ମାଲିକାଣିଙ୍କୁ ହତ୍ୟା କରି ସୁନା ଓ ଟଙ୍କା ଲୁଟ୍ ଘଟଣା: ଗୁଜରାଟରୁ ଧରାପଡ଼ିଲା ଅଭିଯୁକ୍ତ କେୟାରଟେକର
ଭୁବନେଶ୍ୱର: ଯାହାକୁ ଭରସା କରି ଘରର ଦାୟିତ୍ୱ ଦେଇଥିଲେ, ସେହି କେୟାରଟେକର ସାଜିଲା ହତ୍ୟାକାରୀ। ଲୁଟ୍ ଉଦ୍ଦେଶ୍ୟରେ ୭୬ ବର୍ଷୀୟା ମାଲିକାଣିଙ୍କୁ ହତ୍ୟା କରି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଥିଲା। ହତ୍ୟା ପରେ ପୁଲିସକୁ ଚକମା ଦେବାକୁ ରାଜ୍ୟ ବାହାରେ ଆତ୍ମଗୋପନ କରିଥିଲା। ହେଲେ ଶେଷରେ ଗୁଜରାଟର ସୁରତରୁ ଧରାପଡ଼ିଛି ଲକ୍ଷ୍ମୀସାଗର ହତ୍ୟାକାଣ୍ଡର ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ହେଲା ବଳଭଦ୍ର ରାମଚରଣ ମହାରଣା। ତାକୁ ଗୁଜରାଟ ପୁଲିସ ଗିରଫ କରି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପୁଲିସକୁ ହସ୍ତାନ୍ତର କରିଛି।
ଗତ ନଭେମ୍ବର ୩ ତାରିଖରେ ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ଡିଏଫ୍ଓଙ୍କ ପତ୍ନୀ କୁଞ୍ଜଲତା ନନ୍ଦଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର ହୋଇଥିଲା। ଏହି ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଘରେ କେୟାରଟେକର ଭାବେ କାମ କରୁଥିବା ବଳଭଦ୍ର ଉପରେ ସନ୍ଦେହ ଘନୀଭୂତ ହୋଇଥିଲା। ପୁଲିସ ସୂଚନା ଅନୁସାରେ, ଲୁଟ୍ ଉଦ୍ଦେଶ୍ୟରେ ସେ କୁଞ୍ଜଲତାଙ୍କୁ ହତ୍ୟା କରିବା ପରେ ଘରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିଲା। ଘଟଣା ପରେ ଅଭିଯୁକ୍ତ ପ୍ରଥମେ ଲୁଧିଆନା ଓ ପରେ ସୁରତ ପଳାଇଥିଲା। ପୁଲିସକୁ ଚକମା ଦେବା ପାଇଁ ବାରମ୍ବାର ମୋବାଇଲ ନମ୍ବର ବଦଳାଇ ନିଜର ପରିଚୟ ଲୁଚାଉଥିଲା। ତେବେ ଗୁଜରାଟ ପୁଲିସ ତାକୁ ସୁରତର କରଜନ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି। ତା’ ନିକଟରୁ ଲୁଟ୍ ସାମଗ୍ରୀର କିଛି ଅଂଶ ମଧ୍ୟ ଜବତ ହୋଇଛି। ଏବେ ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୁକ୍ତକୁ ଜେରା କରି ହତ୍ୟାର ପ୍ରକୃତ କାରଣ, ଲୁଟ୍ ସାମଗ୍ରୀର ପରିମାଣ ଏବଂ ଅନ୍ୟ କୌଣସି ବ୍ୟକ୍ତିର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ କରିବ।






