ସଂଶୋଧିତ ଖଣି ଆଇନରେ ରାଜ୍ୟର କ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ନବୀନଙ୍କ ଚିଠି: ବିଧାନସଭାରେ ଆଣନ୍ତୁ ପ୍ରତ୍ୟାହାର ପ୍ରସ୍ତାବ

Madhusudan Das Picture
Published On

ଭୁବନେଶ୍ୱର: ସଂଶୋଧିତ ଏମଏମଡିଆର  ଆଇନରେ ଓଡ଼ିଶା ବିପୁଳ କ୍ଷତିଗ୍ରସ୍ତ ହେବ। ବକେୟା ଥିବା ଲକ୍ଷାଧିକ କୋଟି ଟଙ୍କା ରାଜ୍ୟ ହରାଇବ, ଏହା ସହ ଖଣି ଅଞ୍ଚଳରେ ରାଜ୍ୟ କ୍ଷମତା ହରାଇବ ଏବଂ ବାର୍ଷିକ ଟିକସ ବାବଦରେ ହଜାର ହଜାର କୋଟି ଟଙ୍କା କ୍ଷତି ସହିବ। ଏହାକୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ତୀବ୍ର ବିରୋଧ କରିଛନ୍ତି୤ ବିଜେଡି ପକ୍ଷରୁ ଏଥିଲାଗି ରାଜଭବନ ଘେରାଉ ହୋଇଛି ଓ ଆଗାମୀ ଦିନରେ ଅର୍ଥନୈତିକ ଅବରୋଧ କରାଯିବାକୁ ମଧ୍ୟ ଚେତାବନୀ ଦିଆଯାଇଛି। ଏହି କଳା ଆଇନ ପ୍ରତ୍ୟାହୃତ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ରୋକଠୋକ୍‌ ଶୁଣାଇ ଦେଇଛି ବିଜେଡି। ଗତମାସରେ ବିରୋଧୀଦଳ ନେତା ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଏହି ଆଇନକୁ ବିରୋଧ ଲାଗି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡ଼ାକିବାକୁ ଅନୁରୋଧ କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ଓ ସରକାର ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ରହିଥିଲେ। ଏହିକ୍ରମରେ ରବିବାର ପୁଣିଥରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ସଂସଦରେ ରାଜ୍ୟର ଅଧିକାର କ୍ଷୁଣ୍ଣ ପାଇଁ ବିନା ଆଲୋଚନାରେ ଗୃହୀତ ଏମ୍‌ଏମ୍‌ଡ଼ିଆର୍‌ ( ଖଣି ଓ ଖଣିଜ ଦ୍ରବ୍ୟର ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନକୁ ପ୍ରତ୍ୟାହାର ପାଇଁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ବିଧାନସଭାରେ ଏମ୍‌ଏମ୍‌ଡ଼ିଆର୍‌ ଆଇନକୁ ବିରୋଧ ସଂକ୍ରାନ୍ତ ପ୍ରସ୍ତାବକୁ ବିଜେଡି ସମ୍ପୂର୍ଣ୍ଣ ସମର୍ଥନ କରିବ ଓ ଏହି ସମ୍ମିଳିତ ଉଦ୍ୟମକୁ ଏକ ଐତିହାସିକ  ମୁହୂର୍ତ୍ତ ଭାବରେ ଓଡ଼ିଶାବାସୀ ମନେ ରଖିବେ ବୋଲି ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି । 

ଆହୁରି ପଢ଼ନ୍ତୁ: ଆସନ୍ତା ୨୦ ବେଳକୁ ପୁଣି ଏକ ଲଘୁଚାପ ଆଶଙ୍କା, ୧୮ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପ୍ରଭାବ

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ନବୀନ କହିଛନ୍ତି ଯେ ଖଣିଜ ସମ୍ପଦ ଓ ଖଣି ଅଞ୍ଚଳ ଉପରେ ଟିକସ ଲାଗୁ କରିବା ସମ୍ପର୍କିତ ରାଜ୍ୟର ସାମ୍ୱିଧାନିକ ଅଧିକାରକୁ ବିରୋଧ କରି ଖଣି କମ୍ପାନୀ ମାନେ ଅଦାଲତକୁ ଯାଇଥିଲେ। ଓଡ଼ିଶାର ଏହି ସାମ୍ୱିଧାନିକ ଅଧିକାରର ସୁରକ୍ଷା ପାଇଁ ବିଜେଡି ସରକାର ବହୁ ବର୍ଷ ଧରି ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ଲଢେଇ କରିଥିଲା। ଆମର ନିରନ୍ତର ଉଦ୍ୟମ ଯୋଗୁ ଓଡ଼ିଶା ନ୍ୟାୟ ପାଇଲା ଏବଂ ସୁପ୍ରିମକୋର୍ଟର ୯ ଜଣିଆ ସାମ୍ୱିଧାନିକ ବେଞ୍ଚ ତାଙ୍କ ରାୟରେ ଓଡ଼ିଶା ସରକାର ଖଣି କମ୍ପାନୀ ବିରୁଦ୍ଧରେ ନେଇଥିବା ପଦକ୍ଷେପକୁ ଉଚିତ ଦର୍ଶାଇଥିଲେ। ପରେ ପରେ ରାଜ୍ୟ ବିଜେପି ସରକାର ଖଣି କମ୍ପାନୀ ବିରୋଧରେ ମଧ୍ୟ ସୁପ୍ରିମକୋର୍ଟରେ ଏହି ଲଢେ଼ଇ ଜାରି ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ଆଡଭୋକେଟ ଜେନେରାଲ ମଧ୍ୟ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କର ପକ୍ଷ ରଖିଥିଲେ। ଏଥିରେ ସେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ ଯଦି ଖଣି ଓ ଖଣି ଅଞ୍ଚଳ ଉପରେ ଟିକସ ବସାଇବାର ଅଧିକାର କାଢି ନିଆଯାଏ ତେବେ ଏହା ରାଜ୍ୟର ଆର୍ଥିକ ପରିସ୍ଥିତି ଉପରେ କୁପ୍ରଭାବ ପକାଇବ। ସୁପ୍ରିମ କୋର୍ଟଙ୍କ ରାୟ ଓଡ଼ିଶା ପାଇଁ ବିରାଟ ସମ୍ଭାବନା ସୃଷ୍ଟି କରିଥିଲା । ଲକ୍ଷାଧିକ କୋଟି ଟଙ୍କାର ବକେୟା ରାଜସ୍ୱ ଆଦାୟ ସହିତ ବାର୍ଷିକ ୧୨ ହଜାର କୋଟି ଟଙ୍କା ରାଜସ୍ୱ ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ଆମର ଯୁବ ସମାଜର ଭବିଷ୍ୟତ ସୁରକ୍ଷିତ ହେବା ସହିତ ଓଡ଼ିଶାର ବିକାଶ ପାଇଁ ପ୍ରଚୁର ଅର୍ଥ ମିଳିଥାନ୍ତା। ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଓଡ଼ିଶାକୁ ମିଳିବାକୁ ଥିବା ରାଜସ୍ୱକୁ ରାଜ୍ୟବାସୀଙ୍କର କଲ୍ୟାଣ ପାଇଁ କିପରି ସର୍ବୋତ୍ତମ ଭାବରେ ଉପଯୋଗ କରାଯାଇ ପାରିବ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକରେ ନିଶ୍ଚିତ ଭାବରେ ଆଲୋଚନା କରିଥିବେ। କିନ୍ତୁ ଦୁଃଖର କଥା, ସାରା ଦେଶକୁ ଆଚମ୍ୱିତ କରି ସଂସଦରେ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ଗୃହୀତ କରାଯାଇଛି। ଏହାଫଳରେ ରାଜ୍ୟର ଖଣିଜ ସମ୍ପଦ ଉପରୁ ଟିକସ ଆଦାୟର ସାମ୍ୱିଧାନିକ କ୍ଷମତା ଓଡ଼ିଶା ଠାରୁ କାଢ଼ି ନିଆଗଲା। 

ଆହୁରି ପଢ଼ନ୍ତୁ: ଭୁଲିଗଲେ ୩୫୦୦ ଟଙ୍କା ପ୍ରତିଶ୍ରୁତି, ଭତ୍ତାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ବିଡ଼ମ୍ବନା ହେଉଛି ଓଡ଼ିଶାବାସୀଙ୍କ ସ୍ୱାର୍ଥ ବିରୁଦ୍ଧରେ ଯାଇ ବିଜେପିର ୨୦ ଜଣ ସାଂସଦ ଏହି ସଂଶୋଧନକୁ ସମର୍ଥନ କଲେ। ଖଣି ମାଲିକ ଯାହା ଚାହୁଁଥିଲେ, ବିଜେପି ସାଂସଦଙ୍କ ସମର୍ଥନ ଯୋଗୁଁ ଏବେ ତାହା ହିଁ ହେଲା।  କିନ୍ତୁ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ)ର ପରବର୍ତ୍ତୀ ପ୍ରତିକ୍ରିୟା ସ୍ୱରୂପ ଓଡ଼ିଶା ବିପୁଳ ଆର୍ଥିକ କ୍ଷତି ସହିବାକୁ ଯାଉଛି ଏବଂ ଏହାର ସାମ୍ୱିଧାନିକ ଅଧିକାର ମଧ୍ୟ ଚାଲିଯାଇଛି। ଗୃହର ନେତା ଭାବରେ ବିଧାନସଭାରେ ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର କରିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରିବା ମୁଖ୍ୟମନ୍ତ୍ରୀଙ୍କର ନୈତିକ ଦାୟିତ୍ୱ। ଏଥିପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାକୁ ବିଜୁ ଜନତା ଦଳ ସମର୍ଥନ କରିବ। ଏହାଦ୍ୱାରା ଓଡ଼ିଶାର ସାମ୍ୱିଧାନିକ ଅଧିକାର ପୁନଃ ପ୍ରତିଷ୍ଠିତ ହେବା ସହିତ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷିତ ରହିବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ସନ୍ତାନର ମଙ୍ଗଳ କାମନା କରି ଶ୍ରଦ୍ଧା ଓ ଭକ୍ତିର ସହ ରାଜ୍ୟରେ ପାଳିତ ହେଉଛି ପାରମ୍ପରିକ ‘ଷଠି ଓଷା’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର