ଏମ୍ଏମ୍ଡିଆର ସଂଶୋଧନ ଆଇନ ପ୍ରସଙ୍ଗକୁ ନେଇ ବିଜେପି ଓ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଲା ବିଜେଡି
'ଓଡ଼ିଶାର ଆଗାମୀ ପିଢ଼ିଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ'
ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନ୍ ପ୍ରସଙ୍ଗକୁ ନେଇ ବିଜେପି ଓ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛି ବିଜେଡି। ସାଢେ଼ ଚାରି କୋଟି ଓଡ଼ିଆଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ଓ ଆଗାମୀ ପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା ପାଇଁ ଏହା ଉଦ୍ଦିଷ୍ଟ ବୋଲି ବିଜେଡି କହିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କଟକ ମେୟର ତଥା ଦଳର କୋଷାଧ୍ୟକ୍ଷ ସୁବାସ ସିଂ ଓ ପୂର୍ବତନ ସାଂସଦ ତଥା ଦଳର ସାଧାରଣ ସମ୍ପାଦିକା ଶର୍ମିଷ୍ଠା ସେଠି ଏମଏମଡିଆର ସଂଶୋଧନ ଆଇନ ଓିଂଶାର ସ୍ୱାର୍ଥ ବିରୋଧୀ ବୋଲି ବର୍ଣ୍ଣନା କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେର୍ଶ ଅନୁସାରେ ଖଣି ଟିକସ ଓ ଲେଭି ବାବଦକୁ ବକେୟା ଏକ ଲକ୍ଷରୁ ଊର୍ଦ୍ଧ୍ବ କୋଟି ଟଙ୍କା ଆଦାୟ ହୋଇଥିଲେ ଓଡ଼ିଶାର ଆର୍ଥିକ ସ୍ଥିତି ମଜବୁଥ ହୋଇଥାନ୍ତା। କିନ୍ତୁ କେନ୍ଦ୍ର ସରକାର ଏହି ବିଲ୍ ପାସ କରି ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ ଛଡାଇ ନେଇଛନ୍ତି ବୋଲି ଦଳ କହିଛି।
ଶ୍ରୀ ସିଂ କହିଥିଲେ, ଓଡିଶା ଦେଶର ଏକ ଗରିବ ରାଜ୍ୟର ପରିଚୟ ରହିଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଅନେକ ଲୋକାଭିମୁଖୀ ସାମାଜିକ ସୁରକ୍ଷା ଯୋଜନା କରିଥିଲେ, ଯାହା ସମଗ୍ର ଦେଶ ପାଇଁ ଉଦାହରଣ ହୋଇଥିଲା। ବିଜେପି ସରକାରଙ୍କ ଦୁଇ ବର୍ଷର ଶାସନରେ, ନବୀନ ବାବୁ ଆରମ୍ଭ କରିଥିବା ଅନେକ ଯୋଜନା ପାଇଁ ଅର୍ଥ ବରାଦ ହୋଇ ପାରି ନାହିଁ। ଫଳସ୍ୱରୂପ ରାଜ୍ୟରେ ଅନେକ ସମୟରେ ପେନସନ ପ୍ରଦାନ ପାଇଁ ବିଳମ୍ୱ ଘଟୁଛି। ବିଏସକେୱାଇ ଭଳି ଲୋକପ୍ରିୟ ଯୋଜନାକୁ ବନ୍ଦ କରି ଦିଆଯାଇଛି ଓ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ଟଙ୍କା ଠିକ୍ ସମୟରେ ମିଳି ପାରୁନାହିଁ। ବିଜେପି ସରକାରଙ୍କ ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ବିଗୁଡୁଥିବା ବେଳେ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ଏମଏମଡିଆର ସଂଶୋଧନ ଆଇନ୍ ମାଧ୍ୟମରେ ଓଡ଼ିଶାର ନ୍ୟାର୍ଯ୍ୟ ଅଧିକାରକୁ ଛଡାଇ ନିଆଯାଇଛି। ଦୁଃଖ ଓ ପରିତାପର ବିଷୟ, ଏହି ବିଲ୍ ପାରିତ ହେବା ବେଳେ ଓଡ଼ିଶାର ଲୋକସଭାରେ ଥିବା ୨୦ ବିଜେପି ସାଂସଦ ଓ ରାଜ୍ୟସଭାରେ ଥିବା ୫ ଜଣ ବିଜେପି ସାଂସଦ ନୀରବଦ୍ରଷ୍ଟା ସାଜିଥିଲେ। ଆଗାମୀ ପଢ଼ିଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଯାଉଥିବା ଏହି ବିଲ୍କୁ ସହଯୋଗ କରିଥିବା ବିଜେପି ସାଂସଦ ମାନଙ୍କୁ ଓଡ଼ିଶାବାସୀ କ୍ଷମା ଦେବେ ନାହିଁ। ଖଣି ମାଲିକ ମାନଙ୍କ ପାଇଁ ବିଜେପିର ଅହେତୁକ ଅନୁକମ୍ପା କଣ ପାଇଁ ବୋଲି ଶ୍ରୀ ସିଂ ପ୍ରଶ୍ନ କରିଥିଲେ।
ଶ୍ରୀମତୀ ସେଠି କହିଥିଲେ, ଏହି ଆଇନ୍ ଯୋଗୁଁ ଓଡ଼ିଶାର ପ୍ରଭୂତ କ୍ଷତି ହେବାକୁ ଯାଉଥିବା ବେଳେ ଏହା ଓଡିଶାକୁ ଆର୍ଥିକ ଦୁର୍ଗତି ଆଡ଼କୁ ଟାଣିନେବ। ଏହାଦ୍ୱାରା ନବୀନ ପଟ୍ଟନାୟକଙ୍କ ସମୟରେ ଆରମ୍ଭ ହୋଇଥିବା ଅନେକ ସାମାଜିକ ସୁରକ୍ଷା ଯୋଜନା ଗୁଡିକ ପ୍ରଭାବିତ ହେବ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଓଡିଶା ଗୋଟିଏ ବିତ୍ତୀୟ ନିଅଣ୍ଟ ରାଜ୍ୟରୁ ବଳକା ଆର୍ଥିକ ରାଜ୍ୟ ହୋଇପାରି ଥିଲା। ଓଡ଼ିଶାର ବିତ୍ତୀୟ ନିଅଣ୍ଟ, ଯାହା ୨୦୨୫-୨୬ରେ ୩.୪ ପ୍ରତିଶତ ହେବ ବୋଲି ଆକଳନ ହୋଇଥିଲା ତାହା ବାସ୍ତବରେ ୩.୫ ପ୍ରତିଶତ ହୋଇଥିଲା। ସେହିପରି ଆଉଟଷ୍ଟାଣ୍ଡିଂ ଲାଇବଲିଟି (ବକେୟା ଦେୟ) ଯାହା ୨୦୨୫-୨୬ରେ ଜିଏସଡିପିର ୧୩ ପ୍ରତିଶତ ଥିଲା, ତାହା ଏବେ ୧୪ପ୍ରତିଶତରେ ପହଁଚିଛି ବୋଲି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ରାଜ୍ୟର ଆର୍ଥିକ ସ୍ଥିତି ଧୀରେ ଧୀରେ ବିଗୁଡୁଛି। ଖଣିରୁ ବକେୟା ପ୍ରାପ୍ୟ ଥିବା ଏକ ଲକ୍ଷ କୋଟି ଟଙ୍କା ଓଡ଼ିଶାର ଆର୍ଥିକ ସ୍ଥିତିକୁ ମଜବୁତ କରିଥାନ୍ତା। କିନ୍ତୁ, ଏମଏମଡିଆର ସଂଶୋଧିତ ଆଇନ୍ ଦ୍ୱାରା ଏହି ଆଶା ପାଣିରେ ମିଳାଇ ଯାଇଛି ବୋଲି ସେ କହିଛନ୍ତି।






