ମନୋରଞ୍ଜନ
କଲେଜ ନିର୍ବାଚନ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେଡି: ଏବିଭିପି ଛାତ୍ର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣକୁ ନେଇ ଟାର୍ଗେଟ
ଭୁବନେଶ୍ୱର: ଏବିଭିପି ରେଡି କହିବା ପରେ ଆମେ କଲେଜ ନିର୍ବାଚନ ଲାଗି ତାରିଖ ଘୋଷଣା କଲୁ । ଗତକାଲି ଏବିଭିପି ଛାତ୍ର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ଅଭିଭାଷଣକୁ ନେଇ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି । ପ୍ରେସମିଟ କରି ଯୁବ ବିଜେଡି ଅଭିଯୋଗ କରିଛି ଯେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ନା ସେ ଏବିଭିପିର ମୁଖ୍ୟମନ୍ତ୍ରୀ ? କେବଳ ଏତିକି ନୁହେଁ ସେ ମଧ୍ୟ ପୂର୍ବରୁ କହିଥିଲେ ଏବିଭିପିରେ ପିଲାମାନେ ସାମିଲ ହୁଅ । ସେ ଯେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, କହିଥିଲେ ଯେ ସାରା ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଓଡ଼ିଶାର ସେବା ପାଇଁ ମୁଖ୍ୟମନ୍ତ୍ରୀ । ଗତକାଲି ସେ ଏହି ଶପଥ ଭଙ୍ଗ କରିଛନ୍ତି । ଯାହା ଅଭିଯୋଗ ବିଜେଡି କରିଥିଲା, ତାହା ଏବେ ସତ ଲାଗୁଛି । ବିଜେଡି ସଂଗଠନ ଯେଉଁଠି ଭଲ ଥିଲା, ସେଠି କଲେଜ ନିର୍ବାଚନ ବନ୍ଦ କଲେ । ଭୋଟ ଗଣତି ବିଳମ୍ବ କଲେ । ରମା ଦେବୀକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କଲ ଆସୁଥିଲା । ଏ ସବୁ ଉପରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି । ମ୍ୟାଚ ଫିକ୍ସିଂ କରିକି ବି ବିଜେଡି ୬୦% କଲେଜ ଜିତିଛି । ସମସ୍ତେ ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି । ଚୌକି ପ୍ରିୟ କ୍ଷମତା ପ୍ରିୟ ମୁଖ୍ୟମନ୍ତ୍ରୀ ନିଜ ପଦ ମର୍ଯ୍ୟାଦାକୁ ଭଙ୍ଗ କରିଛନ୍ତି । ସେ ନୈତିକତା ଦୃଷ୍ଟିରୁ କ୍ଷମତା ଚୌକିରୁ ଅପସରି ଯାଇ ଏବିଭିପି ସଂଗଠନ ସମ୍ଭାଳନ୍ତୁ ବୋଲି ଯୁବ ବିଜେଡି ଦାବି କରିଛି ।
ସେହିପରି ଛାତ୍ର ବିଜେଡି କହିଛି, କେମିତି ପ୍ରଶାସନ ପୂରା ଦମ ଲଗାଇଦେଇଥିଲା ତାହା ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରୁ ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବାରେ ଅସହାୟ ବୋଲି ଏବିଭିପିର ସହାୟତା ଲୋଡିଲେ । ରମାଦେବୀରେ ଏବିଭିପି ହାରିବା ପରେ ବି ମୁଖ୍ୟମନ୍ତ୍ରୀ ବିଜୟ ପ୍ରମାଣିତ କରିବାକୁ ଚାହୁଁଥିଲେ । ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ଏବିଭିପି ଅନୁସାରେ ନିର୍ବାଚନ ହେଲା, ହେଲେ ଏବିଭିପି ନେତ୍ରୀ କହୁଛନ୍ତି ଯେ ତାଙ୍କର ବିଜେପି ସହ ସମ୍ପର୍କ ନାହିଁ । ବିଜେପିର ଅନୈତିକ ସମ୍ପର୍କରୁ ଏବିଭିପିର ଜନ୍ମ । ଓଡ଼ିଶାର ଜେନ-ଜି, ଛାତ୍ର, ଯୁବକ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି । ସେମାନଙ୍କ ପାଇଁ ବିଜେଡି ଲଢେଇ ଜାରି ରଖିବ । ଯେଉଁଠି ହାରିବା କଥା ଜାଣିଲେ, ସେଠି ନିର୍ବାଚନ ବଦଳରେ ଚୟନ ହେଲା । ଯେଉଁଠି ବିଜେଡି ଜିତିଛି, ଅନେକ କଲେଜରେ ପ୍ରଶାସନ ଶପଥ ଗ୍ରହଣ କରାଇ ଦେଉ ନାହିଁ । ଏବିଭିପି ଓ ବିଜେପିର ସମ୍ପର୍କ କଣ ଜନତା ଆଗାମୀ ସମୟରେ ଏହାର ବିଚାର କରିବେ ।






