ସରକାରଙ୍କ ଉପରେ ‘ପ୍ରତିଶ୍ରୁତି’ ଚାପ : ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡବିନ୍ଧା ପାଲଟିଛି ହୁଗୁଳା ପ୍ରଶାସନ

The Sakala Picture
Published On

ଭୁବନେଶ୍ୱର : ଆଜି ରାଜ୍ୟରେ ଡବଲ ଇଞ୍ଜିନ ବିଜେପି ସରକାରକୁ ବର୍ଷେ ପୂରିଛି। ଏହି ବର୍ଷକ ମଧ୍ୟରେ ସରକାର ନିଜ ଉପଲବ୍ଧିକୁ ଜୋରସୋର ଢଙ୍ଗରେ ପ୍ରଚାର କରୁଛନ୍ତି। ଏପରିକି ନିର୍ବାଚନୀ ଇସ୍ତାହାରରେ ରଖିଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ୧୧ଟି ପୂରଣ କରିଥିବା ସରକାର ଦାବି କରୁଛନ୍ତି। ତେବେ ସରକାରଙ୍କ ଦାବି ଓ ବାସ୍ତବତା ମଧ୍ୟରେ ଆକାଶପାତାଳ ଫରକ ଥିବା ରାଜନୈତିକ ସମୀକ୍ଷକ ଓ ବିରୋଧୀମାନେ ମତପ୍ରକାଶ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପାହାଡ଼ ପରି ପ୍ରତିଶ୍ରୁତି […]

ଭୁବନେଶ୍ୱର : ଆଜି ରାଜ୍ୟରେ ଡବଲ ଇଞ୍ଜିନ ବିଜେପି ସରକାରକୁ ବର୍ଷେ ପୂରିଛି। ଏହି ବର୍ଷକ ମଧ୍ୟରେ ସରକାର ନିଜ ଉପଲବ୍ଧିକୁ ଜୋରସୋର ଢଙ୍ଗରେ ପ୍ରଚାର କରୁଛନ୍ତି। ଏପରିକି ନିର୍ବାଚନୀ ଇସ୍ତାହାରରେ ରଖିଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ୧୧ଟି ପୂରଣ କରିଥିବା ସରକାର ଦାବି କରୁଛନ୍ତି। ତେବେ ସରକାରଙ୍କ ଦାବି ଓ ବାସ୍ତବତା ମଧ୍ୟରେ ଆକାଶପାତାଳ ଫରକ ଥିବା ରାଜନୈତିକ ସମୀକ୍ଷକ ଓ ବିରୋଧୀମାନେ ମତପ୍ରକାଶ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପାହାଡ଼ ପରି ପ୍ରତିଶ୍ରୁତି ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିବାବେଳେ ହୁଗୁଳା ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡବିନ୍ଧା ପାଲଟିଛି। ଉତ୍ତମ ବିତ୍ତୀୟ ପରିଚାଳନା, ଶୃଙ୍ଖଳିତ ପ୍ରଶାସନ, ନିୟନ୍ତ୍ରଣାଧୀନ ଆଇନ ଶୃଙ୍ଖଳା ଏବଂ ବିକାଶ କାର୍ଯ୍ୟକୁ ଗତି ଦେବା ଆଗାମୀ ବର୍ଷରେ ସରକାରଙ୍କ ପାଇଁ ଆହ୍ୱାନ ପାଲଟିବା ଆଶଙ୍କା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ୫୦ ହଜାର ଟଙ୍କା ‘ସୁଭଦ୍ରା’ ଭାଉଚର ପରିବର୍ତ୍ତେ ବର୍ଷକୁ ୧୦ ହଜାର ଟଙ୍କା ହିସାବରେ ୫ ବର୍ଷରେ ୫୦ ହଜାର ସହାୟତାକୁ ନେଇ ସରକାର ସମାଲୋଚନାର ଶରବ୍ୟ ହୋଇଛନ୍ତି। ଏ କ୍ଷେତ୍ରରେ ସରକାର ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି ବୋଲି ଅଭିଯୋଗ ହୋଇଛି। ସେହିପରି ଭତ୍ତା କ୍ଷେତ୍ରରେ ମଧ୍ୟ କେବଳ ୮୦ ବର୍ଷରୁ ଅଧିକ ଏବଂ ୮୦ % ଦିବ୍ୟାଙ୍ଗଙ୍କୁ ୩୫୦୦ ଟଙ୍କା ପ୍ରଦାନ କରି ଅନ୍ୟମାନଙ୍କୁ ସରକାର ପ୍ରତାରିତ କରିଛନ୍ତି ବୋଲି ହିତାଧିକାରୀ ଅଭିଯୋଗ କରୁଛନ୍ତି। ଧାନର ଇନପୁଟ ସହାୟତା ବାବଦରେ ୮୦୦ ଟଙ୍କା ଦେଉଥିଲେ ହେଁ ଅତ୍ୟଧିକ କଟନିଛଟନି ଏବଂ ମିଲରଙ୍କ ମାମଲାତି ଯୋଗୁଁ ଚାଷୀକୁଳ ଏକ ପ୍ରକାର ଅସହାୟ । ପୁନଶ୍ଚ ନିର୍ବାଚନ ପୂର୍ବରୁ ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶ୍ରୁତି ଫମ୍ପା ଘୋଷଣାରେ ପରିଣତ ହୋଇଛି। ଯାହାକୁ ନେଇ ସରକାର ବ୍ୟାକଫୁଟ୍‌ରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ର୍ଥ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ; ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ତେବେ ରାଜ୍ୟରେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରସଙ୍ଗ ପାଲଟିଛି ପ୍ରଶାସନିକ ସ୍ଥାଣୁତା। ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ନୋଟସିଟରେ ଏହାକୁ ସ୍ୱୀକାର କରିଛନ୍ତି। ତୃଣମୂଳସ୍ତରରୁ ଶୀର୍ଷ ପ୍ରଶାସନ ଯାଏଁ, ପ୍ରଶାସନ ଉପରେ ସରକାରଙ୍କ ନିୟନ୍ତ୍ରଣ ଏକପ୍ରକାର ହୁଗୁଳା ହୋଇପଡ଼ିଛି ବୋଲି କୁହାଯାଇପାରେ। ଫଳସ୍ୱରୂପ ତୃଣମୂଳ ସ୍ତରରେ ବିକାଶ କାର୍ଯ୍ୟକ୍ରମ ଏକ ପ୍ରକାର ଠପ୍‌ ହୋଇପଡ଼ିଛି। ସେହିପରି ସରକାର ନିଜ ପ୍ରଥମ ବର୍ଷରୁ ହିଁ ରାଜ୍ୟ ଅର୍ଥନୀତି ପରିଚାଳନାରେ ଋଣ ଉପରେ ଅଧିକ ନିର୍ଭରଶୀଳ ହୋଇ ପଡ଼ିଥିବା ବେଳେ ଏହା ରାଜ୍ୟର ଅର୍ଥନୈତିକ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବୋଲି ଅର୍ଥନୈତିକ ମହଲରେ ମତ ପ୍ରକାଶ ପାଇଛି। ପୁନଶ୍ଚ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ବିରୋଧୀ ହିଂସା, ପୋଲାଭରମ ଏବଂ ମହାନଦୀ ବିବାଦ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିରବତା ମଧ୍ୟ ସାଧାରଣରେ ସରକାରଙ୍କ ଛବିକୁ ମଳିନ କରିଛି। ପୁନଶ୍ଚ ନିର୍ବାଚନ ସମୟରେ ସରକାର ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ପ୍ରମୁଖ ଆହ୍ୱାନ ସାଜିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ସାମୁଦ୍ରିକ ଝଡ଼ ‘ଅକୱାନ’: ଆନ୍ଧ୍ର ଉପକୂଳ ମୁହାଁ, ଓଡ଼ିଶାରେ ହାଇଆଲର୍ଟ

ବିଶେଷକରି ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ୧୭ ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ଦାବି ତେଜିବାରେ ଲାଗିଛି। ସେହିପରି ଶିଳ୍ପାୟନକୁ ନେଇ ରାଜ୍ୟ ସରକାର ନିୟମିତ ଦମ୍ଭୋକ୍ତି ପ୍ରକାଶ କରୁଥିବା ବେଳେ ସେଗୁଡ଼ିକୁ ସଠିକ୍‌ ଭାବେ କାର୍ଯ୍ୟାନ୍ୱୟନ କରିବା ସରକାରଙ୍କ ପାଇଁ ପ୍ରମୁଖ ଆହ୍ୱାନ ହୋଇଛି। କଟକରେ ଜେଏସଡବ୍ଲ୍ୟୁର ଇଭି କାରଖାନା ଏବଂ କେନ୍ଦ୍ରାପଡାରେ ନିପ୍ପନ ଷ୍ଟିଲର ପ୍ରକଳ୍ପ ଏଯାଏଁ ଅନ୍ଧାର ମଧ୍ୟରେ ଥିବା ବେଳେ ଏହାକୁ ଆସନ୍ତା ବର୍ଷରେ କାର୍ଯ୍ୟନ୍ୱୟନ କରିବା ସରକାରଙ୍କ ସମ୍ମାନର ପ୍ରଶ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ସରକାରଙ୍କୁ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ନେବାକୁ ପଡ଼ିବ। ଏଥିପାଇଁ ଶାସନକଳକୁ ଅପେକ୍ଷାକୃତ ଶୃଙ୍ଖଳିତ ଏବଂ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ବିଶେଷକରି ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରିବା ଏବଂ ସମାନ ସମୟରେ ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ସରକାରଙ୍କ ସାମ୍ନାରେ ଆହ୍ୱାନ ସୃଷ୍ଟି କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର