ସନ୍ଦେହରେ ରାଜସ୍ଥାନ ବିଶ୍ବବିଦ୍ୟାଳୟ: ଯାଞ୍ଚ ହେବ ୪୩ ହଜାର ଡିଗ୍ରୀ, ସ୍ବୀକୃତି ନ ଥାଇ ଦିଆଯାଇଛି ସାର୍ଟିଫିକେଟ୍
ଜୟପୁର: ଆବଶ୍ୟକ ସ୍ବୀକୃତି ନ ଥାଇ ରାଜସ୍ଥାନର ଏକ ଘରୋଇ ବିଶ୍ବବିଦ୍ୟାଳୟ ବିଭିନ୍ନ ପାଠ୍ୟକ୍ରମରେ ଡିଗ୍ରୀ ସାର୍ଟିଫିକେଟ୍ ଦେଉଥିବା ଖବର ସାମ୍ନାକୁ ଆସିବା ପରେ ଏଥିନେଇ ଯାଞ୍ଚ ଆରମ୍ଭ ହୋଇଛି। ଯେଉଁସବୁ ପାଠ୍ୟକ୍ରମକୁ ନେଇ ଏହି ବିଶ୍ବବିଦ୍ୟାଳୟ ସ୍ବୀକୃତି ପାଇ ନାହିଁ ସେ ବିଷୟରେ ମଧ୍ୟ ଏଠାରେ ଡିଗ୍ରୀ ସାର୍ଟିଫିକେଟ ଦିଆଯାଇଛି। ଏପରିକି ହଜାର ହଜାର ସଂଖ୍ୟାରେ ନକଲି ଏବଂ ପଛୁଆ ତାରିଖରେ ସାର୍ଟିଫିକେଟ୍ ଦିଆଯାଇଛି। ଏଭଳି ଘଟଣା ଦେଖାଯାଇଛି ରାଜସ୍ଥାନର ଓମ୍ ପ୍ରକାଶ ଯୋଗେନ୍ଦର ସିଂ(ଓପିଜେଏସ୍) […]
ଜୟପୁର: ଆବଶ୍ୟକ ସ୍ବୀକୃତି ନ ଥାଇ ରାଜସ୍ଥାନର ଏକ ଘରୋଇ ବିଶ୍ବବିଦ୍ୟାଳୟ ବିଭିନ୍ନ ପାଠ୍ୟକ୍ରମରେ ଡିଗ୍ରୀ ସାର୍ଟିଫିକେଟ୍ ଦେଉଥିବା ଖବର ସାମ୍ନାକୁ ଆସିବା ପରେ ଏଥିନେଇ ଯାଞ୍ଚ ଆରମ୍ଭ ହୋଇଛି। ଯେଉଁସବୁ ପାଠ୍ୟକ୍ରମକୁ ନେଇ ଏହି ବିଶ୍ବବିଦ୍ୟାଳୟ ସ୍ବୀକୃତି ପାଇ ନାହିଁ ସେ ବିଷୟରେ ମଧ୍ୟ ଏଠାରେ ଡିଗ୍ରୀ ସାର୍ଟିଫିକେଟ ଦିଆଯାଇଛି। ଏପରିକି ହଜାର ହଜାର ସଂଖ୍ୟାରେ ନକଲି ଏବଂ ପଛୁଆ ତାରିଖରେ ସାର୍ଟିଫିକେଟ୍ ଦିଆଯାଇଛି। ଏଭଳି ଘଟଣା ଦେଖାଯାଇଛି ରାଜସ୍ଥାନର ଓମ୍ ପ୍ରକାଶ ଯୋଗେନ୍ଦର ସିଂ(ଓପିଜେଏସ୍) ଘରୋଇ ବିଶ୍ବବିଦ୍ୟାଳୟରେ । ୨୦୧୩ରେ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୪୩ ହଜାର ୪୦୯ ନକଲି ସାର୍ଟିଫିକେଟ୍ ଇସ୍ୟୁ କରାଯାଇଥିବା ଜଣାପଡ଼ିବା ପରେ ରାଜସ୍ଥାନ ପୁଲିସର ସ୍ବତନ୍ତ୍ର ଅପରେସନ ଗ୍ରୁପ୍(ଏସଓଜି) ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି।
ଏହି ବିଶ୍ବବିଦ୍ୟାଳୟର ଏଭଳି କାରନାମା ସମ୍ପର୍କରେ ଗତ ଏପ୍ରିଲ ୮ ତାରିଖରେ ସୁରାକ ମିଳିଥିଲା। ଏହି ମାସରେ ରାଜସ୍ଥାନର ୨୦୨୨ ଫିଜିକାଲ ଟ୍ରେନିଂ ଇନଷ୍ଟ୍ରକଟର(ପିଟିଆଇ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା ବେଳେ ଏହି ବିଶ୍ବବିଦ୍ୟାଳୟରୁ ସାର୍ଟିଫିକେଟ ହାସଲ କରିଥିବା ୧୩୦୦ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ଦେବାସମୟରେ ସେମାନଙ୍କ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଥିଲା। ପିଟିଆଇ ପରୀକ୍ଷା ପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ୨୦୨୦ ପୂର୍ବରୁ ଶାରୀରିକ ଶିକ୍ଷା ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିବେ ସେମାନେ ଏହି ପରୀକ୍ଷା ଦେଇପାରିବେ ବୋଲି ଉଲ୍ଲେଖ ଥିଲା। କିନ୍ତୁ ଏହି ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ କିଛି ବ୍ୟତିକ୍ରମ ଦେଖାଯାଇଥିଲା।
ଶାରୀରିକ ଶିକ୍ଷା ପାଠ୍ୟକ୍ରମ ପାଇଁ ଏହି ବିଶ୍ବବିଦ୍ୟାଳୟକୁ ମାତ୍ର ୧୦୦ଟି ସିଟ୍ ପାଇଁ ୨୦୧୬ରେ ସ୍ବୀକୃତି ମିଳିଥିଲା। କିନ୍ତୁ ୧୩୦୦ ଛାତ୍ରଛାତ୍ରୀ କିଭଳି ଆବେଦନ କଲେ ଏବଂ ସେମାନଙ୍କ ପ୍ରମାଣପତ୍ର ଦାଖଲ କଲେ ବୋଲି ପ୍ରଶ୍ନ ଉଠିଥିଲା। କେବଳ ଏହି ବିଭାଗ ନୁହେଁ, ବିଶ୍ବବିଦ୍ୟାଳୟ ପକ୍ଷରୁ ଅନ୍ୟ ବହୁ ପାଠ୍ୟକ୍ରମକୁ ନେଇ ଦିଆଯାଇଥିବା ଡିଗ୍ରୀ ସାର୍ଟିଫିକେଟ୍ ନକଲି ବୋଲି ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥÒଲା। ୨୦୧୩ ପର ଠାରୁ ବିଶ୍ବବିଦ୍ୟାଳୟ ପକ୍ଷରୁ ୭୦୮ ପିଏଚଡି ସାର୍ଟିଫିକେଟ୍, ୮୮୬୧ ଇଞ୍ଜିନିୟରିଂ ଡିଗ୍ରୀ ଏବଂ ଶାରୀରିକ ଶିକ୍ଷା ପାଠ୍ୟକ୍ରମରେ ୧୬୪୦ ଡିଗ୍ରୀ ପ୍ରଦାନ କରାଯାଇଛି। ତେବେ ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି ବୋଲି ସ୍ବତନ୍ତ୍ର ଯାଞ୍ଚ ଗ୍ରୁପ ଡିଆଇଜି ପରିସ୍ ଦେଶମୁଖ କହିଛନ୍ତି।






