ଦେଶର ‘ରତ୍ନ’ଙ୍କୁ ଓଡ଼ିଶାରେ ଉପେକ୍ଷା
ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ, ବିଖ୍ୟାତ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ପ୍ରତ୍ୟେକ ଓଡ଼ିଆଙ୍କ ମନରେ ରହିଛି ପ୍ରଚଣ୍ଡ ଶ୍ରଦ୍ଧା ଓ ଅସୀମ ଭଲପାଇବା। ରାଜ୍ୟର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଓଡ଼ିଶାବାସୀ ଭୁଲି ନାହାନ୍ତି; ସ୍ୱାଧୀନତା ସଂଗ୍ରାମ ଓ ପରବର୍ତ୍ତୀ ସମୟରେ ଦେଶଗଠନରେ ତାଙ୍କର ଭୂମିକାକୁ ମଧ୍ୟ ଭାରତବାସୀ ଭୁଲିବେ ନାହିଁ। ତାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାବାସୀଙ୍କ ଦାବି ଏଯାଏ ଅପୂରଣୀୟ ରହିଛି। […]
ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ, ବିଖ୍ୟାତ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ପ୍ରତ୍ୟେକ ଓଡ଼ିଆଙ୍କ ମନରେ ରହିଛି ପ୍ରଚଣ୍ଡ ଶ୍ରଦ୍ଧା ଓ ଅସୀମ ଭଲପାଇବା। ରାଜ୍ୟର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଓଡ଼ିଶାବାସୀ ଭୁଲି ନାହାନ୍ତି; ସ୍ୱାଧୀନତା ସଂଗ୍ରାମ ଓ ପରବର୍ତ୍ତୀ ସମୟରେ ଦେଶଗଠନରେ ତାଙ୍କର ଭୂମିକାକୁ ମଧ୍ୟ ଭାରତବାସୀ ଭୁଲିବେ ନାହିଁ। ତାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାବାସୀଙ୍କ ଦାବି ଏଯାଏ ଅପୂରଣୀୟ ରହିଛି। ସମଗ୍ର ଓଡ଼ିଆ ଜାତି ବିଜୁ ପଟ୍ଟନାୟକଙ୍କୁ ନେଇ ଗର୍ବ କରୁଥିବାବେଳେ ରାଜ୍ୟର ବିଜେପିି ସରକାରଙ୍କୁ ‘ବିଜୁ’ଙ୍କ ନାମ ବିଷ ପରି ଲାଗୁଛି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ବିଜୁ ପଟ୍ଟନାୟକଙ୍କ ନାମ ଥିବା ଏକାଧିକ ଯୋଜନାକୁ ପରିବର୍ତ୍ତନ କରିଛି।
ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏକାଧିକ ଯୋଜନାର ନାମ ପରିବର୍ତ୍ତନ କରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ସେତୁ ଯୋଜନା, ବିଜୁ ପକ୍କାଘର ଯୋଜନା, ବିଜୁ କେବିକେ ଯୋଜନା ଆଦିର ନାମ ପରିବର୍ତ୍ତନ କରିଛନ୍ତି । ବିଜୁ ପଟ୍ଟନାୟକଙ୍କ ନାମରେ ଦିଆଯାଉଥିବା ରାଜ୍ୟକ୍ରୀଡ଼ା ପୁରସ୍କାର ନାମକୁ ମଧ୍ୟ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଥିଲେ। ମାତ୍ର ରାଜ୍ୟବ୍ୟାପୀ ଏହା ବିରୋଧରେ ଅସନ୍ତୋଷ ତେଜିବା ପରେ ସରକାର ଏଥିରୁ ବିରତ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ କ୍ରମାଗତ ଭାବେ ରାଜ୍ୟ ସରକାର ବିଜୁ ନାମ ଥିବା ପ୍ରତିଟି ଯୋଜନା, କାର୍ଯ୍ୟକ୍ରମ ତଥା ସ୍ଥଳବିଶେଷର ନାମ ପରିବର୍ତ୍ତନ କିମ୍ବା ବାଦ୍ ଦେବା ନେଇ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରବର୍ତ୍ତକ ଭାବରେ ବିଜୁଙ୍କ ଜୟନ୍ତୀରେ ପାଳନ ହେଉଥିବା ପଞ୍ଚାୟତିରାଜ ଦିବସକୁ ପରିବର୍ତ୍ତନ କରାଯାଇଛି ଓ ସରକାରୀ ଛୁଟିକୁ ବାତିଲ କରିଦିଆଯାଇଛି । ଏବେ ରାଜ୍ୟରେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ବିଜୁ ପଟ୍ଟନାୟକ ରିସର୍ଚ୍ଚ ଫେଲୋସିପ୍କୁ ବନ୍ଦ କରିବାକୁ ଆପାତତଃ ନିଷ୍ପତ୍ତି ନିଆଯାଇଛି । ପୂର୍ବ ସରକାର ଏହି ଫେଲୋସିପ୍ ବାବଦ ଅର୍ଥ ବୃଦ୍ଧି ପାଇଁ ନେଇଥିବା ନିଷ୍ପତ୍ତିକୁ ନୂଆ ସରକାର କାର୍ଯ୍ୟକାରୀ କରି ନାହାନ୍ତି ।
କେବଳ ଏତିକି ନୁହେଁ; ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଇସ୍ପାତ ଏକାଡେ଼ମୀକୁ ମୃତ୍ୟୁ ଶଯ୍ୟାକୁ ଠେଲି ଦିଆଯାଇଛି। ବିଜୁ ପଟ୍ଟନାୟକ ନେସନାଲ ଷ୍ଟିଲ ଏକାଡେ଼ମୀକୁ ଆଇଆଇଟି ସମତୁଲ ଏକ ପ୍ରତିଷ୍ଠାନରେ ପରିଣତ କରିବାକୁ ତତ୍କାଳୀନ ୟୁପିଏ ସରକାର ଯୋଜନା କରିଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନ୍ଡ଼ିଏ ସରକାର ଏହାକୁ ଲୋପ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ସେହିପରି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ବିଜୁଙ୍କ ନାମକୁ ଲିଭାଇବା ପ୍ରସ୍ତୁତି ବି ରାଜ୍ୟ ସରକାର ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଚିଠିରେ ଏହାକୁ ସମ୍ପ୍ରତି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ପରିବର୍ତ୍ତେ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦର ବୋଲି ଉଲ୍ଲେଖ କରାଯାଉଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷର ସ୍ୱର ଉଠିଛି। ସରକାର ଇଚ୍ଛାକୃତ ଓ ଉଦ୍ଦେଶ୍ୟମୂଳକ ଭାବରେ ବିଜୁ ପଟ୍ଟନାୟକଙ୍କ ନାମକୁ ଲୋପ କରିବାକୁ ଗୁପ୍ତ ପ୍ରକ୍ରିୟା ଆରମ୍ଭ କରଥିବା ସାଧାରଣରେ ଅଭିଯୋଗ ହୋଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ଓ ଜାଳିବା ପରି କୁତ୍ସିତ ପରମ୍ପରା ଏବେ ଜନ୍ମ ନେଇଛି । ମାହାଙ୍ଗା, କଟକ, ପାଟଣାଗଡ଼ ଆଦି ସ୍ଥାନରେ ଘଟିଥିବା ଘଟଣାଗୁଡ଼ିକ ଏହି ଆଶଙ୍କାକୁ ଦୃଢ଼ୀଭୂତ କରିଛି।
ବିଜୁ ଲିଗାସୀ ଓ ବିଜୁ ପଟ୍ଟନାୟକ ନାମକୁ ନେଇ ବିଜେପିର ଏପରି ବିକାରକୁ ନେଇ ରାଜ୍ୟବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବିଜୁ ପଟ୍ଟନାୟକ ଓଡ଼ିଶାର ବରପୁତ୍ର। ଦେଶର ସ୍ୱାଧୀନତା ପ୍ରାପ୍ତି ତଥା ଓଡ଼ିଶାର ସାମଗ୍ରିକ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ, ଅବର୍ଣ୍ଣନୀୟ । ତାଙ୍କୁ କୌଣସି ରାଜନୀତିକ ବନ୍ଧନୀ ମଧ୍ୟରେ ସୀମିତ ରଖିବା ଦେଶ ପ୍ରତି ଅସମ୍ମାନ । ବିଜୁ ପଟ୍ଟନାୟକ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ପରଲୋକରେ ତିନିଟି ଦେଶର ଜାତୀୟ ପତାକା ଅର୍ଦ୍ଧନମିତ ହୋଇଥିଲା। ତାଙ୍କୁ ଭାରତ ରତ୍ନ ଦେବା ପାଇଁ ଓଡ଼ିଶାବାସୀ ବାରମ୍ବାର କେନ୍ଦ୍ର ନିକଟରେ ଦାବି କରିଛନ୍ତି । ରାଜ୍ୟ ବିଧାନସଭାରେ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଛି ଓ କେନ୍ଦ୍ରକୁ ସୁପାରିସ କରାଯାଇଛି। ତାଙ୍କୁ ସମ୍ମାନ ବା ଭାରତରତ୍ନ ଦେବା ପାଇଁ ଉଦ୍ୟମ ତ ଦୂରର କଥା, ଏବେ ତାଙ୍କ ନାମ ଲିଭାଇ ଦେବାକୁ ରାଜ୍ୟ ବିଜେପି ସରକାର ଉଦ୍ୟମ କରୁଛନ୍ତି। ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ କରିବା ପରି କାର୍ଯ୍ୟ ରାଜ୍ୟ ବିଜେପି ସରକାରଙ୍କ ନିରନ୍ତର କରୁଛନ୍ତି ଓ ଏହା ବିଜୁପ୍ରେମୀଙ୍କୁ ପ୍ରଚଣ୍ଡ ଆଘାତ ଦେଇଛି। ତେଣୁ ସଂକୀର୍ଣ୍ଣ ରାଜନୀତିରୁ ଊର୍ଦ୍ଧ୍ବକୁ ନ ଉଠିଲେ ରାଜ୍ୟବାସୀ ବିଜେପିକୁ କ୍ଷମା କରିବେ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।






