ଓଡ଼ିଶାର ୨୦ ବିଜେପି ସାଂସଦଙ୍କ ଉପରେ ଭାରି ପଡ଼ୁଛନ୍ତି ଆନ୍ଧ୍ରର ୧୯ ସହଯୋଗୀ: ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଜଳଜଳ

Madhusudan Das Picture
Published On

ଭୁବନେଶ୍ୱର: କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଓଡ଼ିଶାବାସୀ ବିପୁଳ ସମର୍ଥନ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟର ୨୧ଟି ଆସନରୁ ୨୦ଟିରେ ବିଜେପି ବିଜୟୀ ହୋଇଛି ଓ କେନ୍ଦ୍ରରେ ବିଜେପିର ସରକାର ଗଠନରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏସବୁ ସତ୍ତ୍ବେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟମିତ ଅବହେଳାର ଶିକାର ହୋଇଛି। ଏପରିକି ପୂର୍ବରୁ ରାଜ୍ୟରେ ବିଜେଡି ସରକାର ଥିବାବେଳେ ଓଡ଼ିଶା କେନ୍ଦ୍ରରୁ ଯେତିକି ଦାବି ହାସଲ କରୁଥିଲା, ଏବେ ବିଜେପି ସରକାର ଥାଇ ବି ଓଡ଼ିଶା ତହିଁଁରୁ କମ୍‌ ସହାୟତା ଓ ଅନୁଦାନ ପାଉଥିବା ମଧ୍ୟ ଅଭିଯୋଗ ହୋଇଛି। ବିଡ଼ମ୍ବନା ହେଉଛି ଓଡ଼ିଶାର ୨୦ ବିଜେପି ସାଂସଦ ଥିବାବେଳେ ଆନ୍ଧ୍ରରେ ବିଜେପିର ୧୯ ସହଯୋଗୀ ସାଂସଦ ସେମାନଙ୍କ ରାଜ୍ୟ ପାଇଁ କେନ୍ଦ୍ରରୁ ଅଧିକ ଅନୁଦାନ ଓ ସହାୟତା ପାଉଛନ୍ତି।  ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାର ଆନ୍ଧ୍ର ପ୍ରତି ଅଧିକ ଉଦାର ମନୋଭାବ ପୋଷଣ କରୁଥିବା ମଧ୍ୟ ଦେଖାଯାଉଛି। ପୋଲାଭରମ୍‌ ଓ କୋଟିଆ ବିବାଦରେ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବା ସତ୍ତ୍ବେ ଆନ୍ଧ୍ର ସରକାରଙ୍କୁ ନାରାଜ ନ କରିବା ପାଇଁ କେନ୍ଦ୍ର ନିରବତା ଅବଲମ୍ବନ କରୁଥିବା ବିରୋଧୀ ବିଜେଡି ଓ କଂଗ୍ରେସ ଅଭିଯୋଗ ମଧ୍ୟ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଦିଲ୍ଲୀପ କୁମାର ନାୟକ

ଓଡ଼ିଶାରୁ ୨୦ ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶରେ ବିଜେପିର ସହଯୋଗୀ ଟିଡ଼ିପି ଓ ଜନସେନା ସାଂସଦଙ୍କ ସଂଖ୍ୟା ୧୯। ଓଡ଼ିଶା ତୁଳନାରେ ଆନ୍ଧ୍ରପ୍ରଦେଶରେ ବିଜେପିର ସହଯୋଗୀ ସାଂସଦ ସଂଖ୍ୟା କମ୍‌ ଥିଲେ ମଧ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାରଙ୍କ ଦାବି ଓ ପ୍ରସ୍ତାବକୁ କେନ୍ଦ୍ରରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଶିଳ୍ପ, ଭିତ୍ତିଭୂମି, ରେଳବାଇ, ଆର୍ଥିକ ସହାୟତା ଓ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଦୁଇ ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ସହଯୋଗର ଚିଠାକୁ ହିସାବ କଲେ ଓଡ଼ିଶା ପ୍ରତି ଅବହେଳା ବାରି ହୋଇ ପଡ଼ୁଛି। ସ୍ପର୍ଶକାତର ପ୍ରସଙ୍ଗଟି ହେଉଛି ପୂର୍ବ ସରକାର ସମୟରେ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିବାକୁ ବୁଝାମଣା କରିଥିବା ଅନେକ ସଂସ୍ଥା ଏବେ ଆନ୍ଧ୍ରରେ ଶିଳ୍ପ ଓ କାରଖାନା ଆରମ୍ଭ କରିବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାରେ ଲକ୍ଷ ଲକ୍ଷ ଶିଶୁ
କୁପୋଷଣର ଶିକାର: ବିଜେଡି

ସେହିପରି ନିକଟରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନକୁ ଦେଖିଲେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଜଳଜଳ ଦିଶୁଛି। ରାଜ୍ୟରେ ଡବଲ ଇଞ୍ଜିନ ସରକାରରେ ଓଡ଼ିଶାକୁ ଡବଲ୍‌ ଘର ମିଳିବ ବୋଲି ଲୋକେ ଆଶା କରିଥିଲେ। ମାତ୍ର ବାସ୍ତବତା ହେଉଛି ଭିନ୍ନ। କେନ୍ଦ୍ରରେ ଏନ୍‌ଡ଼ିଏ ସରକାରଙ୍କ ସହଯୋଗୀ ଟିଡ଼ିପିର ଆନ୍ଧ୍ର ଇଞ୍ଜିନ୍‌କୁ ଓଡ଼ିଶା ତୁଳନାରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଓଡ଼ିଶାରୁ ୨୮ ଲକ୍ଷ ୨୮ ହଜାର ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ମାତ୍ର କେନ୍ଦ୍ର ସରକାର ଓଡ଼ିଶାକୁ ମାତ୍ର ୫ ଲକ୍ଷ ଘର ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାକୁ ଦାବିର ୧୭.୬୮ ପ୍ରତିଶତ ଘର ମିଳିବ। ମାତ୍ର  ଆନ୍ଧ୍ର ପ୍ରଦେଶରେ ମାତ୍ର ୩ ଲକ୍ଷ ୨୧ ହଜାର ହିତାଧିକାରୀ ଆବାସ ଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ କେନ୍ଦ୍ର ସରକାର ଆନ୍ଧ୍ର ପାଇଁ ୩ ଲକ୍ଷ ଆବାସ ଗୃହ ଆବଣ୍ଟନ କରିଛନ୍ତି। ଅର୍ଥାତ୍‌ ଦେଇଥିବା ଦାବିର ୯୩% ଆବାସ ଆନ୍ଧ୍ର ଇଞ୍ଜିନକୁ ମିଳିବ । 

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅକୱାନ’ ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ଆନ୍ଧ୍ର ଉପକୂଳରେ କରିପାରେ ଲ୍ୟାଣ୍ଡଫଲ୍

ସେହିପରି  ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲା ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଥିବାରୁ ଓଡ଼ିଶା ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛି। ମାତ୍ର କେନ୍ଦ୍ର ବିଜେପି ସରକାର ଏହି ପ୍ରକଳ୍ପକୁ ଜାତୀୟ ମାନ୍ୟତା ପ୍ରଦାନ କରିଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ପ୍ରକଳ୍ପକୁ ଶେଷ କରିବା ଲାଗି ବିପୁଳ ଅନୁଦାନ ଦେଉଛନ୍ତି। ସେହିପରି କୋଟିଆରେ ଆନ୍ଧ୍ର ପଶି ଜବରଦସ୍ତ ଓଡ଼ିଶା ଜମିକୁ ନିଜ କବ୍‌ଜାକୁ ନେବା ଉଦ୍ୟମ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛନ୍ତି।  ଯାହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ଏବଂ ବିରୋଧୀ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନିଶାଣ କରିଛନ୍ତି । ଓଡ଼ିଶାର ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ରାଜ୍ୟର ୨୦ ବିଜେପି ସାଂସଦ ବିଫଳ ହୋଇଛନ୍ତି ବୋଲି ମଧ୍ୟ ଅଭିଯୋଗ ଉଠିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର