କ୍ୟାମ୍ପସରେ ଉତ୍ତେଜନା: ରାଜ୍ୟର ଆଉ ୩ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ଆଉ ୩ଟି କଲେଜରେ ନିର୍ବାଚନକୁ ବାତିଲ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି, ଆଚରଣ ବିଧି ଉଲ୍ଲଂଘନ ଏବଂ କ୍ୟାମ୍ପସ ସୁରକ୍ଷାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ଆୟତପୁର ସ୍ଥିତ ଲକ୍ଷ୍ମୀବରାହ ଡିଗ୍ରୀ କଲେଜରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରୁ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ (ସାଇନ୍-ଡାଏ) ଘୋଷଣା କରାଯାଇଛି। କଲେଜ ଅଧ୍ୟକ୍ଷଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ ଅନୁଯାୟୀ, କ୍ୟାମ୍ପସରେ ଉପୁଜିଥିବା ଅଶାନ୍ତି କାରଣରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଏଠାରେ ଉତ୍ତେଜନା ଦେଖାଦେଇଥିବାରୁ ନିର୍ବାଚନକୁ ମଧ୍ୟ ବାତିଲ କରାଯାଇଛି।
ଅନ୍ୟପକ୍ଷରେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ହେବାକୁ ଥିବା ଜାପକୁଦ ମହିଳା ଡିଗ୍ରୀ କଲେଜର ଛାତ୍ର ସଂସଦ ନିର୍ବାଚନ ୨୦୨୬-୨୭କୁ ତୁରନ୍ତ ପ୍ରଭାବ ସହିତ ବାତିଲ କରାଯାଇଛି। ଅକ୍ଟୋବର ୧୨ ତାରିଖରେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଆଚରଣ ବିଧି ଉଲ୍ଲଂଘନ ଏବଂ ଗୋଷ୍ଠୀ ସଂଘର୍ଷ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ, ଏଠାରେ ଏବିଭିପି (ABVP) ସମର୍ଥିତ ସଭାପତି ଓ ଉପ-ସଭାପତି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହେବା ପରେ ଛାତ୍ରୀମାନେ ଧାରଣାରେ ବସିଥିଲେ। ଏହାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ସମସ୍ତ ପ୍ରକାର ନିର୍ବାଚନ ପ୍ରଚାର, ଶୋଭାଯାତ୍ରା ଏବଂ ଏକତ୍ରିତ ହେବା ଉପରେ କଟକଣା ଲଗାଯାଇଛି।
କଳାହାଣ୍ଡି ଜିଲ୍ଲାର କେସିଙ୍ଗା କଲେଜରେ ମଧ୍ୟ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଲାଗି ରହିଥିବା ବିବାଦ କାରଣରୁ ନିର୍ବାଚନ ବାତିଲ କରାଯାଇଛି। ପୋଲିସ ମାମଲା ଆଧାରରେ ପ୍ରଥମେ ବିଜେଡି (BJD) ସମର୍ଥିତ ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କ ନାମାଙ୍କନ ନାକଚ କରାଯାଇଥିଲା। କିନ୍ତୁ ବିଜେଡି ନେତା ଏବଂ ନର୍ଲା ବିଧାୟକଙ୍କ ଆନ୍ଦୋଳନ ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ତାଙ୍କ ନାମାଙ୍କନ କାଏମ ରଖାଯାଇଥିଲା। ଏହାକୁ ବିରୋଧ କରି ବିଜେପି (BJP) କର୍ମୀମାନେ ରାସ୍ତାରୋକ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହେବାରୁ କଲେଜ କର୍ତ୍ତୃପକ୍ଷ ଉପ-ଜିଲ୍ଲାପାଳଙ୍କ (SDM) ସମୀକ୍ଷା ପରେ ନିର୍ବାଚନ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି।
ତେବେ ରାଜ୍ୟରେ ପ୍ରାୟ ମୋଟ୍ ୨୦ରୁ ଅଧିକ କଲେଜରେ ନିର୍ବାଚନ ବାତିଲ କରାଯାଇଛି । ପ୍ରାୟ ଅଧିକାଂଶ ସ୍ଥାନରେ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଛି । ପ୍ରଥମେ ଯାଜପୁର ଜିଲ୍ଲା ବ୍ୟାସନଗର କଲେଜରରେ ବୋମା ମାଡ଼ ଯୋଗୁ ନିର୍ବାଚନ ବାତିଲ କରାଯାଇଥିଲା । ଭଦ୍ରକ ମହିଳା କଲେଜ ଓ ଭଣ୍ଡାରୀପୋଖରୀ ସ୍ଥିତ ନାଆମୀ କଲେଜରେ ନିର୍ବାଚନୀ ହିଂସା ପାଇଁ କଲେଜ କର୍ତ୍ତୃପକ୍ଷ ନିଜ ଆଡୁ଼ ନିର୍ବାଚନ ବାତିଲ କରିଛନ୍ତି । ଏତିକି ନୁହେଁ, ନବରଙ୍ଗପୁରର ମଡେଲ ଡିଗ୍ରୀ, ପୁରୀ ଜିଲ୍ଲାର ଗୋପ ଡିଗ୍ରୀ କଲେଜ, ଦେବଗଡ଼ କଲେଜ, ଜଗତ୍ସିଂହପୁର ଜିଲ୍ଲାର ଦୁଇଟି ଡିଗ୍ରୀ କଲେଜରେ ମଧ୍ୟ ନିର୍ବାଚନ ବାତିଲ କରାଯାଇଛି । ସେହିପରି ରାଜଧାନୀର କ୍ୟାପିଟାଲ ଆଇନ ବିଶ୍ୱବିଦ୍ୟାଳୟରେ ମଧ୍ୟ ନିର୍ବାଚନ ବାତିଲ ପ୍ରଥମରୁ କରାଯାଇଛି ।






