ରାଜନୈତିକ ଦୋଷାରୋପ ବନ୍ଦ କରି ରାଜ୍ୟ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରନ୍ତୁ ରାଜ୍ୟ ସରକାର: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଶାସନ ବ୍ୟବସ୍ଥା, ବିପର୍ଯ୍ୟୟ ପରିଚାଳନା, ଆଇନଶୃଙ୍ଖଳା, ଧାନ ସଂଗ୍ରହ, ସାମାଜିକ ସୁରକ୍ଷା ଓ ଓଡ଼ିଶାର ଭୌଗୋଳିକ ସୀମା ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ସରକାରଙ୍କ ବିଫଳତାକୁ ନେଇ ତୀବ୍ର ସମାଲୋଚନା କଲା ବିଜେଡି । ଏହି ସମସ୍ୟାଗୁଡ଼ିକ ଉପରେ ଓଡ଼ିଶା ବିଧାନସଭାରେ ଆଲୋଚନା କରିବା ସହ ରାଜ୍ୟ ସରକାର ନିଜ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କଲେ ବରିଷ୍ଠ ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ: ୬ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ସେମିଳିଗୁଡ଼ା ସବୁଠୁ ଥଣ୍ଡା

ଶଙ୍ଖ ଭବନରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ପରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ତଥା ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଆହୁରି ପଢ଼ନ୍ତୁ: ଯାତ୍ରା ଚାଲିଥିବା ବେଳେ ହଙ୍ଗାମା: ମଞ୍ଚକୁ ଉପରକୁ ହେଲା ଚେୟାର ମାଡ଼, ଅଧାରୁ ଅଟକିଲା ନାଟକ

ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ଓଡ଼ିଶା ଏକ ପ୍ରାକୃତିକ ସମ୍ପଦରେ ସମୃଦ୍ଧ ରାଜ୍ୟ ହୋଇଥିବା ସତ୍ତ୍ୱେ ଏହାର ସମ୍ପଦର ସଠିକ୍ ଉପଯୋଗ କରିବା ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛନ୍ତି । ବିପର୍ଯ୍ୟୟ ମୁକାବିଲାରେ ପୂର୍ବ ପ୍ରସ୍ତୁତିର ଅଭାବ, ପ୍ରଶାସନିକ ଅପାରଗତା ଓ ଉଦ୍ଧାର କାର୍ଯ୍ୟରେ ବିଳମ୍ୱ ଯୋଗୁଁ ପ୍ରଭାବିତ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବିଜ୍ଞାପନ ମାଧ୍ୟମରେ ସରକାର ବଡ଼ ବଡ଼ ଦାବି କରୁଥିଲା ବେଳେ ବାସ୍ତବରେ ଅନେକ କ୍ଷତିଗ୍ରସ୍ତ ପରିବାରଙ୍କ ନିକଟରେ ସହାୟତା ପହଞ୍ଚିପାରୁ ନାହିଁ । ଓଡ଼ିଆ ଅସ୍ମିତାର ନାରା ଦେଉଥିବା ବିଜେପି ସରକାର ରାଜ୍ୟର ସୀମାନ୍ତ ଅଞ୍ଚଳଗୁଡ଼ିକର ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି । ପଡ଼ୋଶୀ ରାଜ୍ୟଗୁଡ଼ିକ ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଅନଧିକୃତ ପ୍ରବେଶ କରୁଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଚିନ୍ତାଜନକ । ଓଡ଼ିଶାର ସୀମା ଓ ଭୌଗୋଳିକ ଅଧିକାରର ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେଇ ସମସ୍ୟାର ସମାଧାନ କରନ୍ତୁ । ଧାନ ସଂଗ୍ରହ ପାଇଁ ଏକ ସ୍ୱଚ୍ଛ ଓ ସୁଦୃଢ଼ ବ୍ୟବସ୍ଥା ଗଠନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଓ ଟୋକନ ବ୍ୟବସ୍ଥାରେ ଜଟିଳତା ଯୋଗୁଁ ଚାଷୀମାନେ ହଇରାଣ ହେଉଛନ୍ତି । ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିବା, ଚାଷୀଙ୍କୁ ଆବଶ୍ୟକ ସମୟ ଦେବା ଏବଂ ବୈଷୟିକ କିମ୍ୱା ପ୍ରଶାସନିକ ତ୍ରୁଟି ଯୋଗୁଁ ଯେପରି କୌଣସି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । ଏମଏମଡିଆର ସଂଶୋଧନ ଆଇନ ଯୋଗୁଁ ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟ ଓଡ଼ିଶା ରାଜସ୍ୱ ହରାଇବ । ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ଦୃଢ଼ ଆଭିମୁଖ୍ୟ ଗ୍ରହଣ କରନ୍ତୁ ।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'କୁ ଦୃଷ୍ଟିରେ ରଖି ରାଜ୍ୟର ୭ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା

ଶ୍ରୀ ଗୌତମବୁଦ୍ଧ ଦାସ କହିଥିଲେ ଯେ, ବିଜେଡି ସରକାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦେଶବ୍ୟାପୀ ପ୍ରଶଂସା ଓ ସ୍ୱୀକୃତି ହାସଲ କରିଥିଲା । କିନ୍ତୁ ବର୍ତ୍ତମାନର ସରକାର ଜନକଲ୍ୟାଣ ଓ ବିକାଶ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ରାଜନୈତିକ ଶ୍ରେୟ ନେବା ଏବଂ ପୂର୍ବ ସରକାରଙ୍କୁ ଦୋଷ ଦେବାରେ ଅଧିକ ଆଗ୍ରହୀ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ନାରୀ ନିର୍ଯାତନା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥିସହ ବହୁ ମାସ ଧରି ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ବୃଦ୍ଧବୃଦ୍ଧା ଓ ବିଧବା ମହିଳାଙ୍କ ଦୁର୍ଦ୍ଦଶା କହିଲେ ନ ସରେ । ବିବାଦୀୟ ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା କରିବାରେ ବିଜେପି ସରକାର ବିଫଳ ହୋଇଛନ୍ତି । ସରକାର ସୀମା ବିବାଦର ତୁରନ୍ତ ସମାଧାନ କରନ୍ତୁ । ଓଡ଼ିଶା ବିଧାନସଭା ହେଉଛି ରାଜ୍ୟବାସୀଙ୍କ ସମସ୍ୟା ଓ ସ୍ୱାର୍ଥ ସମ୍ପର୍କରେ ଆଲୋଚନା କରିବାର ସର୍ବୋଚ୍ଚ ଗଣତାନ୍ତ୍ରିକ ମଞ୍ଚ । ବିରୋଧୀ ଦଳ ଭାବେ ବିଜେଡି ବିଧାନସଭା କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚାହୁଁନାହିଁ, ବରଂ ଜନସାଧାରଣଙ୍କ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରି ସରକାରଙ୍କ ଠାରୁ ଉତ୍ତରଦାୟିତ୍ୱ ଚାହୁଁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର