ମନୋରଞ୍ଜନ
କାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା, ମୁତୟନ ହେବେ ୩୫ ପ୍ଲାଟୁନ ପୋଲିସ ଫୋର୍ସ
ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଧାନସଭା ପରିସରରେ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ପୋଲିସ ମହାନିର୍ଦ୍ଦେଶକ (DGP) ବିନୟତୋଷ ମିଶ୍ର ଏହି ସୂଚନା ଦେଇଛନ୍ତି। ପରିସ୍ଥିତି ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରାର ସହାୟତା ନିଆଯିବ ଏବଂ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ Special Tactical Unit (STU) କମାଣ୍ଡୋମାନଙ୍କୁ ସଜାଗ ରଖାଯାଇଛି।
ବିଧାନସଭାର ପ୍ରତିଟି କୋଣକୁ sniffer dogs ଏବଂ bomb squad ଦ୍ୱାରା ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ବିଧାନସଭାକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ବାରିକେଡ୍ କରାଯିବା ସହ କେବଳ ଅନୁମତିପ୍ରାପ୍ତ ଗାଡ଼ିକୁ ଛଡ଼ାଯିବ। ବିଧାୟକ, ମନ୍ତ୍ରୀ, ସାମ୍ବାଦିକ ଏବଂ ବାଚସ୍ପତିଙ୍କ ପାଇଁ ପୃଥକ ପୃଥକ ପ୍ରବେଶ ଦ୍ୱାରର ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ବିଧାନସଭା ଚତୁଃପାର୍ଶ୍ୱରେ ଥିବା ଉଚ୍ଚ ଅଟ୍ଟାଳିକା ଉପରେ ମଧ୍ୟ ସୁରକ୍ଷା କର୍ମୀ ମୁତୟନ ରହିବେ। ପ୍ରତିଦିନ ଅଧିବେଶନ ଆରମ୍ଭ ପୂର୍ବରୁ ଆଣ୍ଟି-ସାବୋଟେଜ୍ ଟିମ୍ ପକ୍ଷରୁ ସମଗ୍ର ଗୃହର ଯାଞ୍ଚ କରାଯିବ।
ମହାତ୍ମା ଗାନ୍ଧୀ ମାର୍ଗରେ ହେଉଥିବା ଧାରଣା ଓ ବିକ୍ଷୋଭ ଉପରେ ନଜର ରଖିବା ପାଇଁ ୩ଟି କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି। ସିସିଟିଭି କ୍ୟାମେରା ମାଧ୍ୟମରେ ସମସ୍ତ ଗତିବିଧିକୁ ଅନୁଧ୍ୟାନ କରାଯିବ। ଯଦି କେହି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରନ୍ତି, ତେବେ ସେମାନଙ୍କୁ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ କରାଯାଇଥିବା ଅସ୍ଥାୟୀ ଜେଲକୁ ପଠାଯିବାର ବ୍ୟବସ୍ଥା ହୋଇଛି।






