ମନୋରଞ୍ଜନ
ରାଜ୍ୟର ଏହି ୩ ଜିଲ୍ଲାରେ ସୁନା ଖଣିର ସନ୍ଧାନ... ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଭୁବନେଶ୍ୱର: ଓଡ଼ିଶାର ଖଣିଜ ସମ୍ପଦ କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ୩ଟି ଜିଲ୍ଲାରେ ସୁନା ଖଣି ଥିବା ନେଇ ସରକାରୀ ସ୍ତରରେ ସୂଚନା ପ୍ରଦାନ କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ ଏବଂ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁନା ପଥର ଥିବା ଚିହ୍ନଟ ହୋଇଛି। ଏଥିସହିତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ରୁପା, ତମ୍ବା, ନିକେଲ ଏବଂ ରୁବି ଭଳି ମୂଲ୍ୟବାନ ଖଣିଜ ଦ୍ରବ୍ୟର ସନ୍ଧାନ ମଧ୍ୟ ମିଳିଛି। ଗୁରୁବାର ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (GSI) ଏବଂ ଓଡ଼ିଶାର ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ସର୍ଭେ ପରେ ଏହି ସୁନା ଖଣିର ସନ୍ଧାନ ମିଳିଛି। ଚିହ୍ନଟ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ କେନ୍ଦୁଝର ଜିଲ୍ଲାର ଗୋପୁର-ଜଳଡିହି, ଦେବଗଡ଼ ଜିଲ୍ଲାର ଆଦାସ-ରାମପାଲି ଏବଂ ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ଅଞ୍ଚଳ ରହିଛି। ଏହି ସ୍ଥାନଗୁଡ଼ିକରେ ବ୍ୟାପକ ଅନୁସନ୍ଧାନ ପରେ ସୁନା ଥିବା ପଥର ଚିହ୍ନଟ କରାଯାଇଛି।
କେବଳ ସୁନା ନୁହେଁ, ବରଂ ଦେବଗଡ଼ ଜିଲ୍ଲାର ଆଦାସ-ରାମପାଲି ଅଞ୍ଚଳରେ ସୁନା, ତମ୍ବା, ଗ୍ରାଫାଇଟ୍, ରୁପା ଏବଂ ନିକେଲ୍ ର ଗଚ୍ଛିତ ଭଣ୍ଡାର ଥିବା ଜଣାପଡ଼ିଛି। ସେହିଭଳି ମୟୂରଭଞ୍ଜର ମଦନସାହି-କାଞ୍ଜିଆ ଅଞ୍ଚଳରେ ତମ୍ବା ଓ ସୁନା ମିଶ୍ରିତ ଖଣିଜ ପଦାର୍ଥ ରହିଛି। ଅନ୍ୟପଟେ କଳାହାଣ୍ଡି ଜିଲ୍ଲାରେ ମୂଲ୍ୟବାନ ରତ୍ନପଥର ରୁବି (Ruby) ଥିବା ନେଇ ମଧ୍ୟ ସର୍ଭେରୁ ଜଣାପଡ଼ିଛି। ସୁନ୍ଦରଗଡ଼ ଓ ଦେବଗଡ଼ର କେତେକ ଅଞ୍ଚଳରେ ରୁପା ଗଚ୍ଛିତ ଥିବା ନେଇ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ଖଣି ବ୍ଲକକୁ ନିଲାମ କରିବା ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଖଣି ବ୍ଲକର ନିଲାମ ପ୍ରକ୍ରିୟା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ତେବେ ଖଣି ଖନନ ପୂର୍ବରୁ ଏହାର ପରିମାଣ ଏବଂ ବ୍ୟବସାୟିକ ଉପଯୋଗିତା ଉପରେ ଅଧିକ ଅନୁଧ୍ୟାନ କରାଯିବ।






