ମେଟା ଅଫିସ୍ ଭଙ୍ଗାରୁଜା କଲା ଯୁବ କଂଗ୍ରେସ, ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣାକୁ ନେଇ ହଙ୍ଗାମା
ନୂଆଦିଲ୍ଲୀ: ତେଲେଙ୍ଗାନା ଯୁବ କଂଗ୍ରେସ କର୍ମୀମାନେ ହାଇଦ୍ରାବାଦ ସ୍ଥିତ ମେଟା (Meta) କ୍ୟାମ୍ପସରେ ପଶି ହଙ୍ଗାମା କରିଛନ୍ତି। ବରିଷ୍ଠ ଯୁବ ନେତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣା ଲଗାଯାଇଥିବା ଅଭିଯୋଗ କରି କର୍ମୀମାନେ ଅଫିସ ଭିତରେ ଫୁଲକୁଣ୍ଡ ଭାଙ୍ଗିବା ସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ଟେକ୍ ଜିଆଣ୍ଟ ମେଟା ବିରୋଧରେ ସ୍ଲୋଗାନ ଦେଇଛନ୍ତି।
ତେଲେଙ୍ଗାନା ଯୁବ କଂଗ୍ରେସ ସଭାପତି ଜାକିଡି ଶିବଚରଣ ରେଡ୍ଡୀଙ୍କ ନେତୃତ୍ୱରେ ପ୍ରତିବାଦକାରୀମାନେ ଅଫିସ ପରିସରରେ ପଶି ଗଣ୍ଡଗୋଳ କରିଥିଲେ। ସେଠାରେ ଥିବା କର୍ମଚାରୀଙ୍କ ସମ୍ମୁଖରେ ବିକ୍ଷୋଭକାରୀମାନେ କାର୍ଯ୍ୟାଳୟର ସାମଗ୍ରୀ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ପୋଲିସ ହସ୍ତକ୍ଷେପ କରି ପ୍ରାୟ ୨୦ ଜଣ କର୍ମୀଙ୍କୁ ଅଟକ ରଖିଛି।
ଭାରତୀୟ ଯୁବ କଂଗ୍ରେସ (IYC) ଜାତୀୟ ସଭାପତି ଉଦୟ ଭାନୁ ଚିବ ଏବଂ ଜାତୀୟ ପ୍ରଭାରୀ ମନୀଷ ଶର୍ମାଙ୍କ ଇନଷ୍ଟାଗ୍ରାମ ତଥା ଅନ୍ୟାନ୍ୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଉପରେ କଟକଣା ଲଗାଯାଇଥିବାରୁ ଏହି ଉତ୍ତେଜନା ପ୍ରକାଶ ପାଇଛି। ଯୁବ କଂଗ୍ରେସ ପକ୍ଷରୁ ମେଟାକୁ ୭ ଦିନ ଭିତରେ ସମସ୍ତ କଟକଣା ହଟାଇବାକୁ ଚେତାବନୀ ଦିଆଯାଇଛି। ଏହା ସହ କେତେଜଣ ବିରୋଧୀ ଦଳର ନେତାଙ୍କ ଆକାଉଣ୍ଟକୁ କେନ୍ଦ୍ର ସରକାରଙ୍କ ଚାପରେ ବନ୍ଦ ରଖାଯାଇଛି ସେନେଇ ସ୍ପଷ୍ଟିକରଣ ମଗାଯାଇଛି।
କେବଳ ହାଇଦ୍ରାବାଦ ନୁହେଁ, ମୁମ୍ବାଇ ଯୁବ କଂଗ୍ରେସ ସଭାପତି ଜିନତ ସାବ୍ରିନଙ୍କ ନେତୃତ୍ୱରେ ମଧ୍ୟ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (BKC) ସ୍ଥିତ ମେଟା ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରତିବାଦକାରୀମାନେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପୋଷ୍ଟର ପୋଡ଼ି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ବିରୋଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ ମେଟା ପକ୍ଷପାତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଏହି ପ୍ରସଙ୍ଗରେ ଟେକ୍ କମ୍ପାନୀଗୁଡିକୁ ନିରପେକ୍ଷ ରହିବାକୁ କହିବା ସହ ସରକାରଙ୍କୁ ଚାପ ପ୍ରୟୋଗ ନକରିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏହି ଭଙ୍ଗାରୁଜାକୁ 'ଗୁଣ୍ଡାଗିରି' ବୋଲି କହିଛନ୍ତି। ବିଆରଏସ (BRS) କାର୍ଯ୍ୟକାରୀ ସଭାପତି କେ.ଟି. ରାମାରାଓ (KTR) ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏଭଳି ଆଚରଣ ହାଇଦ୍ରାବାଦର କର୍ପୋରେଟ୍ ଛବିକୁ ଖରାପ କରିବ।






