ଆଉ ପାଦେ ଆଗକୁ ବଢ଼ିଲା ପୁରୀ ବିମାନବନ୍ଦର ‌ପ୍ରକଳ୍ପ: ମିଳିଲା ସିଆର୍‌ଜେଡ୍‌ ଅନୁମତି

Madhusudan Das Picture
Published On

ପୁରୀ: ଆକାଶପଥରେ ପୁରୀକୁ ଯୋଡ଼ିବାର ସ୍ୱପ୍ନ ଏବେ ଧୀରେଧୀରେ ବାସ୍ତବ ରୂପ ନେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ଗ୍ରୀନ୍‌ଫିଲ୍ଡ ବିମାନବନ୍ଦର ପାଇଁ ସିଆର୍‌ଜେଡ୍‌ (କୋଷ୍ଟାଲ ରେଗୁଲେସନ ଜୋନ୍‌) କ୍ଲିୟରାନ୍ସ ମିଳିଛି। ଏହାକୁ ପ୍ରକଳ୍ପର ଅନୁମୋଦନ ପ୍ରକ୍ରିୟାରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହା ପରେ ବିମାନବନ୍ଦର ନିର୍ମାଣ ଆଗକୁ ବଢ଼ିବା ନେଇ ଆଶା ବଢ଼ିଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରତିବାଦରେ ଆଜି ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

୨୦୨୧ ମସିହାରୁ ପ୍ରସ୍ତାବିତ ଏହି ବିମାନବନ୍ଦରକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଜଙ୍ଗଲ ଓ ପରିବେଶ ସମ୍ବନ୍ଧୀୟ ଅନୁମତି ସମେତ ବିଭିନ୍ନ କାରଣରୁ ପ୍ରକଳ୍ପ ଅନେକ ସମୟରେ ବାଧା ସାମ୍ନା କରିଥିଲା। ଗତ ଏପ୍ରିଲରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଜଙ୍ଗଲ ଜମି ବ୍ୟବହାର ନେଇ ଷ୍ଟେଜ୍‌-୧ ନୀତିଗତ ଅନୁମୋଦନ ମିଳିଥିଲା। ଏବେ ସିଆର୍‌ଜେଡ୍‌ ଅନୁମତି ମିଳିବା ପରେ ପ୍ରକଳ୍ପକୁ ନେଇ ଆହୁରି ଏକ ବଡ଼ ପ୍ରତିବନ୍ଧକ ଦୂର ହୋଇଛି। ପ୍ରସ୍ତାବିତ ବିମାନବନ୍ଦର ପାଇଁ ମୋଟ୍‌ ୧୧୬୪.୭୫୪ ଏକର ଜମି ଆବଶ୍ୟକ ହେଉଥିବାବେଳେ ଏଥିରୁ ୬୮ ଏକର ଜଙ୍ଗଲ ଜମି ରହିଛି। ୧୨୧.୮୯୧ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଛି। ସମଗ୍ର ପ୍ରକଳ୍ପ ପାଇଁ ପ୍ରାୟ ୫,୬୩୧ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଇଛି। ପୂର୍ବ ସରକାର ସମୟରେ ବିମାନବନ୍ଦର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଇତିମଧ୍ୟରେ ବାଉଣ୍ଡାରୀ ନିର୍ମାଣ କାର୍ଯ୍ୟ ସରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋକେସନାଲ ଶିକ୍ଷକଙ୍କୁ ମିଳିନି ୬ ମାସର ଦରମା, ବିଭିନ୍ନ ସ୍ଥାନରେ ୫ମାସ ହେଲାଣି ମିଳିନି ବାର୍ଦ୍ଧକ୍ୟ ଭତ୍ତା

ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ବିମାନବନ୍ଦର ପାଇଁ ଯେଉଁ କିଛି ଜଙ୍ଗଲ ଜମି ସମସ୍ୟା ରହିଥିଲା, ତାହା ଏବେ କ୍ଲିୟର ହୋଇଯାଇଛି। ଚୂଡ଼ାନ୍ତ କ୍ଲିୟରାନ୍ସ ପାଇଁ ଅପେକ୍ଷା ଅଛି। ସିଆର୍‌ଜେଡ୍‌ କ୍ଲିୟରାନ୍ସ ମିଳିଥିବାରୁ ପ୍ରକଳ୍ପ ଆଗକୁ ବଢ଼ିବାର ରାସ୍ତା ସୁଗମ ହୋଇଛି। ବିଧିବଦ୍ଧ ଭାବେ ନିର୍ମାଣ କାର୍ଯ୍ୟ କିପରି ଆଗେଇବ, ସେ ନେଇ ବିମାନ ଚଳାଚଳ ଓ ବାଣିଜ୍ୟ ପରିବହନ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ବିମାନ ଚଳାଚଳ ଓ ବାଣିଜ୍ୟ ପରିବହନ ବିଭାଗର ଆବଶ୍ୟକ ଅନୁମତି ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଆଶା କରାଯାଉଛି। ସିଆର୍‌ଜେଡ୍‌ ଅନୁମତି ମିଳିବା ପରେ ଏବେ ବିମାନବନ୍ଦର ନିର୍ମାଣ ଶେଷ କରି ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ବିମାନବନ୍ଦର କାର୍ଯ୍ୟକ୍ଷମ ହେଲେ ପୁରୀର ପର୍ଯ୍ୟଟନ, ବାଣିଜ୍ୟ ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ସିଇସିଙ୍କ ବିରୋଧରେ ନୂଆଦିଲ୍ଲୀରେ ବିରୋଧୀଙ୍କ ପଦଯାତ୍ରାରେ ସାମିଲ ହେବ ବିଜେଡି

ସୂଚନାଥାଉ କି, ୨୦୨୧ ଜାନୁଆରୀ ୧ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ପ୍ରସ୍ତାବିତ ବିମାନବନ୍ଦରର ନାମ ‘ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ରଖିବାକୁ ସେ ପ୍ରସ୍ତାବ ଦେଇଥିଲେ। ପୁରୀ ଚାରିଧାମ ମଧ୍ୟରୁ ଅନ୍ୟତମ ହୋଇଥିବା ସହ ଏଠାରେ ଶ୍ରୀମନ୍ଦିର, ବିସ୍ତୃତ ବେଳାଭୂମି, ବ୍ଲୁ ଫ୍ଲାଗ୍‌ ବିଚ୍‌ ଏବଂ ନିକଟବର୍ତ୍ତୀ କୋଣାର୍କ ସୂର୍ଯ୍ୟମନ୍ଦିର, ଚିଲିକା ଭଳି ପର୍ଯ୍ୟଟନସ୍ଥଳ ରହିଛି। ପ୍ରତିଦିନ ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଓ ଯାତ୍ରୀ ପୁରୀ ଆସୁଥିବାରୁ ଏଠାରେ ଅନ୍ତର୍ଜାତୀୟ ବିମାନବନ୍ଦରର ଆବଶ୍ୟକତା ରହିଥିବା ନେଇ ସେ ଚିଠିରେ ଦର୍ଶାଇଥିଲେ। ଏହାଛଡ଼ା ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପୁରୀ, କୋଣାର୍କ ଓ ପାରାଦୀପ ଦେଇ ଯିବାର ଯୋଜନା ରହିଛି। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ବିକଶିତ କରିବା ଲାଗି ପରିକଳ୍ପନା ଥିବାରୁ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଆଗମନ ଆହୁରି ବଢ଼ିବା ଆଶା କରାଯାଉଛି। ଏପରିସ୍ଥିତିରେ ଶ୍ରୀଜଗନ୍ନାଥଙ୍କ ନାମରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପୁରୀର ପର୍ଯ୍ୟଟନ ଓ ଆର୍ଥିକ ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର