ନିଶା ପାଇଁ ଦୁଇ ଲକ୍ଷରେ ପୁଅକୁ ବିକିଦେଲେ ଦମ୍ପତି
ଚଣ୍ଡିଗଡ଼: ନିଶା ପାଇଁ ଅନ୍ଧ ହେଲେ ଦମ୍ପତ୍ତି, ଦୁଇ ଲକ୍ଷରେ ନିଜ ପୁଅକୁ ବିକିଦେଲେ । ନିଶା ଖାଇବାକୁ ମଣିଷ ଏତେ ତଳକୁ ଯାଇପାରେ ଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ପଞ୍ଜାବର ମାନସା ଜିଲ୍ଳାରେ ଏକ ନିଶାଶକ୍ତ ଦମ୍ପତି ମାତ୍ର ୧ ଲକ୍ଷ ୮୦ ହଜାର ଟଙ୍କାରେ ନିଜର ୬ ମାସର ପୁଅକୁ ବିକ୍ରି କରିଛନ୍ତି। ଏମାନେ ଜଣେ ସ୍କ୍ରାପ ଡିଲରଙ୍କ ପରିବାରକୁ ନିଜ ପୁଅକୁ ଦେଇଦେଇଥିଲେ। ଶିଶୁର ମାଉସୀ ଥାନାରେ ଏ ନେଇ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି। ପୁଲିସ ଶିଶୁକୁ ଉଦ୍ଧାର କରିବା ସହ ଦୁଇ ପରିବାର ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଅନୁସାରେ ମାମାଲା ରୁଜୁ କରିଛି। ପୁଅକୁ ବିକ୍ରି କରିଥିବା ଏହି ଦମ୍ପତିଙ୍କୁ ପୁଲିସ ଗିରଫ କରିଛି।
ଏହି ଦମ୍ପତି ଆକବରପୁର ଖୁଡାଲ ଗାଁରେ ରୁହନ୍ତି। ନିୟମିତ ଡ୍ରଗ୍ସ ସେବନ କରି ନିଶାଶକ୍ତ ହେବା ଯୋଗୁଁ ଏହି ଦମ୍ପତି ପୁଅର ଲାଳନ ପାଳନ କରିବାକୁ ଅକ୍ଷମ ଥିଲେ। ଫଳରେ ବୁଧଲାଡା ଟାଉନ୍ରେ ରହୁଥିବା ସ୍କ୍ରାପ୍ ଡିଲରଙ୍କୁ ନିଜର ପୁଅକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ପୁଲିସ କହିଛି। ଏହି ସ୍କ୍ରାପ ଡିଲରଙ୍କର ୪ ଜଣ ଝିଅ ଅଛନ୍ତି। ପୁଅକୁ ନେବା ପାଇଁ ଡିଲରଙ୍କ ପରିବାର ଏକ ଦସ୍ତାବିଜ୍ରେ ଦସ୍ତକ୍ଷତ ମଧ୍ୟ କରିଥିଲେ। ମିଳିଥିବା ଅର୍ଥରେ ଏହି ଦମ୍ପତି ନିଶାଦ୍ରବ୍ୟ ଓ ଅନ୍ୟ କେତେକ ଘରକରଣା ଜିନିଷ କ୍ରୟ କରିଥିଲେ ବୋଲି ସ୍ଥାନୀୟ ଲୋକ ପୁଲିସକୁ କହିଛନ୍ତି। ବିବାହ ପରେ ପିଲାର ମା ନିଶା ସେବନ କରିବାସହ ନିଶା ନେବାର ଖରାପ ଅଭ୍ୟାସରେ ପଡିଯାଇଥିଲେ। କିନ୍ତୁ ପୂର୍ବରୁ ସେ ଜଣେ କୁସ୍ତିଯୋଦ୍ଧା ଥିଲେ। ପୁଲିସ ଏବେ ଏହି ପିଲାକୁ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରିଛନ୍ତି। ଦୁଇ ପରିବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓ ଅକ୍ଟୋବର ୩୧ ସୁଦ୍ଧା ରିପୋର୍ଟ ଦେବାକୁ ବୁଧଲାଡା ଡିଏସ୍ପି ସିକନ୍ଦର ସିଂ ଚିମା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।






