ରାଜ୍ୟ ବିଜେପିକୁ ପଡ଼ିଛି ଶନିଦଶା ! : ନେତାଙ୍କ ବିଶୃଙ୍ଖଳା ଦଳ ଓ ସରକାରଙ୍କୁ କଲାଣି ଅଣନିଃଶ୍ୱାସୀ
ଭୁବନେଶ୍ୱର : ରାଜ୍ୟ ବିଜେପିକୁ ଶନିଦଶା ପଡ଼ିଛି। ରଥଯାତ୍ରାରୁ ବାହୁଡ଼ାଯାତ୍ରା ମଧ୍ୟରେ ଉଭୟ ସରକାର ଓ ସଂଗଠନ ଏକାଧିକ ଅଘଟଣ, ବିଭ୍ରାଟରେ ଛନ୍ଦି ହେବା ସହ ସାଧାରଣରେ ଲଜ୍ଜିତ ହୋଇଛି। ରଥଯାତ୍ରା ଦିନରୁ ଅଘଟଣ ଆରମ୍ଭ ହୋଇଥିବା ବେଳେ ନୀଳଗିରିି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଭଦ୍ରୋଚିତ, ଅରୁଚିକର ଟିପ୍ପଣୀ ବିଜେପିକୁ ସାଧାରଣରେ ନିନ୍ଦିତ କରିଛି। ଏହା ମଧ୍ୟରେ ଗୁଣ୍ଡିଚା ମନ୍ଦିରରେ ଦଳାଚକଟା ମୃତ୍ୟୁ, ଓଏଏସ ଅଧିକାରୀଙ୍କୁ ବିଜେପି ନେତାଙ୍କ ମରଣାନ୍ତକ ଆକ୍ରମଣ ଘଟଣାରେ ଉଭୟ ସରକାର […]
ଭୁବନେଶ୍ୱର : ରାଜ୍ୟ ବିଜେପିକୁ ଶନିଦଶା ପଡ଼ିଛି। ରଥଯାତ୍ରାରୁ ବାହୁଡ଼ାଯାତ୍ରା ମଧ୍ୟରେ ଉଭୟ ସରକାର ଓ ସଂଗଠନ ଏକାଧିକ ଅଘଟଣ, ବିଭ୍ରାଟରେ ଛନ୍ଦି ହେବା ସହ ସାଧାରଣରେ ଲଜ୍ଜିତ ହୋଇଛି। ରଥଯାତ୍ରା ଦିନରୁ ଅଘଟଣ ଆରମ୍ଭ ହୋଇଥିବା ବେଳେ ନୀଳଗିରିି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଭଦ୍ରୋଚିତ, ଅରୁଚିକର ଟିପ୍ପଣୀ ବିଜେପିକୁ ସାଧାରଣରେ ନିନ୍ଦିତ କରିଛି। ଏହା ମଧ୍ୟରେ ଗୁଣ୍ଡିଚା ମନ୍ଦିରରେ ଦଳାଚକଟା ମୃତ୍ୟୁ, ଓଏଏସ ଅଧିକାରୀଙ୍କୁ ବିଜେପି ନେତାଙ୍କ ମରଣାନ୍ତକ ଆକ୍ରମଣ ଘଟଣାରେ ଉଭୟ ସରକାର ଏବଂ ସଂଗଠନ ଏକପ୍ରକାର ଅଣନିଃଶ୍ୱାସୀ। ଦଳୀୟ ନେତା, କର୍ମୀ ଉଭୟ ଆଚରଣ ଏବଂ ଉଚ୍ଚାରଣ ବୋଲ ମାନୁ ନ ଥିବା ବେଳେ ଏହା ଦଳ ପାଇଁ ଆଗାମୀ ଦିନରେ ଆହୁରି ସମସ୍ୟା ସୃଷ୍ଟି କରିପାରେ ବୋଲି ରାଜନୈତିକ ସମୀକ୍ଷକ ଆଶଙ୍କା କରୁଛନ୍ତି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମୋଦକ ଚୋରିରୁ ପୁରୀରେ ରଥଯାତ୍ରା ଅଘଟଣ ଆରମ୍ଭ ହୋଇଥିବା ବେଳେ ତାହା ଏଯାବତ୍ ଥମିବାର ନାଁ ଧରୁନାହିଁ। ରଥଯାତ୍ରା ଦିନ ୩ ରଥ ବିଳମ୍ବରେ ଟଣା ହେବା, ନନ୍ଦିଘୋଷ ରଥ ସନ୍ଧ୍ୟା ପରେ ନୀତି ବିରୋଧରେ ଯାଇ ଟଣାହେବାକୁ ନେଇ ଖୁବ୍ ସମାଲୋଚିତ ହୋଇଥିଲେ ସରକାର। ବିଭ୍ରାଟ ଏତିକିରେ ସମାପ୍ତ ହୋଇ ନ ଥିଲା। ଏହାପର ଦିନ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା କାରଣରୁ ୩ ଜଣ ଶଦ୍ଧାଳୁଙ୍କ ଜୀବନ ଚାଲିଗଲା। ଭୟଙ୍କର ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ଏହି ଦଳାଚକଟା ଘଟିଥିବା ବେଳେ ଏହା ବିଶ୍ୱବ୍ୟାପୀ ଜଗନ୍ନାଥପ୍ରେମୀଙ୍କୁ ବଡ଼ ଆଘାତ ଦେଇଥିଲା। ଯେନେତେନ ପ୍ରକାରେ ଏହି ଅଘଟଣକୁ ଚାପିବାକୁ ସରକାର ଉଦ୍ୟମ କରୁଥିବା ବେଳେ ଉଭୟ ସରକାର ଏବଂ ସଂଗଠନ ପାଇଁ ନୂଆ ସମସ୍ୟା ଆଣିଥିଲା ବିଏମ୍ସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ।
ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ପ୍ରରୋଚନାରେ ଏପରି ଆକ୍ରମଣ ହୋଇଥିବା ଅଭିଯୋଗ କରି ଓଏଏସ ଅଧିକାରୀମାନେ ସମୂହ ଛୁଟିରେ ଯିବା କାରଣରୁ ରାଜ୍ୟ ଏକ ବଡ଼ ପ୍ରଶାସନିକ ସଂକଟର ସାମ୍ନା କରିଥିଲା। ସରକାର ଘଟଣାରେ ୫ ଜଣଙ୍କୁ ଗିରଫ କରି ମାମଲାର ସମାଧାନ ପାଇଁ ତାଳିପକା ଉଦ୍ୟମ କରିଥିଲେ ହେଁ ଓଏଏସ ସଂଘ ନଛେ଼ାଡ଼ବନ୍ଧା ଥିଲେ। ଶେଷରେ ୩ ଦିନର କାର୍ଯ୍ୟବନ୍ଦ ପରେ ଜଗନ୍ନାଥ ପ୍ରଧାନ ପୁଲିସ ନିକଟରେ ଆତ୍ମ ସମର୍ପଣ କଲେ। ରାଜ୍ୟ ସରକାର ଓ ବିଜେପି ରାଜ୍ୟ ନେତୃତ୍ୱ ଏହାପରେ ଶାନ୍ତିରେ ଟିକେ ନିଃଶ୍ୱାସ ମାରୁଥିବା ବେଳେ ବିଜେଡି ନେତ୍ରୀ ଲେଖାଶ୍ରୀଙ୍କ ପ୍ରତି ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅରୁଚିକର ଟିପ୍ପଣୀ ଦଳ ପାଇଁ ନୂଆ ମୁଣ୍ଡବିନ୍ଧା ସୃଷ୍ଟି କରିଛି। ଲେଖାଶ୍ରୀଙ୍କ ପ୍ରତି ସନ୍ତୋଷ ଯେଉଁପ୍ରକାର ଶବ୍ଦ ବ୍ୟବହାର କରିଛନ୍ତି ତାହା ଅତ୍ୟନ୍ତ ସମ୍ବେଦନଶୀଳ। କୌଣସି ସାଧାରଣ ଲୋକ ମଧ୍ୟ ଏହାକୁ ସହ୍ୟ କରିପାରିବ ନାହିଁ। ମାତ୍ର ରାଜ୍ୟ ବିଜେପି ପକ୍ଷରୁ ଏ ନେଇ କେହିଁ ମୁହଁ ଖୋଲୁନାହାନ୍ତି। ରାଜ୍ୟବ୍ୟାପୀ ସାଧାରଣ ଲୋକେ, ବୁଦ୍ଧିଜୀବୀ ଏହାକୁ କଡ଼ା ସମାଲୋଚନା କରିଥିବା ବେଳେ ନିଜେ ଲେଖାଶ୍ରୀ ଶୁକ୍ରବାର ଭୁବନେଶ୍ୱର ମହିଳା ଥାନାରେ ଏଫଆଇଆର ଦେଇଛନ୍ତି। ଏପରିକି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ମହିଳା ବିରୋଧୀ ସନ୍ତୋଷଙ୍କୁ ବିଧାନସଭା ମଧ୍ୟରେ ପୂରାଇ ଦିଆଯିବ ନାହିଁ ବୋଲି ବିଜେଡି ଚେତାବନୀ ଦେଇଛି।
ଗତ ୯ ଦିନ ମଧ୍ୟରେ ଏତେସଂଖ୍ୟକ ଅଘଟଣ, ବିବାଦ ଏବଂ ବିଭ୍ରାଟକୁ ସାଧାରଣରେ ବିଜେପିର ଚେହେରାକୁ ଧୂଆଁଳିଆ କରି ଦେଇଛି। ଦଳ ଏବଂ ସରକାର ମଧ୍ୟରେ ସମନ୍ୱୟ ଏବଂ ଶୃଙ୍ଖଳାର ଅଭାବ ରାଜ୍ୟରେ ଏକ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପିରେ କେହି କାହାରିକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଦଳ ମଧ୍ୟରେ ଏକାଧିକ ଗୋଷ୍ଠୀଙ୍କ ସକ୍ରିୟତା ମଧ୍ୟ ବିଶୃଙ୍ଖଳାକୁ ଇନ୍ଧନ ଯୋଗାଇ ଚାଲିଛି। ଏପରିସ୍ଥଳେ ଆଗାମୀ ଦିନରେ ବିଶୃଙ୍ଖଳା ଦଳ ପାଇଁ ଏକାଧିକ ସମସ୍ୟା ସୃଷ୍ଟି କରିପାରେ ବୋଲି ରାଜନୈତିକ ମହଲରେ ସନ୍ଦେହ ପ୍ରକାଶ ପାଉଛି।






