ଦୁଷ୍କର୍ମ ଓ ଆକ୍ରମଣର ଶିକାର ହୋଇଥିବା ବିଧବା ମହିଳାଙ୍କ SCBରେ ମୃତ୍ୟୁ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି । ଗତ ନଭେମ୍ବର ୧୦ ତାରିଖରେ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଓ ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ, ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାଟି ତେଲକୋଇ ଥାନା ଅନ୍ତର୍ଗତ ବେନା ଗ୍ରାମ ନିକଟରେ ଘଟିଥିଲା ।
ତେଲକୋଇ ଥାନା ଅନ୍ତର୍ଗତ ଏକ ଗାଁର ମହିଳା ଜଣକ ସ୍ଥାନୀୟ ବଜାରରୁ ଫେରୁଥିବା ସମୟରେ ନିଖୋଜ ହୋଇଯାଇଥିଲେ । ସେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ପରଦିନ ସକାଳେ ବେନା ଗାଁ ନିକଟସ୍ଥ ଏକ ବୁଦା ମୂଳରୁ ସେ ଅଚେତ ଓ ରକ୍ତାକ୍ତ ଅବସ୍ଥାରେ ମିଳିଥିଲେ । ତାଙ୍କ ଶରୀରରେ ଅନେକ ଗଭୀର କ୍ଷତ ଚିହ୍ନ ରହିଥିଲା, ଯାହା ଏକ ଭୟଙ୍କର ଶାରୀରିକ ଆକ୍ରମଣର ସଙ୍କେତ ଦେଇଥିଲା ।
ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଟ୍ରମା କେୟାର ୟୁନିଟରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ ହେଁ, ଶେଷରେ ରବିବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଏହି ଘଟଣାରେ ମହିଳାଙ୍କ ପରିବାର ପକ୍ଷରୁ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବଜାରରୁ ଫେରିବା ବେଳେ ଅଭିଯୁକ୍ତ ଜଣକ ମହିଳାଙ୍କ ସହ ଥିବା ଦେଖାଯାଇଥିଲା । ଘଟଣା ପରଠାରୁ ସେ ଫେରାର ଥିବାରୁ ତାଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଛି । ତେଲକୋଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଏସସିବିରେ ପହଞ୍ଚି ଆନୁଷଙ୍ଗିକ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।






