ମନୋରଞ୍ଜନ
ଓଡ଼ିଶା
MMDR ଆଇନ ସଂଶୋଧନ ବିରୋଧରେ ବିଜେଡିର ରଣହୁଙ୍କାର: ବିଧାନସଭା ସମ୍ମୁଖରେ ବିଶାଳ ଗଣବିକ୍ଷୋଭ
ଭୁବନେଶ୍ୱର: MMDR ଆଇନ ସଂଶୋଧନ ବିରୋଧରେ ବିଜେଡିର ହାଲ୍ଲାବୋଲ୍ । ବିଧାନସଭା ସମ୍ମୁଖରେ ବିଜେଡି କରିବ ବିଶାଳ ଗଣବିକ୍ଷୋଭ । ଏହି ବିଶାଳ ବିକ୍ଷୋଭରେ ଯୋଗଦେବେ ଦଳର ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟର ହିତ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧୀ ସଂଶୋଧିତ ଖଣି ଆଇନ ପ୍ରତ୍ୟାହାର ଦାବିରେ ରାଜଧାନୀ ଭୁବନେଶ୍ୱରରେ ବିଜେଡିର ବିଶାଳ ଗଣବିକ୍ଷୋଭ। ଏହି ବିକ୍ଷୋଭରେ ଦଳର ସବୁ ବରିଷ୍ଠ ନେତାଙ୍କ ସହ ସାଂସଦ, ବିଧାୟକମାନେ ମଧ୍ୟ ଉପସ୍ଥିତ ରହିବେ।
ଏହି ପ୍ରତିବାଦ ସମାବେଶରେ ବହୁ ସଂଖ୍ୟାରେ ସାମିଲ ହେବାକୁ ଦଳ ପକ୍ଷରୁ ଓଡ଼ିଶାବାସୀଙ୍କୁ ନିବେଦନ କରାଯାଇଛି। ସଂସଦରେ ଏହି ଆଇନ ଗୃହୀତ ହେବା ଦିନଠାରୁ ଆଞ୍ଚଳିକ ଦଳ ବିଜେଡି ଏହାକୁ କ୍ରମାଗତ ଭାବେ ବିରୋଧ କରିଆସୁଛି।
ଖଣି ଓ ଖଣିଜ ସାମଗ୍ରୀ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ବିବାଦୀୟ ଏମ୍ଏମ୍ଡ଼ିଆର୍ ସଂଶୋଧନ ଆଇନରେ ରାଜ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରିବା ଓ ରାଜ୍ୟ ପାଇବାକୁ ଥିବା ଟିକସକୁ ଖଣି ମାଲିକଙ୍କୁ ଉପହାର ଦେବା ପ୍ରତିବାଦରେ ବିଜେଡି ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। ୨୦୨୪ ମସିହା ଜୁଲାଇ ୨୫ରେ ଖଣି ଓ ଖଣିଜ ଜମି ଉପରେ ରାଜ୍ୟମାନେ ଟିକସ ଓ ଲେଭି ଲଗାଇ ପାରିବେ ଓ ୨୦୦୫ ମସିହାରୁ ଏହାର ବକେୟା ଆଦାୟ କରି ପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଓଡ଼ିଶା ବକେୟା ବାବଦକୁ ଏକ ଲକ୍ଷ କୋଟି ଓ ବର୍ଦ୍ଧିତ ରାଜସ୍ୱ ବାବଦକୁ ୧୨,୦୦୦ କୋଟି ଟଙ୍କା ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା। ମାତ୍ର ଏମଏମଡିଆର ଆଇନ ସଂଶୋଧନ ଯୋଗୁଁ ରାଜ୍ୟ ସରକାର ଏହି ବିପୁଳ ବକେୟା ଅର୍ଥ ରାଶି ହରାଇଛନ୍ତି ; ସେହିପରି ଭବିଷ୍ୟତରେ ବି ଖଣି ଓ ଖଣିଜ ଜମିଉପରେ ଟିକସ ଲଗାଇବାର ଅଧିକାରକୁ ମଧ୍ୟ କେନ୍ଦ୍ର ସରକାର ହଡ଼ପ କରିନେଇଛନ୍ତି। ଯାହା ଫଳରେ ଓଡ଼ିଶା ବିପୁଳ କ୍ଷତିଗ୍ରସ୍ତ ହେବ ଓ ରାଜ୍ୟବାସୀ ନିଜ ଜମିର ଅଧିକାର ହରାଇବେ। ଏହାର ପ୍ରତିବାଦ ସହ ଏହି ଆଇନକୁ ପ୍ରତ୍ୟାହାର ଦାବିରେ ବିଜେଡି ଆଜି ଲୋୟର ପିଏମଜି ଠାରେ ଏକ ବିଶାଳ ବିକ୍ଷୋଭ କରିବ।






