ମନୋରଞ୍ଜନ
ପଞ୍ଜାବରେ କର୍ମଭୂମି ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଶହ ଶହ ଯାତ୍ରୀ
ପଞ୍ଜାବର ପଟିଆଲା ନିକଟସ୍ଥ ଧାବଲାନ ଷ୍ଟେସନରେ କର୍ମଭୂମି ଏକ୍ସପ୍ରେସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଟ୍ରେନର ଏକ ବଗିରେ ହଠାତ ନିଆଁ ଲାଗିଯିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା, ତେବେ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଅମୃତସରରୁ ନ୍ୟୁ ଜଲପାଇଗୁଡ଼ି ଅଭିମୁଖେ ଯାଉଥିବା କର୍ମଭୂମି ଏକ୍ସପ୍ରେସ ପଟିଆଲା ଷ୍ଟେସନ ଅତିକ୍ରମ କରିବା ପରେ ହଠାତ ଏକ ବଗିରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଦେଖୁ ଦେଖୁ ନିଆଁ ବଗିଟିକୁ କବଳିତ କରିଥିଲା, ଯାହା ଦେଖି ଚାଳକ ତୁରନ୍ତ ଟ୍ରେନକୁ ଧାବଲାନ ଷ୍ଟେସନ ନିକଟରେ ଅଟକାଇ ଦେଇଥିଲେ।
ନିଆଁ ଲାଗିବା ମାତ୍ରେ ଯାତ୍ରୀମାନେ ଆତଙ୍କିତ ହୋଇ ନିଜ ଜୀବନ ବଞ୍ଚାଇବା ପାଇଁ ଟ୍ରେନରୁ ବାହାରକୁ ଧାପଲିଥିଲେ। ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରେଳବାଇ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ପ୍ରାଥମିକ ତଦନ୍ତରୁ ଏହା ସର୍ଟ ସର୍କିଟ୍ ଯୋଗୁଁ ଘଟିଥିବା ଅନୁମାନ କରାଯାଉଛି।






