ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ
କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଗୋଷ୍ଠୀକୁ ଆଉ ଏକ ବଡ଼ ଝଟକା । ନନ୍ଦିଗ୍ରାମ ପରେ ଏବେ ମୁର୍ସିଦାବାଦ ଜିଲ୍ଲାର ରେଜିନଗର ବିଧାନସଭା ଉପନିର୍ବାଚନରୁ ମମତା ଗୋଷ୍ଠୀର ପ୍ରାର୍ଥୀ ରବିଉଲ ଆଲମ ଚୌଧୁରୀ ଶନିବାର ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି।
ଗୋଟିଏ ଦିନ ପୂର୍ବରୁ ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ ମମତା ଗୋଷ୍ଠୀର ପ୍ରାର୍ଥୀ ଥିବା ସଞ୍ଚିତା ଦେ ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ ସହ ଆଲୋଚନା ପରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରେଜିନଗରରୁ ଓହରିବା ନେଇ ସଙ୍କେତ ଦେଇଥିଲେ। ସେ କହିଥିଲେ ଯେ, ନନ୍ଦିଗ୍ରାମରେ ଆମେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛୁ। ରେଜିନଗର ପ୍ରସଙ୍ଗରେ ପରେ ନିଷ୍ପତ୍ତି ନିଆଯିବ।
ନିଜ ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ରବିଉଲ ଆଲମ ଚୌଧୁରୀ କହିଛନ୍ତି ଯେ, ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନୂଆ ନିର୍ବାଚନ ଚିହ୍ନକୁ ନେଇ ପ୍ରଚାର କରିବାକୁ ଦଳୀୟ କର୍ମୀମାନେ ରାଜି ନାହାନ୍ତି। ଏହା ସହ ପ୍ରଶାସନ ପକ୍ଷରୁ କର୍ମୀଙ୍କ ଉପରେ ଚାପ ପକାଯାଉଥିବା ଏବଂ ଅନେକ କର୍ମୀଙ୍କୁ ଗିରଫ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ପରିସ୍ଥିତିରେ ନିର୍ବାଚନ ଲଢ଼ିବା କଷ୍ଟକର ହୋଇପଡ଼ିଛି ବୋଲି ସେ ପ୍ରକାଶ କରିଛନ୍ତି। ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ନନ୍ଦିଗ୍ରାମ ଓ ରେଜିନଗର ଉଭୟ ଆସନରୁ ଓହରିବା ପରେ, ୧୯୯୮ ମସିହା ପରଠାରୁ ଏହା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି ଯେ ପଶ୍ଚିମବଙ୍ଗ ନିର୍ବାଚନରେ ମମତା ବାନାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ନେତୃତ୍ୱାଧୀନ କୌଣସି ଦଳ ମଇଦାନରେ ନାହାନ୍ତି। ଶୁକ୍ରବାର ନିର୍ବାଚନ କମିଶନ ମମତା ଗୋଷ୍ଠୀକୁ 'ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ' ନାମ ଏବଂ 'ଫୁଟବଲ୍ ଖେଳାଳି' ଚିହ୍ନ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ରିତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀକୁ 'ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ' ନାମ ଏବଂ 'ଲଫାପା' ଚିହ୍ନ ମିଳିଥିଲା। ପୂର୍ବରୁ କମିଶନ ମୂଳ ଦଳର ନାମ ଏବଂ ଏହାର ପାରମ୍ପରିକ 'ଘାସଫୁଲ' ଚିହ୍ନକୁ ଫ୍ରିଜ୍ ବା ଅଚଳ କରିଦେଇଥିଲେ।
ସୂଚନାଯୋଗ୍ୟ ଯେ, ନନ୍ଦିଗ୍ରାମ ଏବଂ ରେଜିନଗର ଆସନ ପାଇଁ ଆସନ୍ତା ଅକ୍ଟୋବର ୬ ତାରିଖରେ ମତଦାନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୯ ତାରିଖରେ ଭୋଟ୍ ଗଣତି ହେବ। ଏଜେୟୁପି ନେତା ହୁମାୟୁନ କବୀର ରେଜିନଗର ଏବଂ ନାଓଦା ବିଧାନସଭା ଆସନରୁ ବିଜୟୀ ହେବା ପରେ ନାଓଦା ଆସନ ରଖି ରେଜିନଗର ଛାଡ଼ିବାରୁ ଏଠାରେ ଉପନିର୍ବାଚନ ହେଉଛି। ଏବେ ତାଙ୍କ ପୁଅ ଗୋଲାମ ନବୀ ଆଜାଦ ଏଠାରୁ ଏଜେୟୁପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି।






