ବିସ୍କୁଟ ଚୋରି ସନ୍ଦେହରେ ନାବାଳକକୁ ପିଟିପିଟି ହତ୍ୟା ! ପୋଲିସର ତଦନ୍ତ ଜାରି
ବାଲେଶ୍ୱର: ମାତ୍ର ଏକ ପ୍ୟାକେଟ୍ ବିସ୍କୁଟ ଚୋରି ସନ୍ଦେହରେ ଜଣେ ୧୩ ବର୍ଷର ନାବାଳକକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ତେଣ୍ଟୁଳିଆ ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ମୃତ ନାବାଳକଙ୍କ ନାମ ଦିନେଶ ବାଗସିଂହ ବୋଲି ଜଣାପଡିଛି। ଶୁକ୍ରବାର ଦିନ ଦିନେଶ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ମାନସ ବେହେରାଙ୍କ ଭେରାଇଟି ଷ୍ଟୋରକୁ ଯାଇଥିଲେ। କିନ୍ତୁ ରାତି ହେବା ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ଦୋକାନ ପଛପଟେ ଥିବା ଏକ ନିର୍ମାଣାଧୀନ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦିନେଶ ଦୋକାନରୁ ଏକ ବିସ୍କୁଟ ପ୍ୟାକେଟ୍ ନେଇ ଖାଇଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୋକାନ ମାଲିକ ମାନସ ଓ ତାଙ୍କ ପୁଅ ନାବାଳକକୁ ନିର୍ଧୁମ ମାଡ଼ ମାରିବା ସହ ଦୋକାନ ଭିତରେ ବନ୍ଦ କରି ରଖିଥିଲେ। ଅତ୍ୟଧିକ ମାଡ଼ ଯୋଗୁଁ ନାବାଳକର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପ୍ରଘଟ ହେବା ପରେ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଦୋକାନୀଙ୍କ ଭେରାଇଟି ଷ୍ଟୋର ଉପରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।






