ଓୟୁଏଟିରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: କ୍ୟାମ୍ପସ୍ ସୁରକ୍ଷା ନେଇ ବିଜୁ ମହିଳା ଜନତା ଦଳର ଉଦ୍ବେଗ
ଭୁବନେଶ୍ୱର: ରାଜ୍ୟରେ ଶିକ୍ଷାନୁଷ୍ଠାନ ଭିତରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ଜଣେ ଛାତ୍ରୀଙ୍କୁ ବାହାରର କିଛି ବ୍ୟକ୍ତି ଅସଦାଚରଣ କରିଥିବା ଅଭିଯୋଗକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛି ବିଜୁ ମହିଳା ଜନତା ଦଳ। ଛାତ୍ରୀ ଜଣକ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରାକ୍ଟିକାଲ କ୍ଲାସ୍୍ କରୁଥିବା ସମୟରେ ଏବଂ ଜଣେ ସହକାରୀ ପ୍ରଫେସରଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରି ବିଜୁ ମହିଳା ଜନତା ଦଳ ପକ୍ଷରୁ ସୋମବାର ଓୟୁଏଟି କୁଳପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଭଳି ଘଟଣା ବିଶ୍ୱବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଚିହ୍ନ ଲଗାଇଥିବା ବେଳେ ଛାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷିତ ଭାବନା ସୃଷ୍ଟି କରିଛି। ସମଗ୍ର ବିଶ୍ୱବିଦ୍ୟାଳୟ ପରିସରରେ ପାଚେରି ନିର୍ମାଣ ସହ ସିସିଟିଭି ଲଗାଇବାକୁ ଦାବି କରିଛି ପ୍ରତିନିଧି ମଣ୍ଡଳୀ।
ସ୍ମାରକପତ୍ରରେ କୁହାଯାଇଛି ଯେ ଏକ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ନିର୍ଭୟରେ ଶିକ୍ଷା ଗ୍ରହଣ କରିବା ସହ ପ୍ରାକ୍ଟିକାଲ କାର୍ଯ୍ୟ କରିବାର ସୁଯୋଗ ପାଇବା ଉଚିତ। ମାତ୍ର କ୍ୟାମ୍ପସ୍ ଭିତରକୁ ଅନଧିକୃତ ବାହାର ଲୋକଙ୍କ ପ୍ରବେଶ ଏବଂ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାର ଅଭାବ ଏହି ପରିବେଶକୁ ପ୍ରଭାବିତ କରୁଛି। ଛାତ୍ରୀଙ୍କ ମର୍ଯ୍ୟାଦା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ସହ ଏଭଳି ଘଟଣା ଶିକ୍ଷାନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା ଉପରେ ସେମାନଙ୍କ ଆସ୍ଥାକୁ ମଧ୍ୟ ଦୁର୍ବଳ କରୁଛି। ତେଣୁ କେବଳ ଘଟଣା ପରେ ପଦକ୍ଷେପ ନେବା ପରିବର୍ତ୍ତେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ଲାଗି ସ୍ଥାୟୀ ଓ ଠୋସ୍ ସୁରକ୍ଷା ବ୍ୟବସ୍ଥା କରିବା ଜରୁରୀ ବୋଲି ଦଳ ଦର୍ଶାଇଛି। ଏଥିପାଇଁ ବିଶ୍ୱବିଦ୍ୟାଳୟର ସମଗ୍ର ପରିସରକୁ ପାଚେରି ଦ୍ୱାରା ଆବଦ୍ଧ କରାଯାଉ। ଏହାଦ୍ୱାରା ଅନଧିକୃତ ବ୍ୟକ୍ତିଙ୍କ ପ୍ରବେଶକୁ ରୋକାଯାଇପାରିବ। ସେହିପରି କ୍ୟାମ୍ପସ୍ର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମୁତୟନ କରିବା ସହ ସେଠାରେ ଯାତାୟାତ ଉପରେ ନିୟମିତ ନଜର ରଖିବାକୁ ଦାବି ହୋଇଛି।
ଏହାବ୍ୟତୀତ କ୍ୟାମ୍ପସ୍ର ସମ୍ୱେଦନଶୀଳ ଓ ଅସୁରକ୍ଷିତ ସ୍ଥାନଗୁଡ଼ିକରେ ସିସିଟିଭି କ୍ୟାମେରା ସ୍ଥାପନ କରିବା, ବାହାର ଲୋକଙ୍କ ଯାତାୟାତକୁ ନିୟନ୍ତ୍ରିତ କରିବା ଏବଂ ଅନଧିକୃତ ପ୍ରବେଶ ଉପରେ କଡ଼ା ନଜର ରଖିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି। ବିଶେଷକରି ପ୍ରାକ୍ଟିକାଲ ଲାବୋରେଟୋରି, ଶିକ୍ଷାଗତ କୋଠା ଏବଂ କ୍ୟାମ୍ପସ୍ର ଅନ୍ୟ ନିର୍ଜନ ଅଞ୍ଚଳଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଦଳ କୁଳପତିଙ୍କୁ ଅନୁରୋଧ କରିଛି। କାରଣ ଏହି ସ୍ଥାନଗୁଡ଼ିକରେ ଛାତ୍ରୀମାନେ ନିୟମିତ ଭାବେ ଶିକ୍ଷା ଓ ପ୍ରାକ୍ଟିକାଲ କାର୍ଯ୍ୟ କରିଥାନ୍ତି। ତେଣୁ ସେମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିଜୁ ମହିଳା ଜନତା ଦଳ ଦାବି କରିଛି।






