ବାତ୍ୟା 'ଅକୱାନ' ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି

Madhusudan Das Picture
Published On

କେନ୍ଦୁଝର: ବାତ୍ୟା ‘ଅକୱାନ’କୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଏବଂ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ କରିବା ନିମନ୍ତେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ଗଣମାଧ୍ୟମଙ୍କୁ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଇଁ ଆଜି ସକାଳ ୮ଟା ୩୦ରୁ ନଭେମ୍ବର ୨୦ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ନଭେମ୍ବର ୨୦ ତାରିଖ ସକାଳ ୮ଟା ୩୦ରୁ ନଭେମ୍ବର ୨୧ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ କେନ୍ଦୁଝର ଜିଲ୍ଲା ଅରେଞ୍ଜ ଜୋନ୍‌ରେ ରହିବ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ସାମୁଦ୍ରିକ ଝଡ଼ ‘ଅକୱାନ’: ଆନ୍ଧ୍ର ଉପକୂଳ ମୁହାଁ, ଓଡ଼ିଶାରେ ହାଇଆଲର୍ଟ

ଜିଲ୍ଲାର ସମସ୍ତ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିବାବେଳେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ (DEOC) ୨୪ ଘଣ୍ଟିଆ କାର୍ଯ୍ୟ କରୁଛି। ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଡିଓ, ତହସିଲଦାର, ଗ୍ରାମ୍ୟ ଉନ୍ନୟନ ବିଭାଗ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ ଅନ୍ୟାନ୍ୟ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ତଦାରଖ ଏବଂ ସମନ୍ୱୟ ନିମନ୍ତେ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'ର ପ୍ରଭାବ: ଓଡ଼ିଶାର ୬ ଜିଲ୍ଲା ପାଇଁ 'ରେଡ୍ ୱାର୍ଣ୍ଣିଂ', ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

୪ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସହ ୩୧୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି। 
ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ୪ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଯେଉଁଥିରେ ଘସିପୁରା ଆଶ୍ରୟସ୍ଥଳୀ ମଧ୍ୟ ରହିଛି, ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ଏଥିସହିତ ୩୧୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଗର୍ଭବତୀ ମହିଳାମାନଙ୍କ ସୁରକ୍ଷାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇ ଜିଲ୍ଲାରେ ୪୧୫ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନା କିମ୍ବା ମା’ ଗୃହକୁ ସ୍ଥାନାନ୍ତର କରାଯାଉଛି ।

ଚିହ୍ନଟ ହୋଇଥିବା ୧୭ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକ ଉପରେ ତହସିଲଦାରମାନେ ସ୍ୱତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତା ଅବରୋଧ ହେଲେ ତୁରନ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ NHAI, ଗ୍ରାମ୍ୟ ଉନ୍ନୟନ ଏବଂ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଟିମ୍‌କୁ ଆବଶ୍ୟକ ଯନ୍ତ୍ରପାତି ଓ କର୍ମଚାରୀଙ୍କ ସହ ପ୍ରସ୍ତୁତ ରଖାଯାଇଛି। ବନ୍ୟାଜଳରେ ବୁଡ଼ିଥିବା କିମ୍ବା କ୍ଷତିଗ୍ରସ୍ତ ରାସ୍ତା ଓ ପୋଲ ଉପରେ ତୁରନ୍ତ ଯାତାୟାତ ବନ୍ଦ କରିବା ସହ ସେଠାରେ ଲୋକଙ୍କ ପ୍ରବେଶ ନିଷେଧ କରିବାକୁ ନିର୍ଦ୍ଦେଶ ରହିଛି, ଯାହାଦ୍ୱାରା ଜୀବନହାନିକୁ ଏଡ଼ାଇ ଦିଆଯାଇପାରିବ।

ଆନନ୍ଦପୁରରେ ବୈତରଣୀ ନଦୀର ଜଳସ୍ତର ସତର୍କ ସଂକେତଠାରୁ ତଳେ ପ୍ରବାହିତ ହେଉଛି। 
ଜିଲ୍ଲାପାଳ ଜନସାଧାରଣଙ୍କୁ ନଦୀ, ବନ୍ୟାଜଳ ପ୍ରବାହିତ କଲଭର୍ଟ, ରାସ୍ତା, ପାହାଡ଼ ଏବଂ ଜଳପ୍ରପାତ ନିକଟକୁ ନଯିବାକୁ ଅନୁରୋଧ କରିଛନ୍ତି। 

ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଗଣମାଧ୍ୟମ ସଂସ୍ଥାକୁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ (DEOC) ପକ୍ଷରୁ ଜାରି ହେଉଥିବା ସରକାରୀ ଓ ଅଧିକୃତ ସୂଚନାକୁ ହିଁ ପ୍ରସାରଣ କରିବାକୁ ଅନୁରୋଧ କରିଛନ୍ତି। ଗୁଜବ ପ୍ରଚାର ରୋକିବା ଏବଂ ଅପପ୍ରଚାରକୁ ନିରୁତ୍ସାହିତ କରିବାରେ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି।

ଜିଲ୍ଲା ପ୍ରଶାସନ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ପ୍ରକାଶ କରିବା ସହ ଜନସାଧାରଣଙ୍କୁ ସତର୍କ ରହିବା, ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବା ଏବଂ ପ୍ରଶାସନକୁ ସହଯୋଗ କରିବାକୁ ଅପିଲ୍ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର