ମାଲକାନଗିରିରେ ଆସନ୍ତା ୧୯ ଓ ୨୦ ତାରିଖରେ ସ୍କୁଲ୍ ଓ କଲେଜ ଛୁଟି ଘୋଷଣା
ମାଲକାନଗିରି: ମାଲକାନଗିରିରେ ୨ ଦିନ ସ୍କୁଲ୍ ଛୁଟି ଘୋଷଣା । ସମ୍ଭାବ୍ୟ ବାତ୍ୟା 'ଅକଭାନ୍' କୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ଆସନ୍ତା ୧୯ ଓ ୨୦ ତାରିଖରେ ସ୍କୁଲ୍ ଓ କଲେଜ ଛୁଟି ଘୋଷଣା କରିଛି । ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତା ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ମାଲକାନଗିରି ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ନଭେମ୍ବର ୧୯ ଏବଂ ୨୦ ତାରିଖରେ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ଏହି ପୂର୍ବ ପ୍ରସ୍ତୁତି କରାଯାଇଛି। ବାତ୍ୟା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ବାତ୍ୟା 'ଅକଭାନ୍' ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦-୧୩୦ କିଲୋମିଟର ରହିବ, ଯାହା ସର୍ବାଧିକ ୧୪୫ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହାର ପ୍ରଭାବରେ ମାଲକାନଗିରି ସମେତ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସ୍ଥିତିକୁ ପରଖିବା ସହ ଜରୁରୀକାଳୀନ ପରିସ୍ଥିତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।






