ମନୋରଞ୍ଜନ
ପରକୀୟା ପ୍ରୀତିରୁ ଷଡ଼ଯନ୍ତ୍ର: ମଙ୍ଗଳସୂତ୍ର ବନ୍ଧକ ରଖି ବନ୍ଧୁକ କିଣିଲେ ପତ୍ନୀ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ କଲେ ହତ୍ୟା
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଜଣେ ଯୁବକଙ୍କ ହତ୍ୟାକାଣ୍ଡ ଉପରୁ ପୋଲିସ ପରଦା ହଟାଇଛି। ପରକୀୟା ପ୍ରୀତିରେ ବାଧକ ସାଜିବାରୁ ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ସ୍ୱାମୀଙ୍କୁ ମାରିବା ପାଇଁ ବନ୍ଧୁକ କିଣିବାକୁ ନିଜ ମଙ୍ଗଳସୂତ୍ରକୁ ବନ୍ଧକ ରଖିଥିଲେ ଅଭିଯୁକ୍ତ ପତ୍ନୀ। ଏହି ଘଟଣାରେ ପୋଲିସ ମୃତକଙ୍କ ପତ୍ନୀ, ତାଙ୍କ ପ୍ରେମିକ ଏବଂ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି।
ବିନିକାଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି ଏହି ସମ୍ବେଦନଶୀଳ ମାମଲାର ଖୁଲାସା କରିଛନ୍ତି। ବ୍ରାହ୍ମଣୀପାଲି ଗ୍ରାମର ଏହି ଯୁବକଙ୍କୁ ଗତ ୧୭ ତାରିଖ ଦିନ ଗୁଳି କରି ହତ୍ୟା କରାଯାଇଥିଲା।
ପୋଲିସର ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସାଲେପାଲି-ଆଇଁଲାସାରି ରାସ୍ତାର ପଙ୍କେଲ ଗ୍ରାମ ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମୃତକ ଜଣକ ନିଜ ମୋଟରସାଇକେଲରେ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ, ମୃତକଙ୍କ ପତ୍ନୀଙ୍କର ଜଣେ ଯୁବକଙ୍କ ସହ ପରକୀୟା ପ୍ରୀତି ରହିଥିଲା। ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ତିକ୍ତତା ଓ ଝଗଡ଼ା ଲାଗି ରହୁଥିଲା। ସ୍ୱାମୀଙ୍କୁ ନିଜ ପଥରୁ ହଟାଇବା ପାଇଁ ପତ୍ନୀ ଏକ ଭୟଙ୍କର ଯୋଜନା ପ୍ରସ୍ତୁତ କରିଥିଲେ। ହତ୍ୟା ପାଇଁ ବନ୍ଧୁକ କିଣିବାକୁ ଟଙ୍କାର ଆବଶ୍ୟକତା ଥିବାରୁ ସେ ନିଜର ମଙ୍ଗଳସୂତ୍ର ବନ୍ଧକ ରଖିଥିଲେ। ସେହି ଟଙ୍କାରେ ବନ୍ଧୁକ କିଣାଯିବା ପରେ ପ୍ରେମିକ ଓ ତାଙ୍କ ସହଯୋଗୀଙ୍କ ସହାୟତାରେ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ଏହି ମାମଲାରେ ସୁବର୍ଣ୍ଣପୁର ପୋଲିସ ମୋଟ ତିନି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ଷଡ଼ଯନ୍ତ୍ରରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଏସପି ସୂଚନା ଦେଇଛନ୍ତି।






