ବାତ୍ୟା-ବନ୍ୟା ଓ କୋଟିଆ ପ୍ରସଙ୍ଗରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହର ମଧ୍ୟଭାଗରେ ବ୍ୟାନର୍ ଓ ପ୍ଲାକାର୍ଡ ଧରି ବିରୋଧୀଙ୍କ ପ୍ରବଳ ହୋହାଲ୍ଲା । ବନ୍ୟା ମୁକାବିଲାରେ ସରକାର ଫେଲ୍ ବିଜେଡିର ଅଭିଯୋଗ କରିଥିବାବେଳେ କୋଟିଆ ପ୍ରସଙ୍ଗରେ ଗୃହ ଭିତରେ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ ।ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀ ବିଜେଡି ଏବଂ କଂଗ୍ରେସ ସଭ୍ୟମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ଗୃହର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ପ୍ରତିବାଦ କରିଥିଲେ। ବିଜୁ ଜନତା ଦଳର ବିଧାୟକମାନେ ରାଜ୍ୟରେ ବନ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଥିଲେ। ସେହିପରି କଂଗ୍ରେସ ସଦସ୍ୟମାନେ କୋଟିଆ ସୀମା ବିବାଦ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ଏହି ପ୍ରସଙ୍ଗଗୁଡ଼ିକ ଉପରେ ତୁରନ୍ତ ଆଲୋଚନା ପାଇଁ ସେମାନେ ଜିଦ୍ ଧରିଥିଲେ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ବିରୋଧୀ ସଭ୍ୟମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀ ଦଳର ସଦସ୍ୟମାନେ ନିଜ ଜିଦ୍ରେ ଅଟଳ ରହି ଗୃହର ମଧ୍ୟଭାଗରେ ସ୍ଲୋଗାନ ଦେବା ଜାରି ରଖିଥିଲେ। ଗୃହରେ ଶୃଙ୍ଖଳା ଫେରି ନଆସିବାରୁ ଶେଷରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ।






