ଆଦିତ୍ୟ ଠାକରେ ଓ ଅନିଲ ଦେଶମୁଖଙ୍କୁ ୫୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲେ ଦିଶା ସାଲିଆନଙ୍କ ବାପା
ନୂଆଦିଲ୍ଲୀ: ଆଦିତ୍ୟ ଠାକରେ ଓ ଅନିଲ ଦେଶମୁଖଙ୍କୁ ୫୦୦ କୋଟି ଟଙ୍କାର ମାନହାନି ନୋଟିସ୍ । ଏହି ନୋଟିସ୍ ପଠାଇଛନ୍ତି ଦିଶା ସାଲିଆନଙ୍କ ବାପା ସତୀଶ ସାଲିଆନ୍ । ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ସ୍ୱର୍ଗତ ଦିଶା ସାଲିଆନଙ୍କ ବାପା ସତୀଶ ସାଲିଆନ୍ ଏହି ନୋଟିସ୍ ପଠାଇଛନ୍ତି । ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଏବଂ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ସେ ୫୦୦ କୋଟି ଟଙ୍କାର ଏକ ମାନହାନି ନୋଟିସ୍ ପଠାଇଛନ୍ତି। ଉଭୟ ନେତାଙ୍କ ଦ୍ୱାରା ଦିଆଯାଇଥିବା କେତେକ ବିବାଦୀୟ ବୟାନକୁ ବିରୋଧ କରି ଏହି ନୋଟିସ୍ ଜାରି କରାଯାଇଛି।
ପଠାଯାଇଥିବା ଲିଗାଲ୍ ନୋଟିସ୍ରେ ସତୀଶ ସାଲିଆନ୍ ଉଭୟ ନେତାଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ନିଜର ବୟାନ ଫେରାଇ ନେବାକୁ ଦାବି କରିଛନ୍ତି। ଏହା ସହିତ କ୍ଷତିପୂରଣ ବାବଦକୁ ୫୦୦ କୋଟି ଟଙ୍କା ଦେବାକୁ କୁହାଯାଇଛି। ଦାବି ପୂରଣ କରିବା ପାଇଁ ସେମାନଙ୍କୁ ୭ ଦିନର ସମୟ ଦିଆଯାଇଛି। ନୋଟିସ୍ରେ ସ୍ପଷ୍ଟ କରାଯାଇଛି ଯେ, ଉଭୟ ନେତା ଏକ ବିନା ସର୍ତ୍ତ ତଥା ସାର୍ବଜନୀନ ଲିଖିତ କ୍ଷମା ପ୍ରାର୍ଥନା କରିବେ। ପ୍ରମୁଖ ଖବରକାଗଜ, ଟେଲିଭିଜନ୍ ଏବଂ ଡିଜିଟାଲ୍ ମିଡିଆରେ ଏହି କ୍ଷମା ପ୍ରାର୍ଥନା ପ୍ରକାଶ ପାଇବା ଦରକାର। ଏହା ବ୍ୟତୀତ, ଅତିକମରେ ତିନି ମିନିଟ୍ର ଏକ ଭିଡିଓ ବାର୍ତ୍ତା ଜରିଆରେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାକୁ ଉଭୟ ନେତା ନିଜ ନିଜ ସାମାଜିକ ଗଣମାଧ୍ୟମ (ସୋସିଆଲ୍ ମିଡିଆ) ଆକାଉଣ୍ଟରେ ପୋଷ୍ଟ କରିବେ ବୋଲି ନୋଟିସରେ ଜାରି କରାଯାଇଛି।
ସତୀଶଙ୍କ ଓକିଲଙ୍କ ଦ୍ୱାରା ପ୍ରସ୍ତୁତ ଏହି ନୋଟିସ୍ ଅନୁଯାୟୀ, ଆଦିତ୍ୟ ଠାକରେ ସତୀଶ ସାଲିଆନଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ତାଙ୍କ ନ୍ୟାୟିକ ଲଢ଼େଇକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇଥିଲେ। ସିବିଆଇ (CBI) ପୂର୍ବରୁ ଦିଶା ସାଲିଆନ୍ ମାମଲାର ତଦନ୍ତ କରିସାରିଛି ଏବଂ ଆଦିତ୍ୟଙ୍କୁ 'କ୍ଲିନ୍ ଚିଟ୍' ଦେଇଛି ବୋଲି ମିଥ୍ୟା ଦାବି କରାଯାଇଥିବା ନୋଟିସ୍ରେ ଉଲ୍ଲେଖ ଅଛି। ସେହିପରି ଗତ ୨୦୨୫ ମାର୍ଚ୍ଚ ୨୩ ତାରିଖରେ ଅନିଲ ଦେଶମୁଖ କହିଥିଲେ ଯେ ଦିଶା ସାଲିଆନ୍ ମାମଲା ହେଉଛି ଆଦିତ୍ୟ ଠାକରେଙ୍କୁ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର। ଏଭଳି ମନ୍ତବ୍ୟ ଜଣେ ଝିଅ ହରାଇଥିବା ବାପାଙ୍କ ସମ୍ମାନ ଓ ବିଶ୍ୱସନୀୟତା ଉପରେ ଗଭୀର ଆଘାତ ପହଞ୍ଚାଇଥିବା ନୋଟିସ୍ରେ ଦର୍ଶାଯାଇଛି ଏବଂ ତାଙ୍କୁ କେବଳ ଏକ ରାଜନୈତିକ ହତିଆର ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି।
ବୁଧବାର ଦିନ ନିଜର ଏକ୍ସ (X) ଆକାଉଣ୍ଟରେ ପୋଷ୍ଟ କରି ଆଦିତ୍ୟ ଠାକରେ ଦିଶା ସାଲିଆନଙ୍କ ସହ କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରିଛନ୍ତି। ସିବିଆଇ (CBI) ଏଫଆଇଆର୍ରେ ତାଙ୍କ ନାମ ଆସିବାର ଦୁଇ ଦିନ ପରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି। ଆଦିତ୍ୟ କହିଛନ୍ତି ଯେ, ସେ କେବେହେଲେ ଦିଶାଙ୍କୁ ଭେଟିନାହାନ୍ତି କିମ୍ବା ତାଙ୍କ ସହ କୌଣସି ପରିଚୟ ନଥିଲା। ଏହି ଦୁଃଖଦ ମାମଲାରେ ତାଙ୍କ ନାମକୁ ବାରମ୍ବାର ଯୋଡ଼ିବା କିଛି ବ୍ୟକ୍ତିଙ୍କ ରାଜନୈତିକ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଏକ ଉଦ୍ଦେଶ୍ୟମୂଳକ ପ୍ରୟାସ ଅଟେ।






