍ଥିତି ସାମାନ୍ୟ ସୁଧୁରିବାରୁ ପୁଣି ଥରେ ଅଭିନୟ ଆରମ୍ଭ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ‘ସନାତନୀ’ ନାଟକ ଏହି ପ୍ରଥମ ଥର ପାଇଁ ନୁହେଁ, ବରଂ ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ଏହାର ବିଷୟବସ୍ତୁକୁ ନେଇ ବିବାଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି।






