ମନୋରଞ୍ଜନ
ସ୍ମୃତିବନରେ ‘ସ୍ମୃତି’ ପାଇଁ ଜାଗା ନାହିଁ : ଦୁଇମାସ ହେଲା ଲାଗିପାରୁନି ଗଛ, ଫେରୁଛନ୍ତି ବୃକ୍ଷପ୍ରେମୀ
ଭୁବନେଶ୍ୱର : ଅଭିନବ ଉପାୟରେ ବୃକ୍ଷ ଚାରାରୋପଣ କରି ନିଜ ପ୍ରିୟ ଜନଙ୍କ ସ୍ମୃତି ରକ୍ଷା କରିବାକୁ ଭୁବନେଶ୍ୱର ପାତ୍ରପଡ଼ାଠାରେ ନିର୍ମାଣ କରାଯାଇଥିଲା ସ୍ମୃତିବନ। କିନ୍ତୁ ଇତି ମଧ୍ୟରେ ସ୍ମୃତିବନରେ ଗଛ ଲଗାଇବାକୁ ଆଉ ଜାଗା ନ ଥିବାରୁ ଗତ ୨ ମାସ ହେଲା ଏଠାରେ ଚାରାରୋପଣ କରାଯାଇପାରୁ ନାହିଁ। ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥ କଡ଼ରେ ୨୦୧୨ ମସିହାରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରତିଷ୍ଠା କରାଯାଥିଲା ସ୍ମୃତିବନ। ଆପଣାର ଲୋକଙ୍କ ସ୍ମୃତିରେ ତଥା ଜନ୍ମଦିନ, […]
ଭୁବନେଶ୍ୱର : ଅଭିନବ ଉପାୟରେ ବୃକ୍ଷ ଚାରାରୋପଣ କରି ନିଜ ପ୍ରିୟ ଜନଙ୍କ ସ୍ମୃତି ରକ୍ଷା କରିବାକୁ ଭୁବନେଶ୍ୱର ପାତ୍ରପଡ଼ାଠାରେ ନିର୍ମାଣ କରାଯାଇଥିଲା ସ୍ମୃତିବନ। କିନ୍ତୁ ଇତି ମଧ୍ୟରେ ସ୍ମୃତିବନରେ ଗଛ ଲଗାଇବାକୁ ଆଉ ଜାଗା ନ ଥିବାରୁ ଗତ ୨ ମାସ ହେଲା ଏଠାରେ ଚାରାରୋପଣ କରାଯାଇପାରୁ ନାହିଁ।
ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥ କଡ଼ରେ ୨୦୧୨ ମସିହାରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରତିଷ୍ଠା କରାଯାଥିଲା ସ୍ମୃତିବନ। ଆପଣାର ଲୋକଙ୍କ ସ୍ମୃତିରେ ତଥା ଜନ୍ମଦିନ, ବିବାହ ବାର୍ଷିକକୁ ମନେ ରଖିବା ପାଇଁ ଏଠାରେ ବୃକ୍ଷ ଚାରାରୋପଣ ବ୍ୟବସ୍ଥା କରାଯାଇଥିଲା। ସ୍ମୃତିବନକୁ ସ୍ମୃତି ବାଟିକା ଓ ଶ୍ରଦ୍ଧା ବାଟିକା ନାମରେ ଦୁଇ ଭାଗ କରାଯାଇଥିଲା। ପରଲୋକଗତ ପ୍ରିୟଜନଙ୍କ ସ୍ମୃତିରେ ସ୍ମୃତି ବାଟିକାରେ ଗଛ ଲଗାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ଶ୍ରଦ୍ଧାବାଟିକା ବା ଶୁଭବାଟିକାରେ ଜନ୍ମଦିନ, ବିବାହ ବାର୍ଷିକୀ ତଥା କାର୍ଯ୍ୟାଳୟ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ବୃକ୍ଷ ଚାରାରୋପଣ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସ୍ମୃତିବନ କାର୍ଯ୍ୟାଳୟରେ ଉପଲବ୍ଧ ଫର୍ମ ପୂରଣ କରି ୮ ହଜାର ଟଙ୍କାର ଡ୍ରାଫ୍ଟ୍ ଦାଖଲ କରିବାକୁ ପଡ଼ିଥାଏ।
ସ୍ମୃତିବନର ସୌନ୍ଦର୍ଯ୍ୟ ରକ୍ଷା ତଥା ସନ୍ତୁଳନ ରକ୍ଷା କରିବାକୁ ୪ ପ୍ରକାର ଯଥା ଅଶୋକ, ନିମ୍ୱ, ରକ୍ତଚନ୍ଦନ ଓ ବଉଳ ଗଛ ଲଗାଇବାକୁ ଅନୁମତି ଦିଆଯାଉଛି। ଏହି ୪ ପ୍ରକାର ଗଛ ମଧ୍ୟରୁ କେଉଁ ଗଛଟି ଲଗାଇବାକୁ ଚାହୁଛନ୍ତି ଏବଂ ସ୍ମୃତି ଫଳକରେ କ’ଣ ଲେଖିବାକୁ ଚାହୁଁଛନ୍ତି ସେ ସମସ୍ତ ତଥ୍ୟ ଫର୍ମରେ ପୂରଣ କରିବେ। ସ୍ମୃତିବନ କର୍ତ୍ତୃପକ୍ଷ ଗଛ ଓ ଲିଖିତ ସ୍ମୃତି ଫଳକ ଯୋଗାଇଦେବେ। ଯେଉଁଦିନ ଏହି ଫଳକ ଲଗାଇବାକୁ ଚାହୁଁଛନ୍ତି ଏହାର ୮ ରୁ ୧୦ ଦିନ ପୂର୍ବରୁ ଡିମାଣ୍ଡ ଡ୍ରାଫ୍ଟ୍ ଆବେଦନ କରିପାରିବେ। ତେବେ ଏଠାରେ ସର୍ବାଧିକ ୧୨ଶହ ବୃକ୍ଷ ଚାରାରୋପଣ ପାଇଁ ବ୍ୟବସ୍ଥା ରହିଥିଲା। ଏପର୍ଯ୍ୟନ୍ତ ସୃତିବନରେ ୧୫୭୪ ଟି ନିମ୍ବ, ରକ୍ତଚନ୍ଦନ, ଆଶୋକ, ବଉଳ ଗଛ ଲଗାଯାଇଛି। ଯାହା ନିର୍ଦ୍ଧାରିତ ବୃକ୍ଷସଂଖ୍ୟାଠାରୁ ଯଥେଷ୍ଟ ଅଧିକ ହୋଇଥିବାରୁ ଏବେ ଆଉ ଅଧିକ ଗଛ ଲାଗିପାରୁ ନାହିଁ।
ଫଳରେ ଗତ ଦୁଇମାସ ହେଲା ସ୍ମୃତିବନରୁ ବୃକ୍ଷ ରୋପଣ ପାଇଁ ଆସୁଥିବା ଲୋକେ ଫେରି ଯାଉଛନ୍ତି। ଗଛ ଲଗାଇବା ପାଇଁ ପର୍ଯ୍ୟପ୍ତ ସ୍ଥାନ ନାହିଁ। ଗୋଟିଏ ଦିନରେ ପ୍ରାୟ ୫ରୁ ଜଣ ଲୋକ ମୋବାଇଲ ଯୋଗେ ସୃତିବନରେ ଗଛ ଲଗାଇବା ବିଷୟରେ ବୁଝୁଥିବା ବେଳେ ୨ ରୁ ୩ଜଣ ଫେରି ଯାଉଛନ୍ତି। ଏ ନେଇ ଲୋକଙ୍କ ମଧ୍ୟରେ ଚାରାରୋପଣ ପାଇଁ ଆଗ୍ରହକୁ ଦୃଷ୍ଟିରେ ରଖି ଘାଟିକିଆ କିମ୍ବା ଚନ୍ଦ୍ରଶେଖରପୁର ଅଞ୍ଚଳରେ ନୂଆ ସ୍ମୃତିବନ ପାଇଁ ବିଭାଗ ପକ୍ଷରୁ ଯୋଜନା କରାଯାଉଛି ବୋଲି ଫରେଷ୍ଟର ରେଞ୍ଜର ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି। ଅପରପକ୍ଷେ ଯେଉଁ କିଛି ଅଞ୍ଚଳରେ ଖାଲୁଆ ଜାଗା ରହିଥିଲା ସେଥିରେ ଗତ ଦୁଇମାସ ହେଲା କିଛି କିଛି ଗଛ ଲଗାଯାଉଛି ବୋଲି କହିଛନ୍ତି ସ୍ମୃତିବନ ଦାୟିତ୍ୱରେ ଥିବା ଛବିରାଣୀ ବେହେରା କହିଛନ୍ତି।






